Odiapua.com

ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ମହକ ଅନୁଷ୍ଠିତ, ଶିଶୁ ପ୍ରତିଭାର ବିକାଶ ହୋଇପାରିଲେ ଆଗକୁ ବଢ଼ିବେ

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସଂସ୍କୃତିଭବନ, ଭଦ୍ରକ ପରିସରରେ ଶିଶୁମାନଙ୍କ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ‘ମହକ’ ୨୩ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ଶିଶୁ ପ୍ରତିଭା କାର୍ଯ୍ୟକ୍ରମ ‘ମହକ’ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ମୁଖ୍ୟ ଅତିଥି ରୂପେ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ଶିଶୁ ମଂଗଳ କମିଟି ଅଧ୍ୟକ୍ଷ ଡା. ଦେବରାଜ ପାଣିଗ୍ରାହୀ, ଜିଲ୍ଲା ସମାଜ ମଂଗଳ ଅଧିକାରିଣୀ ପୁଷ୍ପଲତା ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ପ୍ରମୂଖ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଶିଶୁ ମାନଙ୍କ ପ୍ରତିଭାର ବିକାଶ ହୋଇପାରିଲେ ସେମାନେ ଆଗକୁ ବଢ଼ିବେ ବୋଲି ମତ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରେ ଥିବା ନଅଗୋଟି ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ପିଲାମାନଙ୍କ ମଧ୍ୟରେ ବକ୍ତୃତା, ସଂଗୀତ, ବୁଦ୍ଧିପରୀକ୍ଷା, ଚିତ୍ରାଙ୍କନ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଦକ୍ଷ ବିଚାରକ ମାନଙ୍କ ଦ୍ୱାରା ମୂଳ୍ୟାଙ୍କନ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ଉଦ୍‌ଯାପନ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଥିଲା । ଉଦ୍‌ଯାପନ ପର୍ବରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି, ଡେପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳ ଯୋଗଦାନ କରି ଶିଶୁ ମାନଙ୍କର କୃତୀତ୍ୱ କୁ ଭୂରିଭୂରି ପ୍ରଶଂସା କରିବା ସହ ତାଙ୍କ ସୁପ୍ତ ପ୍ରତିଭାର ବିକାଶ ପାଇଁ ପ୍ରେରଣା ଦେଇଥିଲେ । ଏହି ମହକ ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଶିଶୁମଂଗଳ କମିଟିର ସଦସ୍ୟ ମୌସୁମୀ ମାଇତି, ନବୀନଚନ୍ଦ୍ର ସାହୁ, ଭାରତୀ ଦାଶ, ଅମର ବାରିକ ସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଅନୁଷ୍ଠାନିକ ଅଧିକାରୀ ବିଶ୍ୱନାରାୟଣ ପଣ୍ଡାଙ୍କ ସଂଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ୟୁନିଟ୍‌ର ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ମଞ୍ଚ ପରିଚାଳନା କରିଥିଲେ । ଅଣ ଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକ୍‌, ମହେଶ ଚନ୍ଦ୍ର ଦାଶ, ଦମୟନ୍ତୀ ଦାଶ, ଧୀରଜ ବାରିକ, ସୁଦର୍ଶନ ଶୁଦ୍ରା, ଚିନ୍ମୟ ପଣ୍ଡା ସମେତ ଶିଶୁ ଅନୁଷ୍ଠାନର ଧନଞ୍ଜୟ ଜେନା, ମନୋଜ ସାହୁ, ବିଜୟ ଜେନା, ଦେବସ୍ମିତା ମହାନ୍ତି, ନିବେଦିତା ଲେଙ୍କା, ସସ୍ମିତା ନାୟକ, ଜ୍ୟୋତିପ୍ରକାଶ ପତି, ପ୍ରଭାସ ବାରିକ, ରିୟାଜ ଅହମ୍ମଦ, ତଥାଗତ ଜେନା, ଆକାଶ ପୁଷ୍ଟି, ଲିପିକା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସମସ୍ତ କୃତୀ ପ୍ରତିଯୋଗୀ, ବିଚାରକ ସମେତ ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗ ପାଇଁ ପରିଶେଷରେ ଅନୁଷ୍ଠାନିକ ଅଧିକାରୀ ବିଶ୍ୱନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।