Odiapua.com

ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୫ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ନିକିରାଇ ମହାବୀର ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ମନୋରମା ମହାନ୍ତିଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସେ ପ୍ରାୟ ୨୦ ବର୍ଷ ଧରି ଜଣେ ଗଣଶିକ୍ଷୟିତ୍ରୀ ଭାବେ ସ୍ୱଳ୍ପ ଦରମାରେ ଚାକିରୀ କରି ନଭେମ୍ବର ମାସ ୩୦ ତାରିଖରେ ବିଦ୍ୟାଳୟରୁ ଅବସର ନେଇଛନ୍ତି। ସେ ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବେ ଚାକିରୀ କରି ସମସ୍ତ ଛାତ୍ରାଭିଭାବକଙ୍କ ପ୍ରଶଂସା ଭାଜନ ହୋଇପାରିଥିଲେ। ତାଙ୍କ ଶିକ୍ଷାଦାନକୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରିଥାନ୍ତି। ଶ୍ରୀମତୀ ମହାନ୍ତି ଗତ କରୋନା ସମୟରେ ସଂକ୍ରମଣକୁ ଖାତିର ନକରି ଅଭିଭାବକମାନଙ୍କ ଘରକୁ ଯାଇ ଡୋର୍ ଷ୍ଟେପ୍ ଟିଚିଙ୍ଗ ପାଇଁ ସଚେତନ କରାଇଥିଲେ। ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରୁ ମଧ୍ୟ ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ସମ୍ମାନିତ ହୋଇଛନ୍ତି। ବିଦ୍ୟାଳୟର ପରିସରରେ ଅନୁଷ୍ଠିତ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ପ୍ରଧାନଶିକ୍ଷକ ପାର୍ଥସାରଥୀ ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଆମ ଗହଣରୁ ଜଣେ ଶିକ୍ଷୟିତ୍ରୀଙ୍କୁ ଆମେ ହରାଇଲୁ। ଏଥିସହିତ ଚାକିରୀରୁ ତାଙ୍କ ଅବସର ନିର୍ଦେଶ ପ୍ରଦାନ କରି ଆଗାମୀ ଦିନ ଗୁଡିକ କିପରି ଭଲରେ କଟିବ ସେଥିପାଇଁ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ବିଦାୟକାଳୀନ ସଭାରେ ବିଶିଷ୍ଟ ଶିକ୍ଷାବିତ୍ ତଥା ବର୍ତ୍ତମାନ କାର୍ଯ୍ୟରତ ଅତିଥି ଶିକ୍ଷକ ସର୍ବେଶ୍ୱର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଏକ ଫଳନ୍ତି ବୃକ୍ଷ ଶିକ୍ଷୟିତ୍ରୀ ଶ୍ରୀମତୀ ମହାନ୍ତିଙ୍କୁ ପ୍ରଦାନକରି ତାଙ୍କର ସୁସ୍ଥ ଭବିଷ୍ୟତ କାମନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ମଧ୍ୟ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରଧାନଶିକ୍ଷକ ଶ୍ରୀ ବେହେରା ତାଙ୍କର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରୁ ବକେୟା ଥିବା ଦରମା କିପରି ଶୀଘ୍ର ମିଳିପାରିବ ସେଥିପାଇଁ ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଥିଲେ।