Odiapua.com

ଶୁଣିଲାନି ପ୍ରଶାସନ – ନିଜ ପାଇଁ ନିଜେ ରାସ୍ତା ତିଆରି କରି ଉଦାହରଣ ସୃଷ୍ଟି କଲେ ଗାଁ ଲୋକେ

ରାଇରଙ୍ଗପୁର : (ଓଡ଼ିଆ ପୁଅ/ଏସକେ ସାଦ୍ଦାମ) ରାସ୍ତା ଖଣ୍ଡିଏ ପାଇଁ ଗୁହାରି କରି କରି ଥକି ଯାଇଥିଲେ ଗାଁ ଲୋକେ। ଶେଷରେ ପ୍ରଶାସନ ଉପରୁ ତୁଟିଗଲା ଭରସା। ରାସ୍ତା ପାଇଁ ବର୍ଷା ଦିନେ ହସ୍ତସନ୍ତ ହେବା ପରେ ଏକାଠି ହେଲେ ଗାଁ ଲୋକ। ଆଉ ହାତକୁ ହାତ ମିଳାଇ ମରାମତି କଲେ ଗାଁ ରାସ୍ତା। ମୟୁରଭଂଜ ଜିଲ୍ଲା କୁସୁମୀ ବ୍ଲକ ଚୁଆପାଣି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଚିତ୍ର।

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଚୁଆପାଣି ଗାଁ। ଗାଁ ରେ ନଥିଲା ଭଲ ରାସ୍ତା। ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଜମା ହେଉଥିବା ବେଳେ ବର୍ଷ ତମାମ କାଦୁଅ ପଚ ପଚ। ପ୍ରତିଦିନ ପ୍ରାୟ ହଜାର ହଜାର ଲୋକ ଏହି ରାସ୍ତା ଦେଇ ଯାତାୟାତ କରୁଥିଲେ। ଭଲ ରାସ୍ତା ନଥିବାରୁ ଯିବା ଆସିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ଲୋକେ। ଥରେ କି ଦୁଇ ଥର ନୁହଁ ୨୫୦ ମିଟର ରାସ୍ତା ତିଆରି ପାଇଁ ୨୫୦ ଥର ପ୍ରଶାସନ ନିକଟରେ ଗୁହାରି କରିଥିଲେ ଗ୍ରାମବାସୀ। ହେଲେ କୌଣସି ଫଳ ମିଳିନଥିଲା। ମିଳୁଥିଲା କେବଳ ପ୍ରତିଶ୍ରୁତି। ଶେଷରେ ଗାଁ ର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ। ଚାନ୍ଦା ଆଦାୟ କରି ଟ୍ରାକ୍ଟରରେ ମୋରାମ ଆଣି ନିଜେ ଶ୍ରମ ଦାନ କରି ଗାଁ ପାଇଁ ରାସ୍ତା ତିଆରି କରି ଉଦାହରଣ ସୃଷ୍ଟି କରିଛନ୍ତି ଗାଁ ଲୋକେ।