Odiapua.com

ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ, ଜଣେ ଗୁରୁତର

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ମୁକୁନ୍ଦପୁର ପଂଚାୟତ ଅଧୀନ କଂଟାବଣିଆ ଛକରେ ଏକ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଥିଲା। ଏହି ପ୍ରତିଷ୍ଠା ଉତ୍ସବରେ ୨ଜଣଙ୍କ ମଧ୍ୟରେ ବିବାଦ ଉପୁଜି ଗଣ୍ଡୋଗଳ ରୂପ ନେଇଥିଲା। ଏହାର ପରିଣାମ ସ୍ୱରୂପ ସୋମବାର ସକାଳେ କାଳିମେଘା ଗ୍ରାମର ସୌମିତ୍ରୀ ପ୍ରଧାନଙ୍କୁ ସେହି ଗ୍ରାମର ଧନେଶ୍ୱର ସାହୁ ନାମକ ଜଣେ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିଲେ। ଏ ସମ୍ପର୍କରେ ସୌମିତ୍ରୀଙ୍କ ଭାଇ ସୁଜିତ୍ ପ୍ରଧାନ ଥାନାରେ ଅଭିଯୋଗ କରିଥିଲ। ପୁଲିସ ଅଭିଯୋଗମୂଳେ ୨୦୦/୨୫ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଅଭିଯୋଗରୁ ପ୍ରକାଶ ଯେ, କଂଟାବଣିଆ ଛକରେ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଥିଲା। ଶନିବାର ଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ସୋମବାର ଶେଷ ହେବ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ତେବେ ଏହି ଉତ୍ସବକୁ ନେଇ ସୌମିତ୍ରୀ ଓ ଧନେଶ୍ୱରଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଉପୁଜିଥିଲା। ସୋମବାର ସକାଳ ୬ଟା ୩୦ମି. ସମୟରେ ଧନେଶ୍ୱର ଏକ ଧାରୁଆ ଅସ୍ତ୍ରରେ ସୌମିତ୍ରୀଙ୍କୁ ମନ୍ଦିର ନିକଟରେ ଆକ୍ରମଣ କରିବା ସହିତ ଟଙ୍କା ଓ ମୋବାଇଲ ଛଡ଼ାଇ ନେଇଥିଲେ। ଫଳରେ ସୌମିତ୍ରୀ ଗୁରୁତର ଆହତ ହୋଇଥିଲେ। ସେଠାରେ ଉପସ୍ଥିତ ଥିବା ଗ୍ରାମବାସୀ ସୌମିତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନାରେ ଭର୍ତି କରିଥିଲେ। ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।