Odiapua.com

ଶିଶୁମଙ୍ଗଳ ସମିତି ଦ୍ୱାରା ନିର୍ଯ୍ୟାତିତ ଶିଶୁ ଶ୍ରମିକ ଉଦ୍ଧାର

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ରଣଜିତ ପଞ୍ଚାୟତ ନିଳାଦ୍ରୀ ଗ୍ରାମରୁ ଆଜି ଜଣେ ୧୩ ବର୍ଷର ନିର୍ଯ୍ୟାତିତ ଶିଶୁ ଶ୍ରମିକକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଉଦ୍ଧାର କରି ଭଦ୍ରକ ମୁକ୍ତ ଆଶ୍ରୟସ୍ଥଳ ଆସିଆନାକୁ ହସ୍ତାନ୍ତର କରାଯାଇଛି। ଗ୍ରାମର ସଞ୍ଜୟ ବେହେରା ନାମକ ବ୍ୟକ୍ତି ଦୀର୍ଘ ଦୁଇ ବର୍ଷରୁ ଅଧିଖ ସମୟ ଧରି ବେଠି ଖଟାଇବା, ଛେଳି ଚରାଇବା, ଦୋକାନରେ କୁକୁଡା କାଟି ବିକ୍ରୟ କରାଇବା, ମୁଲ ମଜୁରୀ ଲଗାଇବା ସହ ଶାରୀରିକ ଓ ମାନସିକ ଭାବେ ନିର୍ଯ୍ୟାତନା ଦେଉଥିବା ଜନୈକ ଆଦିବାସୀ ଶିଶୁକୁ ସମିତିର ଜିଲ୍ଲା ଟାସ୍କ ଫୋର୍ସ ଓ ଚାଇଲ୍ଡ ହେଲପ ଲାଇନର କର୍ମଚାରୀମାନେ ସ୍ଥାନୀୟ ପୁଲିସ ସହାୟତାରେ ଉଦ୍ଧାର କରିବାକୁ ସକ୍ଷମ ହୋଇଛନ୍ତି। ଗତ ଜାନୁୟାରୀ ମାସରେ ଶିଶୁର ପିତା ପିତା କେଉଁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳର ଦୀପକ ମୁଣ୍ଡା ପୁତ୍ରକୁ ଉଦ୍ଧାର କରିବାକୁ ଆସି ବିଫଳ ହୋଇଥିଲେ ବୋଲି ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ। ପୁତ୍ରକୁ ଉଦ୍ଧାର କରିବାକୁ ପିତା ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଗୁହାରୀ କରିଥିଲେ। ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିର୍ଦ୍ଦେଶକ ସୁଦର୍ଶନ ବାରିକଙ୍କ ନିର୍ଦ୍ଦେଶ କ୍ରମେ ଆସିଆନା ନିର୍ଦ୍ଦେଶକ ସୋଫିଆ ଶେଖ, ଜିଲ୍ଲା ଟାସ୍କ ଫୋର୍ସର ରତ୍ନାକର ମଲ୍ଲିକ, ସନ୍ତୋଷ କୁମାର ମହାନ୍ତି, ଚାଇଲ୍ଡ ହେଲପ ଲାଇନର ପ୍ରଦୀପ କୁମାର ପଣ୍ଡା ଓ ସ୍ଥାନୀୟ ପୁଲିସ ମିଳିତ ଭାବେ ଦିନ ପ୍ରାୟ ୧୦ଟା ବେଳେ କୁକୁଡା କାଟି ବିକ୍ରୟ କରୁଥିବା ବେଳେ ଉଦ୍ଧାର କରିଥିଲେ। ଉଦ୍ଧାର ଶିଶୁକୁ ଶିଶୁକୁ ନିର୍ଯ୍ୟାତନା ସମ୍ପର୍କରେ ପଚରାଉଚରା କରାଯିବ ଓ ତଥ୍ୟ ମିଳିଲେ ନିର୍ଯ୍ୟାତନାକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ଋଜୁ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିଶୁ ମଙ୍ଗଳ ସମିତି ପକ୍ଷରୁ ସୂଚନା ଦିଆଯାଇଛି।