ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଳୟଙ୍କରୀ ବାତ୍ୟା ‘ୟସ୍’ ର ପ୍ରଭାବ ଭଦ୍ରକ ଭଳି ଉପକୂଳ ଜିଲାରେ ଅଧିକ କ୍ଷତି କରାଇବାର ଆଶଙ୍କା ରହିଛି । ଏଥିରେ ଜିଲାର କୃଷକମାନେ ଅଧିକ ମାତ୍ରାରେ ପ୍ରଭାବିତ ହେବେ । ଏହାକୁ ଦୃଷ୍ଟିରେ ରଖି ଶୁକମୁନି କୃଷକ ସଂଘର ଆବାହକ ମନୋଜ କୁମାର ଯତି ଏବଂ ସଭାପତି ନୀଳାମ୍ବର ଲେଙ୍କାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପରସିଙ୍ଗା ପଂଚାୟତର କୃଷକମାନଙ୍କ କୃଷି କ୍ଷେତ୍ର ପରିଦର୍ଶନ କରିଛନ୍ତି । ଏବଂ କିଭଳି ଭାବେ ସେମାନଙ୍କର କୃଷି କ୍ଷେତ୍ରକୁ ‘ୟସ୍’ ଭଳି ବାତ୍ୟା କବଳରୁ ରକ୍ଷା କରାଯାଇପାରିବ, ସେ ବିଷୟରେ ଆଲୋଚନା କରିବା ସହ ଯୋଜନା ପ୍ରସ୍ତୁତ କରିଛନ୍ତି । ଉକ୍ତ ଅଂଚଳର ଅଲେଖ ଚନ୍ଦ୍ର ଦାସ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ବିନୟ ବେହେରା, ହରିହର ଯତି, ପ୍ରକାଶ ଜେନା, ଧୀର ଦାସ ପ୍ରମୁଖ ଉକ୍ତ ପ୍ରତିନିଧି ଦଳରେ ସାମିଲ ହୋଇ ଚାଷୀମାନଙ୍କ ମନୋବଳ ବୃଦ୍ଧି କରିବା ସହ ବାତ୍ୟାର କିଭଳି ସଫଳ ମୁକାବିଲା କରାଯାଇପାରିବ, ସେଥିପ୍ରତି ଦୃଷ୍ଟି ଦେଇଥିଲେ ।