Odiapua.com

ଶିଳ୍ପ ପାର୍କ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ବିଶେଷଜ୍ଞ କମିଟି ସଭା ଅନୁଷ୍ଠିତ

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଶିଳ୍ପ ପାର୍କ ପ୍ରକଳ୍ପ ପ୍ରତିଷ୍ଠା ସମ୍ବନ୍ଧରେ ଏକ ବିଶେଷଜ୍ଞ କମିଟିର ସଭା ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦ୍‌ଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶାନ୍ତନୁ କୁମାର ମହାନ୍ତି ସଭାପତିତ୍ୱ କରିଥିଲେ । ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଶ୍ରୀ କାର୍ତ୍ତିକନାଥ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ପ୍ରାକ୍ତନ ପ୍ରାଧ୍ୟାପକ ଶ୍ରୀ ହରେକୃଷ୍ଣ ନାୟକ, ସହାୟକ ପ୍ରଫେସର ଶ୍ରୀ ବଳରାମ ମିଶ୍ର, ଶିଳ୍ପପାର୍କର ଆର୍ଥିିକ, ସାମାଜିକ, ପାରିବେଶିକ ଦିଗ ଉପରେ ନିଜର ମତ ଓ ମନ୍ତବ୍ୟ ରଖିଥିଲେ । କଇଥଖୋଲା ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ବଇରି ରଂଜନ ସାମଲ ପ୍ରଭାବିତ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ୍ ସରବରାହ ସମ୍ବନ୍ଧୀୟ ଉନ୍ନତୀକରଣ, ଭୂମିହରାଙ୍କ ପାଇଁ ରୋଜଗାର ସୁନିଶ୍ଚିତ କରିବା ପାଇଁ ନିଜର ମତ ରଖିଥିଲେ । ସ୍ଥାନୀୟ ଅଞ୍ଚଳରେ ଉପୁଜୁଥିବା ଜଳସଙ୍କଟ ଉପରେ ଆଲୋକପାତ କରିବାର ଉତ୍ତରରେ ଅତିରିକ୍ତ ଜିଲ୍ଲାପାଳ ଯଥାଶୀଘ୍ର ସମାଧାନ କରିବାର ପ୍ରତିଶ୍ରୁତି ରଖିଥିଲେ ।

ଜାଗୁଳା ସରପଞ୍ଚ ଶ୍ରୀ ସୁରେଶ ସେଠୀ, କୈାଶଳ ବିକାଶ ଇତ୍ୟାଦି ଉପରେ ନିଜର ମତ ପ୍ରକାଶ କରିଥିଲେ । ଜିଲ୍ଲା ନିବେଶ ଉନ୍ନତିକରଣ ଏଜେନ୍‌ସି ତରଫରୁ ସୁବ୍ରତ କୁମାର ସ୍ୱାଇଁ ଏବଂ ଓଷ୍ଟା ତରଫରୁ ଶଶିଭୂଷଣ ବେହେରା ଶିଳ୍ପ ପାର୍କ ଯୋଗୁଁ ହେବାକୁ ଥିବା ଆନୁସଙ୍ଗିକ ଉଦ୍ୟୋଗ, ସ୍ୱ-ରୋଜଗାର ଏବଂ ଅନ୍ୟାନ୍ୟ ଲାଭ ବିଷୟରେ ଜନପ୍ରତିନିଧି ମାନଙ୍କୁ ଅବଗତ କରାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ଭାରତର ଦ୍ରୁତ ଶିଳ୍ପାୟନ ଏବଂ ଏଥିରେ ଭଦ୍ରକ ଜିଲ୍ଲାର ସ୍ୱତନ୍ତ୍ର ଭୂମିକା ନେବ ବୋଲି ଆଶା ପ୍ରକାଶ କରିଥିଲେ । ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଶ୍ରୀ ମଣ୍ଡଳ ସଭାରେ ଉପସ୍ଥିତ ଜନ ପ୍ରତିନିଧିଙ୍କ ବିଶେଷଜ୍ଞ କମିଟିର ସଦସ୍ୟଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବା ସହ ପ୍ରସ୍ତାବିତ ଶିଳ୍ପପାର୍କ ଅଂଚଳରେ ଏକ ଜୋନ୍ ଅଫିସ୍ (ଆଂଚଳିକ କାର୍ଯ୍ୟାଳୟ) ପ୍ରତିଷ୍ଠା ସମ୍ବନ୍ଧରେ ସୂଚନା ଦେଇଥିଲେ । ପ୍ରସ୍ତାବିତ ଶିଳ୍ପପାର୍କ ଅଂଚଳରେ ଜଳ, ସ୍ଥଳ, ଆକାଶ ଏବଂ ରେଳପଥରେ ସଂଯୋଗ ଥିବାରୁ ଆଗାମୀ ଦିନରେ ଏହା କେବଳ ଓଡ଼ିଶା ନୁହେଁ ବରଂ ଭାରତର ଏକ ଉନ୍ନତ ଶିଳ୍ପ କେନ୍ଦ୍ରରେ ପରିଣତ ହେବବୋଲି ସାଧାରଣରେ ଗୃହୀତ ହୋଇଗଲା । ଏଦିଗରେ ସ୍ଥାନୀୟ ଜନସାଧାରଣଙ୍କ ଅହେତୁକ ସମର୍ଥନ ଥିବା ପ୍ରତିଫଳିତ ହୋଇଥିଲା । ଉକ୍ତ ସଭା ଉପବିଭାଗ ଅଧିକାରୀ ଶ୍ରୀ ରସିକ ମୋହନ ମହାନ୍ତି ରାଜସ୍ୱ ନିରୀକ୍ଷକ ଶ୍ରୀ ଶ୍ୟାମସୁନ୍ଦର ଜେନା ପରିଚାଳନା କରିଥିଲେ । ଶେଷରେ ସ୍ୱତନ୍ତ୍ର ଭୂଅର୍ଜନ ସେଲର ସହାଧୀନ ଜିଲ୍ଲାପାଳ ଶ୍ରୀ ସୁଧାଂଶୁ ମୋହନ ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ ।