Odiapua.com

ଶୀତଳପୁର ଗାଁରେ ସାଳନ୍ଦୀନଦୀକୁ ଧସିଲା ଶହେଫୁଟର ପଥର ନଦୀବନ୍ଧ, କୁମ୍ଭୀର ଭୟରେ ନଦୀପଠାରେ ଜାଲ ଘେରାଇଲେ ଗାଁ ଲୋକ

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକ୍ ଆରଡି ପଂଚାୟତ ଅଧୀନସ୍ଥ ଶୀତଳପୁର ଗାଁ ନିକଟରେ ଗତ କିଛିବର୍ଷ ହେବ ସାଳନ୍ଦୀ ନଦୀ ତାର ଗତିପଥ ବଦଳାଇବାରୁ ଗାଁକୁ ସୁରକ୍ଷା ଦେଉଥିବା ନଦୀବନ୍ଧ କ୍ରମଶଃ ନଦୀରେ ଲିନ୍ନ ହୋଇଯାଇଥିଲା । ଏପରିକି ନଦୀକୂଳିଆଙ୍କୁ ସୁରକ୍ଷା ଦେବା ଲାଗି ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ନଦୀକଡରେ ବାଲିବସ୍ତା ଓ ବଲା ପ୍ୟାକିଂ କରାଯାଇଥିଲା । ହେଲେ ଉକ୍ତ ଅସ୍ଥାୟୀ ବନ୍ଧ ବନ୍ୟା ଓ ଜୁଆରପାଣିରେ ଧୋଇଯିବାରୁ ଏବେ ସ୍ଥାୟୀ ଭାବେ ପଥର ପ୍ୟାକିଂ କରାଯାଉଥିଲା । ହେଲେ ଜଳସେଚନ ବିଭାଗର ନିମ୍ନମାନର କାମ ଯୋଗୁଁ କାର୍ଯ୍ୟରତ ପଥର ପ୍ୟାକିଂ ନଦୀବନ୍ଧ ପାଖାପାଖି ଶହେଫୁଟ ନଦୀକୁ ଧସିଯିବା ସହ ବନ୍ଧର ଅନେକ ସ୍ଥାନରେ ବଡବଡ ଫାଟ ସୃଷ୍ଟି ହୋଇଛି । ଆଜି ସକାଳୁ ନଦୀରେ ଜୁଆର ଆସିଥିବାରୁ ନଦୀବନ୍ଧରୁ ବଡ ବଡ ଅତଡାଖଣ୍ଡ ଧସିବାରେ ଲାଗିଛି । ଏପରି ଘଟଣାକୁ ନେଇ ଗାଁ ଲୋକ ଆତଙ୍କିତ ହୋଇପଡିଥିବା ବେଳେ ନଦୀପଠାକୁ ଲାଗି ରହିଥିବା ବାବାଜୀ ପରିଡା, ପଦ୍ମଲୋଚନ ପରିଡାଙ୍କ ସହ ୫ ଟି ପରିବାରଙ୍କର ବାପ, ଗୋସାପ ଅମଳ ବାସଗୃହର ଝାଟିମାଟି କାନ୍ଥରେ ଫାଟ ଦେଖାଦେଇଛି । ଏଥିସହ ବଡ ବଡ ନଡିଆଗଛ ଓ ତାଳଗଛ ନଦୀକୁ ଢଳି ରହିଛି । ଉକ୍ତ ରାସ୍ତା ଗାଁର ବିଦ୍ୟାଳୟକୁ ସଂଯୋଗ କରୁଥିବାରୁ ଗାଁର ସମସ୍ତ ପିଲା ଏହି ରାସ୍ତା ଦେଇ ଯାଆଆସ କରିଥାନ୍ତି । ନଦୀବନ୍ଧ ଧସୁଥିବାରୁ ଛାତ୍ରଛାତ୍ରୀ ବିଦ୍ୟାଳୟ ଯିବା ନେଇ ଗାଁ ଲୋକଙ୍କ ମନରେ ଆଶଙ୍କା ଦେଖା ଦେଇଛି । ବିଶେଷକରି ନଦୀରେ ବଡ ବଡ ହିଂସ୍ର କୁମ୍ଭୀର ସନ୍ତରଣ କରୁଥିବାବେଳେ ଅନେକ ସମୟରେ ନଦୀବନ୍ଧରେ ଶୋଇ ରହନ୍ତି । ଏବେ ନଦୀକୁ ପଥରବନ୍ଧ ଧସିଯାଇଥିବାରୁ କୁମ୍ଭୀର ବନ୍ଧ ଉପରକୁ ଆସିବାର ସମ୍ଭାବନା ଥିବାରୁ ଗାଁ ଲୋକ ଜାଲ ଘେରାଇଛନ୍ତି । ଏପରି ଘଟଣା ବାବଦରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କିଶୋର ଦାସଙ୍କୁ ପଚାରିବାରୁ ସାଳନ୍ଦୀ ନଦୀବନ୍ଧର ଶୀତଳପୁର ଗାଁ ନିକଟରେ ସ୍ଥାୟୀ ମରାମତି ଚାଲିଛି । ସେହି ଅଂଚଳ ଅତି ଖାଲୁଆ ହୋଇଥିବାରୁ ପଥର ସବୁ ନଦୀ ମଧ୍ୟକୁ ଚାଲିଯାଉଛି । ସ୍ପର ପଡିବା ଯାଏଁ ଏପରି ସମସ୍ୟା ଦେଖାଦେବ ।