Odiapua.com

ଶିକ୍ଷୟିତ୍ରୀଙ୍କୁ ମାଡ ମାରିଲେ ପାଚିକା, ଥାନାରେ ମାମଲା ପରେ ପାଚିକା ଗିରଫ

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)-ଜଣେ କାର୍ଯ୍ୟରତ ସହକାରୀ ଶିକ୍ଷୟିତ୍ରୀଙ୍କୁ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ସେହି ବିଦ୍ୟାଳୟର ପାଚିକା ଅନ୍ୟ ଜଣେ ମହିଳାଙ୍କ ସହାୟତାରେ ଅର୍ଦ୍ଧ ଉଲଗ୍ନ କରି ମାଡ ମାରି ରକ୍ତାକ୍ତ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏ ସଂପର୍କରେ ଚୂଡାମଣି ଥାନା ଅଧୀନସ୍ଥ ଚୂଡାମଣି ଗ୍ରାମର ବାସୁଦେବ ତରାଇଙ୍କ ପତ୍ନୀ ଶିକ୍ଷୟିତ୍ରୀ ବେବୀଲତା ପ୍ରଧାନ (୩୫) ସାବରଙ୍ଗ ଥାନାରେ ଦେଇଥିବା ଅଭିଯୋଗ ପତ୍ର ମୂଳେ ସେ ସ୍ଥାନୀୟ ସନାନ୍ଦପୁର ସେବାଶ୍ରମରେ ସହକାରୀ ଶିକ୍ଷୟିତ୍ରୀ ତଥା ହଷ୍ଟେଲ ସୁପରିଟେଣ୍ଡେଂଟ ଦାୟିତ୍ୱ ତୁଲାଉଛନ୍ତି। ସେ ଦୀର୍ଘ ୧୨ ବର୍ଷ ଧରି ଏହି ଦାୟିତ୍ୱରେ ଥାଇ ସୂଚାରୁ ରୂପେ ନିଜ କାର୍ଯ୍ୟ ତୁଲାଇ ଆସୁଥିବାବେଳେ ହଷ୍ଟେଲରୁ ସ୍କୁଲକୁ ୯.୪୫ ରେ ଯାଇ ପହଂଚି ସହକର୍ମୀ ପଙ୍କଜ କୁମାର ବେହେରା ଓ ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତିରେ ଆସେସ୍‌ମେଂଟ-୧ ସାହିତ୍ୟ ପରୀକ୍ଷା ଥିବାରୁ ପ୍ରଶ୍ନ ପତ୍ର ନେଇ ୩ୟ ଓ ୪ର୍ଥ ଶ୍ରେଣୀକୁ ୧୦.୩୦ ରେ ଯାଇଥିଲେ। ସେ ପ୍ରଶ୍ନପତ୍ର ଦେବା ପରେ ପରୀକ୍ଷା ଚାଲୁଥିବା ସମୟରେ ଦିନ ପ୍ରାୟ ୧୧ଟା ସମୟରେ ସେହି ଗ୍ରାମର ଜଳଧର ମଳିକଙ୍କ ପତ୍ନୀ ଦେବକୀ ମଳିକ (୪୦) ଓ ଉକ୍ତ ସେବାଶ୍ରମର ମଧ୍ୟାହ୍ନଭୋଜନର ପାଚିକା ତଥା ବସନ୍ତ ମଳିକଙ୍କ ପତ୍ନୀ ଜାନକୀ (୪୦) ସେଠାରେ ପହଂଚିଥିଲେ। ଏବଂ ଜାନକୀ ତାଙ୍କୁ ‘ଦିଦି ଆପଣ ମୋତେ ପାଉଁଶ ଚୂଲିରୁ କାଢିବାକୁ ମନ।। କରିଥିବା ବିଷୟ କହିବା ସମୟରେ ହଠାତ୍ ଦେବକୀ ତାଙ୍କ ଚୁଟି ଧରି ଚେୟାରରୁ ଗଡାଇ ପକାଇ ଘୋଷାରି ଘୋଷାରି ବାଡିରେ ପିଟିଥିଲା। ଏପରିକି ଛାତି, ପେଟ ଓ ପିଠିକୁ ଗୋଇଠା ମାରି ଶାଢୀକୁ ଟାଣି ଅର୍ଦ୍ଧ ଉଲଗ୍ନ କରି ପିଟିବା ସମୟରେ ସେ ଶାରୀରିକ ଅକ୍ଷମ ଥିବାରୁ କେଉଁଆଡକୁ ନଯାଇପାରି ଜୋରରେ ପାଟିକରି ବଂଚାଅ ବଂଚାଅ ବୋଲି ଚିତ୍କାର କରିଥିଲେ। ତାଙ୍କର ଚିତ୍କାର ଶୁଣି ଶିକ୍ଷକ ପଙ୍କଜ ବେହେରା ସେଠାରେ ପହଂଚି ଅଟକାଇବାକୁ ଚେଷ୍ଟା କରିବାରୁ ସେ ତାଙ୍କୁ ମଧ୍ୟ ବାଡିରେ ପିଟିଥିଲା। ଇତିମଧ୍ୟରେ ପ୍ରଧାନ ଶିକ୍ଷକ ପଂଚାନନ ଖିଲାର ସେଠାରେ ପହଂଚି ତାହା ହାତରୁ ବାଡି ଛଡାଇ ନେଇଥିଲେ ମଧ୍ୟ ସେ ତାଙ୍କ ହାତରୁ ବାଡି ଛଡାଇ ମୋତେ ପୁଣି ପିଟିଥିଲା।’ ଏହି ଘଟଣାରେ ଛାତ୍ରଛାତ୍ରୀମାନେ ଭୟଭୀତ ହୋଇ କାନ୍ଦିବାକୁ ଲାଗିଥିଲେ। ଖବର ପାଇ ଗ୍ରାମଲୋକେ ଆସି ଏଭଳି ଅଭାବନୀୟ ପରିସ୍ଥିତି ଦେଖି ସେମାନଙ୍କ ପିଲାମାନଙ୍କୁ ନେଇ ପଳାଇଥିଲେ। ଏବଂ ପିଲାମାନେ ପରୀକ୍ଷା ନଦେଇପାରିଥିବାରୁ ଉଭୟ ହଷ୍ଟେଲ ଓ ସ୍କୁଲକୁ ଚାବି ପକାଇଦେଇଥିଲେ। ଏହି ଘଟଣାରେ ବେବୀଲତା କ୍ଷତାକ୍ତ ହୋଇ ତାଙ୍କର ଦେହର ବିଭିନ୍ନ ସ୍ଥାନରୁ ରକ୍ତ ବାହାରିଥିଲା। ସେ ଏଭଳି ଘଟଣା ସଂପର୍କରେ ସ୍ଥାନୀୟ ଥାନାରେ ଅଭିଯୋଗ ପତ୍ର ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ପରବର୍ତୀ ସମୟରେ ଆକ୍ରମଣକାରୀ ପାଚିକା ଗିରଫ ହୋଇଥିବାର ଜଣାପଡିଛି।