ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଟେକ୍ସଟାଇଲ୍ ପାର୍କ ପାଇଁ ଜମି ଦାବି ଓ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ପ୍ରାଥମିକ ପର୍ଯ୍ୟାୟରେ ଭଦ୍ରକ ବନ୍ଦ ଡାକରା ଦିଆଯାଇଥିଲା । କିନ୍ତୁ ଚଳିତ ବର୍ଷ ଜାନୁଆରୀ ୨୨ ରେ ଚାନ୍ଦବାଲିରେ ହେଉଥିବା ଜିଲା ଯୋଜନା ବୋର୍ଡ ବୈଠକରେ ଜିଲାପାଳ ଜ୍ଞାନ ଦାସ ଘୋଷଣା କଲେ ଧାମନଗର ଛକରେ ୭୦ ଏକର ଜାଗାରେ ଟେକ୍ସଟାଇଲ୍ ପାର୍କ ହେବାକୁ ଯାଉଛି । ଧାମରାରେ ଆଉ ଏକ ଟେକ୍ସଟାଇଲ୍ ପାର୍କ ହେବାକୁ ଜମି ଖୋଜା ଚାଲିଛି । ଆଗାମୀ ବର୍ଷ ନିର୍ବାଚନ ବର୍ଷ ହୋଇଥିବାରୁ ଭଦ୍ରକ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଓ ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ଆନ୍ଦୋଳନ ବ୍ୟାପିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଶିଳ୍ପ ବିହୀନ ଏହି ଜିଲାରେ କାହିଁକି ଯେ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରଶାସନ ହାତ ବଢାଉନାହିଁ, ତାହା ସନ୍ଦେହ କରାଯାଉଛି । ଗୋଟିଏ ପଟେ ମେକ୍ ଇନ୍ ଓଡ଼ିଶା ନାମରେ ଧାମରା ଅଂଚଳକୁ ଶିଳ୍ପ ସମୃଦ୍ଧ କରାଯିବା ପାଇଁ ଘୋଷଣା ସହ ଏଠାରେ ଇଡ୍କୋ ଜରିଆରେ ଜମି ଅଧିଗ୍ରହଣ କରାଯାଇଛି । ଏହି ଶହ ଶହ ଏକର ଜମିକୁ ଭଦ୍ରକ ଜିଲା ପ୍ରଶାସନ ଗଚ୍ଛିତ ରଖିଥିବାବେଳେ କାହିଁକି ଯେ ଟେକ୍ସଟାଇଲ୍ ପାର୍କ ପାଇଁ ଜମି ଦେଉନି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ଲୋକଙ୍କ ମନରେ । କାରଣ ୨୦୧୭ ମସିହାରେ ୧୭୭୧ କୋଟି ଟଙ୍କା ବିନିମୟରେ ଭଦ୍ରକ ଜିଲାରେ ଏକ ଟେକ୍ସଟାଇଲ୍ ପାର୍କ ନିର୍ମାଣ ପାଇଁ ଏମ୍ଓୟୁ ସ୍ୱାକ୍ଷର ହୋଇଥିଲା ।
ଏହି ଏମ୍ଓୟୁ ସ୍ୱାକ୍ଷର ବେଳେ ଭଦ୍ରକ ଜିଲାର ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ରାଜ୍ୟର ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଉପସ୍ଥିତିରେ କେନ୍ଦ୍ର ସରକାରଙ୍କ ସଚିବ ଏମ୍ଓୟୁ କରିଥିଲେ । ବିଡମ୍ବନା ଏହି ଯେ ଏହି ଏମ୍ଓୟୁ ଫାଇଲ୍ ଭିତରେ ରହିଥିବାବେଳେ ନିର୍ବାଚନ ବର୍ଷ ହୋଇଥିବାରୁ ଏହାକୁ ଜାଗ୍ରତ କରାଉଛି ଭାରତୀୟ ଜନତା ପାର୍ଟି । ୨୦୨୧ ରେ ପୌର ନିର୍ବାଚନ ସାଙ୍ଗକୁ ସମବାୟ ନିର୍ବାଚନ ଓ ଏହା ପରବର୍ଷ ପଂଚାୟତ ନିର୍ବାଚନ ଆସିଯାଉଥିବାରୁ ଜିଲାରେ ଶିଳ୍ପ ଭେଳିକି ଦେଖାଇ ସବୁ ଦଳ ଭୋଟ୍ ଗୋଟାଇବାକୁ ବାହାରିଛନ୍ତି । ବାସ୍ତବରେ ଭଦ୍ରକ ଜିଲା ପାଇଁ ଟେକ୍ସଟାଇଲ୍ ପାର୍କ ଅତି ଜରୁରୀ । କାରଣ ବେକାର ଯୁବକମାନେ ଚାକିରୀ ନପାଇ ସୁରଟ, ହାଇଦ୍ରାବାଦ, କେରଳ, ତାମିଲନାଡୁ, ପଂଜାବ, ହରିୟାଣା, ଦିଲ୍ଲୀ ଆଦି ସ୍ଥାନରେ ଥିବା ସୂତା କଳରେ ଦାଦନ ଖଟିବାକୁ ହଜାର ହଜାର ସଂଖ୍ୟାରେ ଯାଉଛନ୍ତି । ବିଶେଷକରି ଭଦ୍ରକ ଜିଲାରୁ ୧୭ ଲକ୍ଷ ଲୋକସଂଖ୍ୟା ମଧ୍ୟରୁ ଦେଢଲକ୍ଷ ଯୁବକ ଓ ଯୁବତୀ ଏବେ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ଯଦି ଜିଲାରେ ଦୁଇଟି ସ୍ଥାନରେ ଏହି ଟେକ୍ସଟାଇଲ୍ ପାର୍କ ନିର୍ମାଣ ହୋଇପାରନ୍ତା, ତେବେ ପରୋକ୍ଷ ଓ ପ୍ରତ୍ୟେକ ଭାବେ ୧୦ ରୁ ୧୫ ହଜାର ବେକାର ଯୁବକ ନିଯୁକ୍ତି ପାଇପାରନ୍ତେ ବୋଲି ଦାବି ହେଉଛି । ଅନ୍ୟପକ୍ଷରେ ଜାତୀୟ ରାଜପଥ କଡରେ ଦୀର୍ଘଦିନ ହେବ ସରକାରୀ ଜମି ଅଧିଗ୍ରହଣ କରାଯାଇଥିଲା ଚିନିକଳ ପ୍ରତିଷ୍ଠା କରିବାକୁ । ଧରଣୀ ସୁଗାର୍ସ କଂପାନୀକୁ ଏହି ଜମି ହସ୍ତାନ୍ତର ମଧ୍ୟ କରାଯାଉଥିଲା । ମାତ୍ର ଧରଣୀ ସୁଗର୍ସ କଂପାନୀ ଚିନିକଳ ପ୍ରତିଷ୍ଠାରୁ ଓହରିଯିବା ପରେ ଚାଷୀମାନେ ଦେଇଥିବା ଏହି ଜମି ପଡିରହିଛି । ଏହି ଜମିରୁ ୫୦ ଏକର ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସରକାର ଦିଅନ୍ତୁ ବୋଲି ଭାଜପା ଦାବି କରୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭଦ୍ରକ ଜିଲା ପାଇଁ ୨୦୧୪ ରୁ ୪୦ ହଜାର କୋଟି ଟଙ୍କାର ଶିଳ୍ପ ଭେଳିକି ସ୍ୱପ୍ନ ଦେଖାଯାଇଥିଲା ଯେ ତାହା ଆଜିଯାଏ ସ୍ୱପ୍ନରେ ରହିଯାଇଛି । ଧାମରାରେ ଜମି ଅଧିଗ୍ରହଣ ହୋଇ ରହିଛି ବୋଲି ପ୍ରଶାସନ କହୁଥିବାବେଳେ ଶିଳ୍ପ ସଂସ୍ଥାକୁ ଏହି ଜମି ଦିଆଯାଇ କାହିଁକି କଳକାରଖାନା ଆରମ୍ଭ କରାଯାଉନି ବୋଲି ଦାବି ଉଠିଲାଣି ।