Odiapua.com

ଶିଶୁ ଶ୍ରମିକ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ବୈଠକ

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମସିହା ସୁଦ୍ଧା ଓଡ଼ିଶାକୁ ଶିଶୁ ଶ୍ରମିକ ମୁକ୍ତ ରାଜ୍ୟ ଭାବେ ଘୋଷଣା କରାଯିବା ନେଇ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ତରଫରୁ ସେ ଦିଗରେ ତତ୍ପରତା ପ୍ରକାଶ ପାଇଛି। ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସାଳନ୍ଦୀ ସଭାଗୃହରେ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶ୍ରମ ଅଧିକାରୀ ସଚ୍ଚିଦାନନ୍ଦ ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ସୁଦର୍ଶନ ବାରିକ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଚାଇଲଡ଼୍ ଲାଇନ୍ ନିର୍ଦ୍ଦେଶିକା ସୋଫିଆ ସେକ୍‌, ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ଏ.ଡ଼ି.ଏମ୍‌.ଓ. ଡା.ଏସ୍‌.କେ ପୃଷ୍ଟି ଜିଲ୍ଲା ମଙ୍ଗଳ ଅଧିକାରୀ ଜୟନ୍ତ କୁମାର ଜେନା ପ୍ରମୁଖଙ୍କ ସହ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ। ଶିଶୁ ଶ୍ରମିକ ନିଷେଧ ଆଇନ୍ ଅନୁଯାୟୀ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁକୁ କୌଣସି ମାଲିକ କି ନିଜ ପରିବାର କୌଣସି ପ୍ରକାର ଶ୍ରମରେ ନିଯୁକ୍ତ କରିପାରିବେ ନାହିଁ। ୧୪ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୧୮ ବର୍ଷରୁ କମ୍ ବୟସର କିଶୋର ମାନେ ଜୀବନ ପ୍ରତି ବିପଦ ସଙ୍କୁଳ ନ ଥିବା ଶ୍ରମରେ ନିୟୋଜିତ ହୋଇପାରିବେ। ମାତ୍ର ଏବେ ବି ଇଟାଭାଟି, ନିର୍ମାଣ କାର୍ଯ୍ୟ, ଢ଼ାବା, ଦୋକାନ, ହୋଟେଲ, ଗ୍ୟାରେଜ୍ ଆଦି ଜାଗାରେ ଶିଶୁ ଶ୍ରମିକ କାର୍ଯ୍ୟ କରୁଥିବା ଘଟଣାକୁ ଟାସ୍କଫୋର୍ସ ଦ୍ୱାରା ଚଢ଼ଉରେ ଉଦ୍ଧାରକାର୍ଯ୍ୟ ପ୍ରମାଣିତ କରୁଛି। କେବଳ ଧରପଗଡ଼ ଦ୍ୱାରା ଯେ ଶିଶୁ ଶ୍ରମିକ ପ୍ରଥାର ବିଲୋପ ହୋଇପାରିବ ତାହା ନୁହେଁ ବରଂ ଶିଶୁ ଶ୍ରମିକ ହେବାର ମୂଳକାରଣର ପ୍ରତିକାର ଆବଶ୍ୟକ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଥିଲେ। ଦାରିଦ୍ର‌୍ୟତା ହିଁ ଶିଶୁ ଶ୍ରମିକର ମୂଳକାରଣ ବୋଲି ବୈଠକର ମତ ପ୍ରକାଶ ପାଇଥିଲା।

ଅଧାରୁ ପାଠ ଛାଡ଼ୁଥିବା ପିଲାମାନେ ହିଁ ଶିଶୁ ଶ୍ରମିକ ହେଉଛନ୍ତି। ପିତାମାତା, ଅଭିଭାବକ ମାନଙ୍କ ଠାରେ ଶିକ୍ଷା ସଚେତନତାର ଅଭାବ ଯୋଗୁଁ ମଧ୍ୟ ଅନେକ ପିଲା ଶ୍ରମିକ ହେଉଛନ୍ତି। ନିଶାସନ୍ତ କାରଣ ଯୋଗୁଁ ମଧ୍ୟ କେତେକ ପିଲା ଶିଶୁ ଶ୍ରମିକ ହେଉଛନ୍ତି। ଶିଶୁମାନେ ହିଁ ସମାଜର ଭବିଷ୍ୟତ, ସେମାନଙ୍କୁ ଏପରି ଅବାଟରେ ଯିବାକୁ ଛାଡ଼ି ଦିଆଗଲେ ସମାଜର ପ୍ରଭୁତ କ୍ଷତି ସାଧନ ହେବ। ଶିଶୁ ଶ୍ରମିକ ମୁକ୍ତ ଭଦ୍ରକ ପାଇଁ ସଂପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ, ଶିଶୁ ମଙ୍ଗଳ କମିଟି, ଚାଇଲଡ଼୍ ଲାଇନ୍ ଆଦିଙ୍କ ସାମୂହିକ ଉଦ୍ୟମ ଓ ସମନ୍ୱୟର ଆବଶ୍ୟକ ଅଛି। ଅଚାନକ ଧରପଗଡ଼, ସେଚେତନତା, ଶିଶୁ ଶ୍ରମିକ ହେଉଥିବା ଆର୍ଥିକ ଅନଗ୍ରସର ପରିବାର ଗୁଡ଼ିକୁ ଚିହ୍ନଟ କରାଯିବା, ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କୁ ପୁଣି ଶିକ୍ଷାକ୍ଷେତ୍ରକୁ ଫେରାଇ ଆଣିବା ଦିଗରେ ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା। ବିଶେଷ କରି ଶିଶୁ ଶ୍ରମିକ ମାନଙ୍କୁ ନିଯୁକ୍ତି ଦେଉଥିବା ମାଲିକ ମାନଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା ରହୁ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ କାନ୍ଥଚିତ୍ର, ପୋଷ୍ଟର, ପଥପ୍ରାନ୍ତ ନାଟକ ଆଦି ପାଇଁ ଶ୍ରୀଯୁକ୍ତ ବାରିକ ମତ ଦେଇଥିଲେ। ବିଦ୍ୟାଳୟ ମାନଙ୍କରେ ପିଲାମାନଙ୍କୁ ଶ୍ରେଣୀ ଗୃହରେ ଏ ବାବଦ ୧୦ରୁ ୧୫ ମିନିଟ୍ ନୈତିକ ଶିକ୍ଷା ପ୍ରଦାନ କରିବାକୁ ପଦକ୍ଷେପ ନେବାପାଇଁ ଅତିରିକ୍ତ ଜିଲ୍ଲାପାଳ ବି.ଇ.ଓ. ଙ୍କୁ ପରାମର୍ଶ ପ୍ରଦାନ କରିଥିଲେ। ୧୪ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ସ୍କୁଲରେ ମାଗଣାରେ ନାମଲେଖା, ବହିପତ୍ର ସୁବିଧା ଉପଲବଧ୍ ହେବା, ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କପାଇଁ ମାଗଣାରେ ଥିବା ହଷ୍ଟେଲ ବ୍ୟବସ୍ଥା ଆଦି ସମ୍ବନ୍ଧରେ ମଧ୍ୟ ବୈଠକରେ ସୂଚନା ଦିଆଯାଇଥିଲା। ଶିଶୁ ଶ୍ରମିକ ନିଷେଧ ସଚେତନତା ଉଦ୍ଦେଶ୍ୟରେ ଗତ ମଇ ୩୧ ତାରିଖ ଦିନ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ କରାଯିବା ସହିତ ତା.୪.୬.୨୦୨୨ ରିଖରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରାର ଆୟୋଜନ କରାଯାଇଥିଲା।