Odiapua.com

ଶୁଭମର ସଫଳ ଅସ୍ତ୍ରୋପଚାର

ହାଟଡ଼ିହି, ୫ /୨/ :(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ପଢ଼ିଆରିପଲ୍ଲି ଗ୍ରାମର ରମାକାନ୍ତ ପାତ୍ର ଓ ମିଲି ପାତ୍ରଙ୍କ ଦେଢ଼ବର୍ଷର ପୁଅ ଶୁଭମର ଅସ୍ୱାଭିକ ଭାବେ ମୁଣ୍ଡଟି ବୃଦ୍ଧି ପାଉଥିବାବେଳେ ଶରୀର କ୍ଷୀଣ ହୋଇଯାଉଥିଲା । ଅତ୍ୟନ୍ତ ଗରିବ ପରିବାର ହୋଇଥିବାରୁ ଉପଯୁକ୍ତ ଚିକିତ୍ସା କରାଇ ପାରି ନଥିଲେ । ଏପରିକି ଥରେ ଧାର କରଜ କରି କଟକ ମେଡିକାଲକୁ ଯାଇଥିଲେ ମଧ୍ୟ କରୋନା କଟକଣା ଯୋଗୁଁ ଡାକ୍ତରମାନେ ତାଙ୍କୁ ଫେରାଇ ଦେଇଥିଲେ । ଫଳରେ ଶୁଭମର ଅବସ୍ଥା ଶଙ୍କଟାପର୍ଣ୍ଣ ହୋଇପଡିଥିଲା । ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା, ସଭାପତି ଉମାକାନ୍ତ ରାଉତ, ସମ୍ପାଦକ ଅର୍ଜୁନ ଖଣ୍ଡା ପ୍ରମୁଖ ତାଙ୍କୁ ତୁରନ୍ତ ଆନନ୍ଦପୁର ମେଡିକାଲ ନେଇ ସେଠାରୁ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଯାଇଥିଲେ । ଏ ସମ୍ପର୍କରେ ଟ୍ରଷ୍ଟର ସଦସ୍ୟା ଶ୍ରୀଲେଖା ଜେନା ମଧ୍ୟ ଟୁଇଟ କରି ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇଥିଲେ । କଟକ ବଡ ଡାକ୍ତରଖାନାରେ ପହଞ୍ଚିବା ପରେ ଜରୁରୀ କାଳୀନ ବିଭାଗର ମୁଖ୍ୟ ଡାକ୍ତର ଭୁବନାନନ୍ଦ ମହାରଣା ଉକ୍ତ ଶିଶୁର ଅବସ୍ଥା ଦେଖିବାପରେ ସେ ହାଇଡ୍ରୋ ସେଫାଲସ ରୋଗରେ ପିଡିତ ଓ ତାକୁ ସମସ୍ତ ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏପରିକି କଟକର ସମସ୍ତ ସାମାଜିକ ସଂଗଠନ ମଧ୍ୟ ସହଯୋଗର ହାତ ବଢ଼ାଇଥିଲେ । ଗତକାଲି ଏକ ଡାକ୍ତରୀ ଦଳ ଦ୍ୱାରା ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇଛି । ଖୁବ ଶୀଘ୍ର ସେ ସୁସ୍ଥ ହେବ ବୋଲି ତାଙ୍କର ମା ଆଶା ରଖିଛନ୍ତି । ଶୁଭମ ତୁରନ୍ତ ସୁସ୍ଥ ହେବାନେଇ ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ଗତକାଲି ବିଭିନ୍ନ ମନ୍ଦିରରେ ପୁଜାର୍ଚ୍ଚନା କରାଯାଇଥିବା ଜଣାଯାଇଛି ।