Odiapua.com

ଶିକ୍ଷା, ସ୍ୱାସ୍ଥ୍ୟ ଓ ମିଶନଶକ୍ତି କାର୍ଯ୍ୟକାରିତା, ପାଣ୍ଡିଆନଙ୍କ ସହ ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ଆଲୋଚନା

ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ମିଶନଶକ୍ତିର କାର୍ଯ୍ୟକାରିତା ପାଇଁ ଅଧ୍ୟକ୍ଷା ସୁମତୀ ସେଠୀ ଓ ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ଅବଗତ କରାଇଛନ୍ତି। ବିଶେଷ କରି ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ନିର୍ମାଣ ଓ ସୁଲଭ ହେବା ଦିଗରେ ମଧ୍ୟ ବ୍ଲକ ନେତୃତ୍ୱ ଧ୍ୟାନ ଦିଅନ୍ତୁ ବୋଲି ସଚିବ ପରାମର୍ଶ ଦେଇଥିଲେ। ଏହାସହ ମିଶନଶକ୍ତି ଯୋଜନାର ଅଗ୍ରଗତି, ସଫଳ ରୂପାୟନ ଓ ଅଭିବୃଦ୍ଧି ଦିଗରେ ମଧ୍ୟ ପଦକ୍ଷେପ ନେବାକୁ ସେ ସ୍ୱତନ୍ତ୍ର ଭାବେ କହିଥିଲେ। ସେହିପରି ଶିକ୍ଷା ଭିତ୍ତିଭୂମି ନିର୍ମାଣ ଓ ଶିକ୍ଷା ସମସ୍ୟା ଦୂରୀକରଣ ପାଇଁ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରତ୍ୟେକ ଶିଶୁ ଗୁଣାତ୍ମକ ଶିକ୍ଷାରୁ ବଞ୍ôଚତ ନହେବା ପାଇଁ ବ୍ଲକ ନେତୃତ୍ୱ ବ୍ୟକ୍ତିଗତ ଭାବେ ଦୃଷ୍ଟି ଦେବାକୁ ସଚିବ ପରାମର୍ଶ ଦେଇଥିଲେ। ବ୍ଲକ ଅଞ୍ଚଳର ବିକାଶ ପାଇଁ ଥିବା ଅନ୍ୟାନ୍ୟ ସମସ୍ୟା, ପ୍ରତିବନ୍ଧକ ଓ ଆବଶ୍ୟକତା ଆଦି ସମ୍ପର୍କରେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ଠାରୁ ପଚାରି ବୁଝିଥିଲେ। ସମସ୍ତ ସମସ୍ୟାଗୁଡକର ପ୍ରତିକାର ପ୍ରଶାସନିକ ସ୍ତରରେ କରାଯିବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ। ସଚିବ ଶ୍ରୀ ପାଣ୍ଡିଆନଙ୍କ ସହ ପ୍ରତ୍ୟକ୍ଷ ଭାବେ ଯୋଗଯୋଗ ପାଇଁ ସୁଯୋଗ ସୃଷ୍ଟି କରାଯିବ ବୋଲି କହିବା ସହ ଜନସାଧାରଣଙ୍କ ସେବା ନିଷ୍ଠାପର ଭାବେ କରିବାକୁ ପ୍ରବର୍ତ୍ତାଇଥିଲେ। ତୃତୀୟ ମହଲାରୁ ଫେରିବା ପରେ ବେଶ ଉତ୍ସାହିତ ଥିବା ଓ ମିଳିଥିବା ପରାମର୍ଶକୁ କାର୍ଯ୍ୟରେ ପରିଣତ କରାଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ସେଠୀ ଓ ଉପାଧ୍ୟକ୍ଷ ଶ୍ରୀ ସାମଲ ପ୍ରକାଶ କରିଛନ୍ତି।