Odiapua.com

ଶିଶୁ ପାଇଁ ଦିନଟିଏ, ୨୧ ଗ୍ରାମ ଓ ୧ ଗ୍ରା.ପ. ବାଲ୍ୟ ବିବାହ ମୁକ୍ତ

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାରେ ଶିଶୁ ମାନଙ୍କ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରଣୀତ ସରକାରୀ ଯୋଜନା, ନୀତି, ନିୟମ, ସବୁର କାର୍ଯ୍ୟକାରୀତା, ସଫଳତା, ବାଧକ ଆଦି ଉପରେ ସମୀକ୍ଷା କରାଯିବା ନେଇ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ତ୍ରୈମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧାଂଶୁ ଶେଖର ବଳ, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଦେବରାଜ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ଓ ଜିଲ୍ଳା ବାଲ୍ୟବିବାହ ନିଷେଧ ସଂଯୋଜକ ପ୍ରଦ୍ୟୁତ ରଞ୍ଜନ ରାଉତଙ୍କ ଦ୍ୱାରା ତଥ୍ୟ ଉପସ୍ଥାପନ ଆଧାରରେ ଆଲୋଚନା ମତେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ବିଶେଷ କରି ୨୦୩୦ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଘୋଷଣା ପାଇଁ ସରକାରଙ୍କ ଆଭିମୁଖ୍ୟ ଆଧାରରେ ଭଦ୍ରକ ଜିଲ୍ଲାରେ ଅଦ୍ୟାବଧି ଭଦ୍ରକ ବ୍ଲକ୍‌ର କେବଳ ଓଲଙ୍ଗ ଗ୍ରାମପଂଚାୟତକୁ ଏବଂ ଭଦ୍ରକ, ଚାନ୍ଦବାଲି, ବନ୍ତବ୍ଲକ୍ ମିଶି ସମୁଦାୟ ୨୧ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଥିବା ନେଇ ଏ ଦିଗରେ ଆଗକୁ ଏ ସଂଖ୍ୟା ବୁଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ଓ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ସୂଚନା ଯୋଗ୍ୟ କି ବିଗତ ଦୁଇ ବର୍ଷ ଧରି ବାଲ୍ୟ ବିବାହ ଆଦୌ ହୋଇନଥିବା, ୬୦% ଅଦ୍ୱିକା ଅଧିବେଶନ ହୋଇଥିବା ଏବଂ ବାଲ୍ୟ ବିବାହ ନିଷେଦ୍ଧ ନେଇ ଗ୍ରାମ ଓ ଗ୍ରାମପଂଚାୟତ ସ୍ତରୀୟ କମିଟି କାର୍ଯ୍ୟକ୍ଷମ ଥିବା ଆଧାରରେ ବାଲ୍ୟ ବିବାହମୁକ୍ତ ଗ୍ରାମପଂଚାୟତ ବା ଗ୍ରାମ ଘୋଷଣା କରାଯାଇଥାଏ। ପ୍ରକାଶ ଥାଉକି ଜୁଲାଇ ୨୪ ରୁ ନଭେମ୍ବର ୨୪ ମଧ୍ୟରେ ଜିଲ୍ଲାରେ ସମୁଦାୟ ୧୩ଟି ବାଲ୍ୟବିବାହ ନଜରକୁ ଆସିଥିଲା ବେଳେ ୭ଟି କୁ ବନ୍ଦ କରାଯାଇଥିଲା।୬ ଟି କୁ ବନ୍ଦ କରାଯାଇ ପାରି ନଥିଲା। ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ୫ଟି ଏବଂ ଥାନାରେ ୫ଟି କେଶ୍‌ର ଏଫ୍‌.ଆଇ.ଆର୍ ଦିଆଯାଇଥିଲା। ୨ଟି କେଶ୍ କୋର୍ଟକୁ ପ୍ରଦାନ କରାଯାଇଛି। କିଶୋର କିଶୋରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଜୀବିକା ଦକ୍ଷତା ଶିକ୍ଷା କାର୍ଯ୍ୟକ୍ରମ ଅଦ୍ୱିକା ଜିଲ୍ଲାର ସମସ୍ତ ୨୪୩୫ ଅଙ୍ଗନବାଡ଼ିରେ ଅନୁଷ୍ଠିତ ହେଉଛି। ଜିଲ୍ଲାରେ ସମୁଦାୟ ଅଦ୍ୱିକା ସଭ୍ୟ ବାଳିକା ୬୦,୪୮୯ ଏବଂ ବାଳକ ୨୪୦୫୦ ଅଛନ୍ତି। ସେହିପରି ଶିଶୁ ଶ୍ରମିକ, ଶିଶୁ ନିର୍ଯ୍ୟାତନା, ନିଶା ଅଭ୍ୟାସ କବଳିତ ଶିଶୁ, ଶିଶୁ ଭିକ୍ଷୁକ ଆଦି ସମସ୍ୟା ଉପରେ ସମୀକ୍ଷା କରାଯାଇଥିଲା। ତଥ୍ୟାନୁଯାୟୀ ଅଦ୍ୟାବଧି ଜିଲ୍ଲାରେ ଥିବା ୯ଟି ଶିଶୁଯତ୍ନ ଅନୁଷ୍ଠାନରେ ୨୨୩ ବାଳକ ଓ ୫୯ ବାଳିକା ସମୁଦାୟ ୨୮୨ ପିଲା ଆବାସିକ ଭାବେ ରହିଛନ୍ତି। ପୃଷ୍ଠପୋଷକତାରେ ଥିବା ବାଳକ ୨୬ ଓ ବାଳିକା ୩୪ ସମୁଦାୟ ସଂଖ୍ୟା ୬୦। ଆଇ.ଟି.ଆଇ., ଡିପ୍ଲୋମା ଓ ପଲିଟେକ୍‌ନିକ୍‌ରେ ଅଧ୍ୟୟନରତ ଅଛନ୍ତି। ବାଳକ ୨୧ ଓ ବାଳିକା ୫। ସେହିପରି ବିଜୁ ଶିଶୁ ସୁରକ୍ଷା ଅନୁଷ୍ଠାନ ଯୋଜନାରେ ୫୯ ଜଣ ପିଲା ଉପକୃତ ହୋଇଛନ୍ତି। ବିବାହ ଜନିତ ଆର୍ଥିକ ସହାୟତା ୫୦ ହଜାର ଟଙ୍କା ଲେଖାଏଁ ୭ ଜଣ ଅନ୍ତେବାସୀଙ୍କୁ ପ୍ରଦାନ କରାଯାଇଛି। ଶିଶୁ ଉଦ୍ଧାର ତଥ୍ୟାନୁଯାୟୀ ଗତ ନଭେମ୍ବର ମାସରେ ବାଲ୍ୟ ବିବାହରେ ୬ ଜଣ, ଶିଶୁ ଶ୍ରମିକ ୨ ଜଣ, ନିର୍ଯ୍ୟାତିତ ଶିଶୁ ୨ ଜଣ, ନିଖୋଜ ଶିଶୁ ୪ ଜଣ ଭିକ୍ଷୁକ ଶିଶୁ ୪ ଜଣ, ଆର୍ଥିକ ଅନାଟନ ପ୍ରଭାବିତ ଶିଶୁ ୩ ଜଣ ସମୁଦାୟ ୨୧ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି।