Odiapua.com

ଶିଶୁ ମନ୍ଦିର ଆଦର୍ଶବାନ ଓ ରାଷ୍ଟ୍ର ପ୍ରେମ ଛାତ୍ର ଗଢ଼େ

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଆଗରପଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶନିବାର ସନ୍ଧ୍ୟାରେ ପାଳନ କରିଛି ତାର ୨୩ ତମ ବାର୍ଷିକ ଉତ୍ସବ । ଏ ନେଇ ଆୟୋଜିତ ପୁରଷ୍କାର ଓ ସାଂସ୍କୃତିକ ସଭାକୁ ପରିଚାଳନା ସମିତିର ସଭାପତି ଭାଗବତ ପ୍ରସାଦ ପଣ୍ଡା ସଞ୍ଚାଳନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱରର ବିଶିଷ୍ଠ ସମାଜସେବୀ ତଥା ସଂସ୍କୃତି ପ୍ରେମି ମଣିଷ ଶଶି କୁମାର ସାହୁ ଯୋଗ ଦେଇ କହିଲେ, ଶୃଙ୍ଖଳିତ,ଆଦର୍ଶବାନ ତଥା ରାଷ୍ଟ୍ର ପ୍ରେମ ରଖୁଥିବା ଛାତ୍ର ତିଆରି କରିବାରେ ଶିଶୁ ମନ୍ଦିର ଅନ୍ୟତମ,ଏଠାକାର ଶିକ୍ଷାଦାନ ପଦ୍ଧତି ସନାତନ ଧର୍ମ ସହ ଜଡିତ ହୋଇଥିବା ବେଳେ ଏଠାରୁ ଅଧ୍ୟୟନରତ ଛାତ୍ରଛାତ୍ରୀ ସଂସ୍କାରି ଓ ବିଭିନ୍ନ ଗୁଣର ଅଧିକାରୀ ହୋଇଥାନ୍ତି । ମୁଖ୍ୟବକ୍ତା ପୂର୍ବୋତ୍ତର ସମ୍ଭାଗ ଶିକ୍ଷା ବିକାଶ ସମିତିର ସଭାପତି ଅମୂଲ୍ୟ ପ୍ରସାଦ ନାୟକ କହିଲେ, ଆମେ ସବୁ ଭାରତ ମାଆ ର ସନ୍ତାନ ଭଲ ପାଠ ପଢି ବଡ଼ ମଣିଷ ହେବା ସହ ତାର ସୁରକ୍ଷା ଓ ଟେକ ରଖିବା ଆମର ଧର୍ମ ହେବା ଉଚିତ୍ । ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ରାଜ କିଶୋର ଦାସ ସ୍ୱାଗତ ଅଭିଭାଷଣ ଓ ବିବରଣୀ ପାଠ କରିଥିବା ବେଳେ ସମ୍ପାଦକ ଅଶୋକ କୁମାର ପରିଡ଼ା ଅତିଥି ପରିଚୟ ରଖିଥେôଲ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ସିଂହ ଏବଂ ସମାଜ ସେବୀ ଅନିରୁଦ୍ଧ ସିଂହ ଙ୍କୁ କରସେବକ ସମ୍ମାନ ପ୍ରଦାନ କରାଯାଇ ଥିଲାବେଳେ ଗୁରୁଜି ଗୁରୁମା ଓ ବରିଷ୍ଠ ନାଗରିକ ଗୋବିନ୍ଦ ଦାସ ଏବଂ କମଳା ଓଝା ଙ୍କୁ ସମର୍ଦ୍ଧନା ଦିଆଯାଇଥିଲା । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ସମେତ ପଠାଣିସାମନ୍ତ ମେଧାବୃତ୍ତି, ଗୀତା ପାଠ ଆଦିର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଉପ-ସଭାପତି ଚିତ୍ତରଞନ ଉଦ୍‌ଗାତା ଧନ୍ୟବାଦ ଅର୍ପଣ କରିଥିଲେ । ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।