Odiapua.com

ଶିଶୁଙ୍କ ପାଇଁ ହେବ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତା

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦ, ଭୁବନେଶ୍ୱର ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ଭଦ୍ରକଙ୍କ ମିଳିତ ଆନୁକୂଲ୍ୟରେ ଚଳିତ ଡିସେମ୍ବର ୪ ତାରିଖ ରବିବାର ଦିନ ସରକାରୀ ବାଳିକା ବିଦ୍ୟାଳୟ, ଭଦ୍ରକ ଠାରେ ଶିଶୁ ମାନଙ୍କ ପାଇଁ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସାଧାରଣ ବର୍ଗରେ ୫ ବର୍ଷ ବୟସରୁ ୧୬ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ୩ଟି ବିଭାଗରେ ପ୍ରତିଯୋଗିତା ହେବ। ୫ ରୁ ୮ ବର୍ଷ ପାଇଁ ସବୁଜ, ୯ ରୁ ୧୨ ବର୍ଷ ପାଇଁ ଧଳା, ୧୩ ରୁ ୧୬ ବର୍ଷ ବୟସ ପାଇଁ ନୀଳ ନାମ ରଖାଯାଇଛି। ସେହିପରି ଦିବ୍ୟାଙ୍ଗ ବର୍ଷର ପିଲାଙ୍କ ପାଇଁ ୫ ରୁ ୧୦ ବର୍ଷ ପର୍ଯ୍ୟନ୍ତ ଲାଲ ଓ ୧୧ ରୁ ୧୮ ବର୍ଷ ବୟସ ବର୍ଗକୁ ହଳଦିଆ ନାମକରଣ କରାଯାଇଛି। ବୟସ ଓ ଦିବ୍ୟାଙ୍ଗ ପ୍ରମାଣପତ୍ର ଆଧାରରେ ପିଲାମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। ଏହି ପ୍ରତିଯୋଗିତା ପାଇଁ ସକାଳ ୯ଟାରୁ ନାମ ପଞ୍ଜିକରଣ କରାଯାଇ ଦିବା ଘ୧୦.୩୦ମି. ରୁ ଘ୧୨.୩୦ମି. ପର୍ଯ୍ୟନ୍ତ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ପ୍ରତି ବର୍ଗରୁ ୨ଜଣଙ୍କୁ ଜିଲ୍ଲା ସ୍ତରରେ ପୁରସ୍କୃତ କରାଯିବା ସହିତ ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରତିଯୋଗିତାରେ ସେମାନଙ୍କର ଚିତ୍ରାଙ୍କନକୁ ଅଂଶଗ୍ରହଣ କରିବାର ସୁଯୋଗ ଦିଆଯିବ ଏବଂ ସେଥିରେ କୃତି ପ୍ରତିଯୋଗୀଙ୍କୁ ରାଜ୍ୟ, ଜାତୀୟ ବା ଉଭୟ ସ୍ତରରେ ପୁରସ୍କୃତ କରାଯିବ। ଡ୍ରଇଂ ସିଟ୍ ବ୍ୟତୀତ ଚିତ୍ରାଙ୍କନ ପାଇଁ ଆବଶ୍ୟକ ଅନ୍ୟାନ୍ୟ ଉପକରଣ ପିଲାମାନଙ୍କୁ ସଙ୍ଗରେ ଆଣିବାକୁ ହେବ ବୋଲି ସଂପୃକ୍ତ ବିଭାଗ ତରଫରୁ ଅବଗତ କରାଯାଇଛି।