Odiapua.com

‘ଶିଶୁ ଯୌନ ନିର୍ଯାତନା ମାମଲା ପରିଚାଳନା ସମ୍ପର୍କିତ କର୍ମଶାଳା

ବାଲେଶ୍ୱର, ୨୮ା୨(ଓଡ଼ିଆ ପୁଅ/ଅଭୟ ଦାସ): ସ୍ୱେଚ୍ଛାସେବୀ ସଂଗଠନ ‘ଏନଏସିଜି ଇଭାକ’, ‘ୱାର୍ଲଡ ଭିଜନ ଇଣ୍ଡିଆ’ ଓ ‘ପିକକ’ର ମିଳିତ ଆନୁକୂଲ୍ୟରେ ଶିଶୁ ଯୌନ ନିର୍ଯାତନା ପରିଚାଳନାରେ ଗଣମାଧ୍ୟମର ଦାୟିତ୍ୱବୋଧ ଶୀର୍ଷକ ଏକ ଜାତୀୟ ସ୍ତରୀୟ କର୍ମଶାଳା ରବିବାର ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁ ଯୌନ ନିର୍ଯାତନା ରୋକିବା ଓ ଏହି ସମ୍ପର୍କିତ ମାମଲା ପରିଚାଳନା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ନୀତିଗତ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଏଭଳି ସ୍ୱର୍ଶକାତର ଘଟଣାରେ ସମ୍ବାଦ ସଂଗ୍ରହ ବେଳେ ସାମ୍ବାଦିକ ତଥା ଗଣମାଧ୍ୟମ ପ୍ରତିନିଧିମାନେ ଲକ୍ଷ୍ମଣରେଖା ମଧ୍ୟରେ ରହିବା ଉଚିତ ବୋଲି ଏଡିଏମ ଶ୍ରୀ ନାୟକ ମତ ପ୍ରକାଶ କରିଥିଲେ। ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁ ଓ ପୋକ୍ସୋ କୋର୍ଟର ସ୍ପେଶାଲ ପିପି ପ୍ରଣବ କୁମାର ପଣ୍ଡା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁ ଯୌନ ନିର୍ଯାତନା ରୋକିବା ଓ ପୋକ୍ସୋ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ରିପୋର୍ଟିଂ ସମୟରେ ପୀଡ଼ିତା ପ୍ରତି ସମ୍ବେଦନଶୀଳ ହୋଇ ଖବର ସଂଗ୍ରହ ଉପରେ ଅତିଥିମାନ ଗୁରୁତ୍ୱାରୋପ କରିଥିଲେ। ପୂର୍ବରୁ ନିର୍ଯାତନାର ଶିକାର ହୋଇଥିବା ଶିଶୁଟି ସାମ୍ବାଦିକଙ୍କ ପ୍ରଶ୍ନରେ ଅଧିକ କଷ୍ଟ ଅନୁଭବ ନ କରୁ ବୋଲି ସେମାନେ ମତ ଦେଇଥିଲେ। ଏହି ଅବସରରେ ମଞ୍ଚାସୀନ ଅତିଥିଙ୍କ ସମେତ ସେଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନେ ଶିଶୁ ଯୌନ ନିର୍ଯାତନା ରୋକିବାକୁ ଶପଥ ପାଠ କରିଥିଲେ। ସାମାଜିକ କର୍ମୀ ଉବାଚକ ମହାନ୍ତି ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଓଜେୟୁ ସାମ୍ବାଦିକ ସଂଗଠନର ସଭାପତି ଗଙ୍ଗାଧର ରାଉତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ପ୍ରତିନିଧିଙ୍କ ସମେତ ବହୁ ସାମ୍ବାଦିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।