Odiapua.com

ଶିଶୁଙ୍କୁ ଥଇଥାନ, ସେବା ଓ ସାମାଜିକ ସ୍ରୋତରେ ସାମିଲ ନିମନ୍ତେ ପରାମର୍ଶ

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପରିସରରେ ଶିଶୁଙ୍କୁ ଥଇଥାନ ନିମନ୍ତେ ପରାମର୍ଶ ସେବା, ପରବର୍ତ୍ତୀ ଯତ୍ନ ଓ ସାମାଜିକ ସ୍ରୋତରେ ସାମିଲ ସକାଶେ ଏକ କର୍ମଶାଳା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଭଦ୍ରକ ପକ୍ଷରୁ ସଂଯୋଗ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ କଟକ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ଶିଶୁ ମଂଗଳ କମିଟିର ଅଧ୍ୟକ୍ଷ ଡ଼ା. ଦେବରାଜ ପାଣିଗ୍ରାହୀ, ଡ଼ିଏସ୍‌ପି ପୁଷ୍ପଲତା ବାରିକ, ଜିଲ୍ଲା କର୍ମନିୟୋଜନ ଅଧିକାରିଣୀ ଅନିତା ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ସଂଯୋଗର ଅଧ୍ୟକ୍ଷ ବଟକୃଷ୍ଣ ତ୍ରିପାଠୀ, ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଲଟାସିଂ ପ୍ରମୁଖ ଯୋଗଦାନ କରିଥିଲେ । ଶିଶୁ ସୁରକ୍ଷା ୟୁନିଟ୍‌ର ଆଇନ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସଂଯୋଗର ନିର୍ଦ୍ଦେଶକ ପ୍ରଶାନ୍ତ ପାଲଟାସିଂ କର୍ମଶାଳାର ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ ବିଷୟ ବିଷାରଦ ରୂପେ (ମୁକ୍ତ ପ୍ରଶିକ୍ଷଣ ତାଲିମଦାତା ) ଭୁବନେଶ୍ୱରର ପ୍ରେରଣାଦାୟକ ବକ୍ତା ରାମ କିଶୋର ଶର୍ମା ଶିଶୁମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ରହିଥିବା ସୁବିଧା ସୁଯୋଗ ଓ ନିଯୁକ୍ତି ସମ୍ବନ୍ଧରେ ଆଲୋକପାତ କରିଥିଲେ । ପ୍ରତ୍ୟେକ ଶିଶୁ ସକରାତ୍ମକ ଚିନ୍ତାଶୀଳ ହୋଇ ପରିସ୍ଥିତିକୁ ସାମନା କରି ଲକ୍ଷ୍ୟ ହାସଲ କରି ପାରିବେ ବୋଲି କର୍ମଶାଳାରେ ଶିଶୁମାନଙ୍କୁ ପ୍ରେରଣା ଦେଇଥିଲେ । ଜିଲ୍ଲା କର୍ମନିୟୋଜନ ଅଧିକାରିଣୀ ଶିଶୁମାନଙ୍କୁ ନିରାଶ ନହୋଇ ଲକ୍ଷ୍ୟପଥରେ ଆଗେଇବା ପାଇଁ ପରାମର୍ଶ ଦେଇଥିଲେ ।

ଶିଶୁ ସୁରକ୍ଷା ଅଧିକାରୀ ପିଲାମାନଙ୍କୁ ସର୍ବଦା ଖବରକାଗଜ ପଠନ କରିବା ସହ ବିଭିନ୍ନ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରୁଥିବା ଅନୁଷ୍ଠାନମାନଙ୍କ ସହ ସଂପର୍କ ରଖିବା ପାଇଁ ଅନୁଷ୍ଠାନର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ସମସ୍ତ ଶିଶୁମାନେ ସକରାତ୍ମକ ଭାବନା ରଖି ସାମାଜିକ ସ୍ରୋତରେ ସାମିଲ ହେବା ସହ ବିଭିନ୍ନ କ୍ଷେତ୍ରରେ ଥଇଥାନ ହୋଇପାରିଲେ ଆମ୍ଭର କର୍ମଶାଳା ସଫଳ ହେବ ବୋଲି ଶିଶୁ ମଂଗଳ କମିଟିର ଅଧ୍ୟକ୍ଷ ଡ଼ା. ପାଣିଗ୍ରାହୀ ସମେତ ପ୍ରମୁଖ ବକ୍ତାମାନେ ମତ ପୋଷଣ କରିଥିଲେ । ଏହି ପରିପ୍ରେକ୍ଷୀରେ ସଂଯୋଗର ଅଧ୍ୟକ୍ଷ ଶ୍ରୀ ତ୍ରୀପାଠୀ ପିଲାମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମତବ୍ୟକ୍ତ କରିଥିଲେ । କର୍ମଶାଳାରେ ଶିଶୁ ଅନୁଷ୍ଠାନରେ ରହୁଥିବା ଶିଶୁ ପରବର୍ତ୍ତୀ ଯତ୍ନ ଆବଶ୍ୟକ କରୁଥିବା ଶିଶୁ, ଆଇନସହ ମୁକାବିଲା କରୁଥିବା ଶିଶୁ, ଅଧାରୁ ପାଠପଢ଼ା ଛାଡ଼ିଥିବା ଶିଶୁ, ବୈଷୟିକ ଶିକ୍ଷା, କମ୍ପୁଟର ଶିକ୍ଷାଗ୍ରହଣ କରୁଥିବା ସମସ୍ତ ଶିଶୁ, ଶିଶୁ ଅନୁଷ୍ଠାନର କର୍ମକର୍ତ୍ତା, ଶିଶୁ ମଂଗଳ କମିଟିର ସଦସ୍ୟ ନବୀନ ଚନ୍ଦ୍ର ସାହୁ, ଭାରତୀ ଦାଶ, ଆଇନଜୀବୀ ଅମର ବାରିକ ସମେତ ଅନୁଷ୍ଠାନର ସଂପାଦକ ଅଶୋକ ଦାସ, ଅଧୀକ୍ଷକ ଧନଞ୍ଜୟ ଜେନା, ଜ୍ୟୋତିପ୍ରକାଶ ପତି, ସସ୍ମିତା ନାୟକ, ଦେବସ୍ମିତା ନାୟକ, ନିବେଦିତା ଲେଙ୍କା, ଅରବିନ୍ଦ ସେଠୀ ସମେତ ଶିଶୁ ସୁରକ୍ଷା ବିଭାଗର ସ୍ୱାଗତିକା ବାରିକ, ବିଶ୍ୱ ନାରାୟଣ ପଣ୍ଡା, ଧୀରଜ ବାରିକ, ଦମୟନ୍ତୀ ଦାଶ, ଚିନ୍ମୟ ପଣ୍ଡା ସମେତ ସଂଯୋଗର କର୍ମକର୍ତ୍ତା ରିଙ୍କୁ ବିଶ୍ୱାଳ, ମଣ୍ଡଳ ସଂଯୋଜକ ଜଗନ୍ନାଥ ସାହୁ, ରୂପାଲି ମହାନ୍ତି, ବିକାଶ ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ସଂଯୋଗ ଶିଶୁ ସୁରକ୍ଷା ଶାଖା ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।