Odiapua.com

ଶୁଣୁନି ପ୍ରଶାସନ, ନିଜ ଉଦ୍ୟମରେ ଚାଷୀମାନେ ଘାଇପୋତିଲେ,

ହାଟଡିହି- ୧୧ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଅଙ୍କିରା ନାଳର ବ୍ରହ୍ମଣୀକଳା ଠାରେ ଏକ ଆଡିବନ୍ଧ ନିର୍ମାଣ କରିବାକୁ ବାରମ୍ବାର ପ୍ରଶାସନକୁ ଅନୁରୋଧ କରୁଥିଲେ ମଧ୍ୟ ପ୍ରଶାସନ ଚାଷୀ ମାନଙ୍କ ଦୁଖଃ ନଶୁଣିବାରୁ ଚାଷୀମାନେ ବାଧ୍ୟ ହୋଇ ପ୍ରତିବର୍ଷ ଦୁଇ ଦୁଇଥର ଶ୍ରମଦାନ କରି ଘାଇ ପୋତି ଚାଷଜମିକୁ ପାଣି ମଡାଉଛନ୍ତି । ଚାଷୀମାନଙ୍କ ଜମିକୁ ପାଣି ମାଡୁ ନଥିବାବେଳେ ଚାଷୀ ମାନଙ୍କ ଠାରୁ ଜୋର ଜବରଦସ୍ତ ଜଳକର ଆଦାୟ କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀମାନଙ୍କ ଅଭିଯୋଗ ଅନୁଯାଇ ଅଙ୍କିରା ନାଳ ଉପରେ ଶାଳଣିଆଁ, ଷଡଙ୍ଗ, ହାବଳେଶ୍ୱର ଓ ଇଞ୍ଚୋଳ ପଞ୍ଚାୟତର ଚାଷୀମାନେ ନିର୍ଭର କରିଥାନ୍ତି । ଏହା ଜଳସମ୍ପଦ ବିଭାଗର ଫ୍ଲଡ ବିଭାଗରେ ଥିବାବେଳେ ୪୦ବର୍ଷ ତଳେ ନିରଞ୍ଜନ ପଟ୍ଟନାୟକଙ୍କ ସମୟରେ ଏକ ଆଡିବନ୍ଧ ନିର୍ମାଣ କରାଯାଇ ଚାଷୀଙ୍କ ଜମିକୁ ପାଣି ମଡାଯାଉଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହାର ମରାମତି କରାଯାଉ ନଥିବାବେଳେ ଆଡିବନ୍ଧଟି ଭାଙ୍ଗିରୁଜି ଗଲାଣି । ବ୍ରହ୍ମଣୀକଳା ନିକଟରେ ଏକ ବିରାଟ ଘାଇ ହୋଇଥିବାରୁ ପାଣି ସବୁ ଅନ୍ୟଆଡେ ପଳାଉଛି । ଚାଷ ଜମିକୁ ଟୋପାଏ ପାଣି ଯାଇପାରୁ ନାହିଁ । ଫଳରେ ଚାଷ ଜମି ଗୁଡିକ ଶୁଖି ନଷ୍ଟ ହେବାକୁ ବସିଲାଣି । ଧାନ ଫୁଲ ଖେଳାଇବା ସମୟରେ ବର୍ଷା ନଥିବାବେଳେ ବିଲ ଗୁଡିକରେ ପାଣି ଶୁଖି ଯିବାରୁ କିପରି ଚାଷଜମିକୁ ପାଣିଟୋପାଏ ଯିବ ଓ ଧାନଗଛ ଗୁଡିକ ସୁରୁଖୁରୁରେ ଫୁଲ ଖେଳାଇବ ସେନେଇ ବ୍ରହ୍ମଣୀକଳା, ଷଡଙ୍ଗ, ନସିରିପୁର, ଡିମରିଆ, ଭାକିଡି, ଅପସର, ଶାଳଣିଆଁ ଆଦି ଗ୍ରାମର ଶତାଧିକ ଚାଷୀ ଏକଯୁଟ ହୋଇ ଘାଇ ପୋତିବାରେ ଲାଗି ପଡିଛନ୍ତି । ଦୁଇଦିନ ହେଲା ଚାଷୀମାନେ ଶହଶହ ବାଲିବସ୍ତା ପକାଇ ଘାଇ ବାନ୍ଧୁଥିବାବେଳେ ସରକାରଙ୍କ ପକ୍ଷରୁ ୯ଲକ୍ଷ ଟଙ୍କାର ଅନୁଦାନ ଆସିଥିଲେ ମଧ୍ୟ କାମ ହୋଇପାରି ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଯେଉଁଠି ଆବଶ୍ୟକ ନାହିଁ ସେସବୁ ସ୍ଥାନରେ ଆଡିବନ୍ଧ କରାଗଲା ଅଥଚ ଯେଉଁଠି ଆଡିବନ୍ଧ ନିର୍ମାଣ ହେଲେ ପାଣି ଯିବ ସେଠାରେ କିଛି ନାହିଁ । ଏନେଇ ଜଳସମ୍ପଦ ବିଭାଗ ଠାରୁ ଆରମ୍ଭ କରି ବିଧାୟକଙ୍କ ପର୍ଯ୍ୟନ୍ତ ସବୁଠି ଅଭିଯୋଗ କରିଛୁ କିନ୍ତୁ କିଛି ଫଳ ମିଳୁନାହିଁ ବୋଲି ଯଦୁମଣୀ ଦାସ, ବାବନ ବେହେରା, ବସନ୍ତ ଦାସ, ସୁରେନ୍ଦ୍ର ସେଠୀ, କାଳନ୍ଦି ଦାସ, ପ୍ରଦୀପ ବେହେରା, ପୁର୍ଣ୍ଣ ଚନ୍ଦ୍ର ରାଉଳ, ଗୌରାଙ୍ଗ କବି, ରତ୍ନାକର ଜେନା, ରତ୍ନାକର ସ୍ୱାଇଁ, ଉମାକାନ୍ତ ବଳ, ରତ୍ନାକର ସା, ରମାକାନ୍ତ ସ୍ୱାଇଁ, ମଙ୍ଗୁଳି ଚରଣ ଦାସ, ଜଗନ୍ନାଥ ପଣ୍ଡା, ପ୍ରମୁଖ ଚାଷୀମାନେ ଅଭିଯୋଗ କରିଛନ୍ତି । ଜଳସମ୍ପଦ ବିଭାଗର ଫ୍ଲଡ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଏଠାରେ ଆଡିବନ୍ଧ ନିର୍ମାଣ କରିବାକୁ ଦାବି କରିଛନ୍ତି ।