Odiapua.com

ଶିକ୍ଷା, ଶିକ୍ଷକ ଓ ଶିକ୍ଷାର୍ଥୀ

ନବ ଅଗନ୍ତୁକଙ୍କୁ ସମାଜରେ ମଣିଷ ଭଳି
ବଂଚିବାର ପ୍ରେରଣା ଦେଇଥାଏ ଶିକ୍ଷା।
ହେଲେ ତାହାର ଗୁଣାତ୍ମକ ମାନ ଅନୁଭୂତି
ମଣିଷକୁ ମଣିଷ ଭଳି ଗଢି ତୋଳିବାରେ
ସାହାଯ୍ୟ କରୁଥିବା ବେଳେ ଆଜି
ସମୟର ଶିକ୍ଷାର ମାନ କ’ଣ…..?!

ଶିକ୍ଷା କୌଣସି ହାସ୍ୟାସ୍ପଦ, ରହସ୍ୟମୟ ବିଷୟ ନୁହେଁ ଯାହା ଯେତେବେଳେ ଯେଉଁ ସମୟରେ ଯେକୌଣସି ପରିବେଶ, ପରିସ୍ଥିତିରେ ଆଦାନ ପ୍ରଦାନ କରାଯାଇ ପାରିବ। ଶିକ୍ଷା ଏକ ଗୁରୁ ଗାମ୍ଭିର୍ଯ୍ୟ ପୂର୍ଣ୍ଣ ବିଷୟ ଯାହା କେବଳ ଶାନ୍ତିପୂର୍ଣ୍ଣ ବାତାବରଣରେ ଏକାଗ୍ରତାର ସହିତ ଆଦାନ ପ୍ରଦାନ କରାଯିବା କଥା। ଶିକ୍ଷାର୍ଥୀ ଏବଂ ଶିକ୍ଷକଙ୍କ ଶିକ୍ଷା ଦାନ ପରିବେଶ ମଧ୍ୟରେ ଅନ୍ୟ କୌଣସି ବିଷୟର ହସ୍ତକ୍ଷେପ ଶିକ୍ଷା ଦାନ ପ୍ରକ୍ରିୟାକୁ ଅସମ୍ପୂର୍ଣ୍ଣ କରିଥାଏ। ଶୈଖିକ ପରିବେଶ ମଧ୍ୟରେ ଅନ୍ୟାନ୍ୟ କାର୍ଯ୍ୟକଳାପ ତଥା ଶିକ୍ଷା ବହିର୍ଭୁତ ବିଷୟକୁ ମସ୍ତିଷ୍କ ମଧ୍ୟରେ ପରିଚାଳିତ କରୁଥିବା ଶିକ୍ଷକ କିମ୍ବା ଶିକ୍ଷାର୍ଥୀ କୌଣସି ମତେ ଶିକ୍ଷା ପ୍ରଦାନ, ଗ୍ରହଣ କରିବାରେ ଅସମର୍ଥ ରହିବା ସୁନିଶ୍ଚିତ। ଅଣ ଆନୁସଙ୍ଗିକ ବିଷୟ ଗୁଡିଏ ଶିକ୍ଷା ପରିବେଶ ମଧ୍ୟରେ ଉପସ୍ଥାପନ କରାଗଲେ ଶିକ୍ଷାର ମାନ ହ୍ରାସ ପାଇବା ସହିତ ଉପଯୁକ୍ତ ଆଦାନ ପ୍ରଦାନ ସମ୍ଭବ ନୁହେଁ। ଶୈଖିକ ପରିବେଶ ତଥା ଶିକ୍ଷା କ୍ଷେତ୍ର ସମ୍ପୂର୍ଣ୍ଣ ରୂପେ ବାହ୍ୟ ଜଗତରୁ ନିବୃତ ରହି କେବଳ ଏକାଗ୍ରତାର ସହିତ ପାଠ୍ୟ ଖସଡ଼ାର ଶିକ୍ଷଣୀୟ ବିଷୟବସ୍ତୁ ଉପରେ ନିରୀକ୍ଷଣ, ନିମଜ୍ଜିତ ରହିବା ଆବଶ୍ୟକ ଉଭୟ ଶିକ୍ଷାର୍ଥୀ ଏବଂ ଶିକ୍ଷକଙ୍କୁ। ନହେଲେ ଶିକ୍ଷାର କୌଣସି ଆନ୍ତରିକ ମାନ୍ୟତା ରହିବ ନାହିଁ କିମ୍ବା ତାହାର ଉପାଦେୟତା ଅନୁଭୂତ ହେବନାହିଁ। ତେଣୁ ଶିକ୍ଷାକୁ ଏକ ଶାନ୍ତିପୂର୍ଣ୍ଣ ବାତାବରଣ ମଧ୍ୟରେ ପରିଚାଳିତ କରାଯିବା ଏକାନ୍ତ ଆବଶ୍ୟକ।

କେତେକ ଅନ୍ତର୍ଜ୍ଞାନୀ, ଦାର୍ଶନିକ, ଗବେଷକ ତଥା ଅନୁସନ୍ଧିତ୍ସୁ ମଣିଷଙ୍କ ଅତ୍ମାନୁଭୂତି ତଥା ଅଂତରଣୀୟ ବିଷୟକୁ ସାମୁହିକ ମାନ୍ୟତା ଦେଇ ସମାଜରେ ବିତରଣ କରିବା ତଥା ସମଗ୍ର ମଣିଷ ସମାଜକୁ ଦିଗ୍ଦର୍ଶନ ଦେଇ ସାମାଜିକ ବ୍ୟବସ୍ଥାକୁ ସୁପରିଚାଳନା କରିବା ଉଦେଶ୍ୟରେ ଲିପିବଦ୍ଧ ବହି ମାଧ୍ୟମରେ ଶିକ୍ଷକ ନିଜର ମାନସମନ୍ଥନ ପୂର୍ବକ ହ୍ରୁଦବୋଧାତ୍ମକ ବକ୍ତବ୍ୟ ପ୍ରଦାନ କରାଯିବା ପ୍ରକ୍ରିୟାକୁ ଶିକ୍ଷା ବୋଲି କୁହାଯାଇ ଥାଏ। ସମ୍ପୃକ୍ତ ଲେଖା ମଧ୍ୟରୁ ଲେଖକଙ୍କ ହ୍ରୁଦବୋଧତାକୁ ସରଳୀକୃତ କରି ଶିଶୁ ମସ୍ତିଷ୍କରେ ଉପନୀତ କରିବା ଏବଂ ଶିକ୍ଷାର୍ଥୀ ତାହାର ଚରମ ରୋଚକ ମାନର ବାସ୍ତବତାକୁ ଅନୁଭବ କରି ଗ୍ରହଣ କରିବା ବ୍ୟବସ୍ଥାକୁ ଶିକ୍ଷା ବୋଲି କୁହାଯାଇଥାଏ। ଯାହା ପଢ଼ିବା, ଶୁଣିବା ତାହାର ଉପଯୁକ୍ତତାକୁ ଚରିତାର୍ଥ କରି ନିଜ ଜୀବନର ପ୍ରତ୍ୟେକ କ୍ଷଣରେ ବ୍ୟବହାର ପୂର୍ବକ ସାମାଜିକ କ୍ଷେତ୍ରରେ ସେଗୁଡିକର ବିନିଯୋଗ କରି ଉତ୍ତମ ମଣିଷ ସମାଜ ଗଠନର ମୂଳ ଲକ୍ଷ ରହିବା ଜଣେ ଶିକ୍ଷାର୍ଥୀ ଏବଂ ଶିକ୍ଷକଙ୍କ ମୁଖ୍ୟ ଆଧାରକୁ ଶିକ୍ଷା ବୋଲି କୁହାଯାଇ ପାରିବ। ଶିକ୍ଷାର ସମ୍ପୂର୍ଣ୍ଣତା ପରେ ସମ୍ପୃକ୍ତ ଶିକ୍ଷକଙ୍କ ପାରିଶ୍ରମିକ ହୋଇଥାଏ ଶିକ୍ଷାର୍ଥୀଙ୍କ ଗ୍ରହଣୀୟତାର ଆନୁପାତିକ ବ୍ୟବଛେଦ ତଥା ଶିକ୍ଷାର୍ଥୀଙ୍କ ଗ୍ରହଣୀୟତାର ମାତ୍ରା। ଶିକ୍ଷାର୍ଥୀଙ୍କ ସମ୍ପୂର୍ଣ୍ଣ ଗ୍ରହଣୀୟତା ନିର୍ଭର କରିଥାଏ ସେମାନଙ୍କ ମସ୍ତିଷ୍କର ଗୁଣାତ୍ମକ ମାନ ତଥା ଶିକ୍ଷକଙ୍କ ମୂଲ୍ୟବୋଧ ଶିକ୍ଷା ଉପରେ। ଶିକ୍ଷାର୍ଥୀ ନିଜର ମାନସ ମନ୍ଥନ କ୍ରିୟାକୁ ତ୍ୱରାନ୍ୱିତ କରିବା ତଥା ଶିକ୍ଷକ ଶିକ୍ଷାର୍ଥୀଙ୍କୁ ଉପଯୁକ୍ତ ମାଧ୍ୟମରେ ଶିକ୍ଷାଦାନ କଲେ ପ୍ରକୃତ ଶିକ୍ଷା ସମ୍ପୂର୍ଣ୍ଣ ହୋଇଥାଏ। ଅଥବା ଶିକ୍ଷା କେବଳ ଗୋଟିଏ ଦେଖାଣିଆ କ୍ରିୟା ମଧ୍ୟରେ ସମ୍ପୂର୍ଣ୍ଣ କରି ଶେଷରେ ପ୍ରମାଣପତ୍ର ଟିଏ ପାଇବା ବ୍ୟବସ୍ଥାକୁ ଶିକ୍ଷା ବୋଲି କୁହାଯାଇ ପାରିବ ନାହିଁ। ତାହା କେବଳ କୌଣସି ବ୍ୟବସାୟିକ ଆନୁଗତ୍ୟ ଜଡିତ ପ୍ରଥା ବୋଲି କୁହାଯାଇ ପାରେ।

ଶିକ୍ଷାର ସଜ୍ଞା କ’ଣ, ପଚାରି ବୁଝିଲେ ଆଜି ସମୟର କୌଣସି ଶିକ୍ଷାର୍ଥୀତ ବହୁଦୂର କେତେଜଣ ଶିକ୍ଷକ ତାହାର ଉପଯୁକ୍ତ ଉତ୍ତର ଦେଇପାରିବେ ଏକ ଅଲୌକିକ ବିଚାର। ଶିକ୍ଷକତା ଏକ ସାମାଜିକ ସଂକଳ୍ପବଦ୍ଧ ସେବା ଜଡିତ ବିଚାର ଯାହା କୌଣସି ଶିକ୍ଷକଙ୍କ ମନରେ ଥିବ ଭାବିବା ସ୍ୱପ୍ନ। ଆଜି ସମୟରେ ଶିକ୍ଷକତା କେବଳ ଗୋଟିଏ ଆନୁଗତ୍ୟ ବ୍ୟବସାୟ ତଥା ନିଜ ଆବଶ୍ୟକତାକୁ ଚରିତାର୍ଥ କରିବା ପାଇଁ ପ୍ରୟାଶରତ ରୋଜଗାର ପନ୍ଥାର ଏକ ଅନୁଭୂତି ମାତ୍ର। ଶିକ୍ଷକତା କରିବା ଲକ୍ଷ ରଖୁଥିବା ମଣିଷଙ୍କ ବିଷୟ ଆମୁଳ ଚୁଳ ସମସ୍ତଙ୍କୁ ଗୋଚର। ଆଜିର ଶିକ୍ଷକଙ୍କ ଶିକ୍ଷକତା ତଥା ଶିକ୍ଷା ବୃତ୍ତିରେ ନିୟୋଜିତ ହୋଇ କଣ କରିଥାନ୍ତି ସେମାନେ କିଏ ନଜାଣେ ?! ତଥାପି କୌଣସି ସାମାଜିକ ଚେତନା ନାହିଁ କିମ୍ବା ସରକାରୀ ତତ୍ପରତା ରହିବା ବିପରୀତେ ସେମାନଙ୍କୁ ପ୍ରୋତ୍ସାହନ ଦିଆଯାଉଥିବା ସମସ୍ତ ବିଷୟ ସାର୍ବଜନୀନ ରହି ସାଧାରଣ ଲୋକଙ୍କ ପ୍ରତିକ୍ରିୟା ଶୂନ୍ୟ। ଶିକ୍ଷକ ଏବଂ ଶିକ୍ଷାଳୟ ମଧ୍ୟରେ କଣ ସବୁ ହୁଏ ଏବଂ ସେଗୁଡିକ ଶିକ୍ଷାଦାନ ପ୍ରକ୍ରିୟାକୁ କେତିକି ତ୍ୱରାନ୍ୱିତ କରିଥାଏ ସବୁ ଜାଣି ମଧ୍ୟ ଶିକ୍ଷାର୍ଥୀଙ୍କ ଅଭିଭାବକଙ୍କ ଶିକ୍ଷା ଶେଷରେ ଉଚ୍ଚ ସଂଖ୍ୟା ବିଶିଷ୍ଟ ପ୍ରମାଣ ପତ୍ର ଟିଏ ପାଇଁ ଦୌଡ଼ର ସଜ୍ଞା ଆମ ବୁଝିବା ଜ୍ଞାନ ବହିର୍ଭୁତ। ଆଜିର ଶିକ୍ଷକ କେଉଁଭଳି ଶିକ୍ଷାଦାନ କରିଥାନ୍ତି ସମୀକ୍ଷା କରାଗଲେ ହୁଏତ ସମଗ୍ର ଶିକ୍ଷକ ସମାଜ ବଦନାମ ହୋଇଯିବାର ସମ୍ଭାବନାକୁ ଆଖି ଆଗରେ ରଖି ସେମାନଙ୍କ ମଧ୍ୟରେ ସମନ୍ୱୟତା ରକ୍ଷା କରି ବ୍ୟବସ୍ଥାକୁ ପରିଚାଳିତ କରୁଥିବା ଶିକ୍ଷା ବିଭାଗର ଅଲୌକିକ କାର୍ଯ୍ୟଧାରାର ସମୀକ୍ଷା କରିବା ମଣିଷଟି ହିଁ ପ୍ରକୃତ ଅଜ୍ଞାନ ! ସର୍ବସାଧାରଣ ଯେତେବେଳେ ଉପସ୍ଥିତ ଶିକ୍ଷା ପଦ୍ଧତିରେ କୌଣସି ଅନୁରୋକ୍ତି ରଖିବେ ନାହିଁ କିମ୍ବା ନିଜ ସନ୍ତାନ ସହିତ ସମାଜର ମଙ୍ଗଳ ଚିନ୍ତା ନକରି କେବଳ ବ୍ୟକ୍ତି କୈନ୍ଦ୍ରିକ ବିଚାରଧାରା ରଖିବେ ତାହେଲେ ବ୍ୟବସ୍ଥାର ସୁଧାର ପରିବର୍ତ୍ତେ ନିମ୍ନଗାମୀ ହେଉଥିବା ଉପସ୍ଥିତ ସମୟର ଶିକ୍ଷା ବ୍ୟବସ୍ଥା ପାଇଁ ତତ୍ପରତା ଦେଖାଇବ କିଏ ?! ତେଣୁ ଶିକ୍ଷକ ମାନେ ମଧ୍ୟ ସମୟ ସ୍ରୋତରେ ନିଜକୁ ସାମିଲ କରିବା ତଥା କେବଳ ବ୍ୟକ୍ତି କୈନ୍ଦ୍ରିକ ବିଚାର ରଖି ଶିକ୍ଷାର୍ଥୀଙ୍କ ଉପଯୁକ୍ତ ଶୈଖିକତା ଉପରେ ବିଚାର ନକରି କେବଳ ଶିକ୍ଷା ଶେଷରେ ସେମାନଙ୍କ ଉଚ୍ଚ ମୂଲ୍ୟାଙ୍କନ ପ୍ରମାଣପତ୍ର ଟିଏ ପାଇଁ ଅପେକ୍ଷା କରିଥା’ନ୍ତି ଯାହା ବ୍ୟବସ୍ଥା ତାହାର ବ୍ୟବସ୍ଥା ଯୋଗାଇ ଦେଇଥାଏ। ଶିକ୍ଷକତା କରୁଥିବା ମଣିଷଙ୍କ ପ୍ରାଥମିକ ସ୍ତରରେ ସାମାଜିକ ଜ୍ଞାନ ରହିବା ଆବଶ୍ୟକ ଯାହା ଆଜି ସମୟରେ ଅତୀବ ବିରଳ କିମ୍ବା ଶୂନ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଶିକ୍ଷକଙ୍କ ନିଜସ୍ୱ ବିଚାରଧାରା ସହିତ ବ୍ୟବସ୍ଥାର ଅନୁରୂପ ଅବ୍ୟବସ୍ଥା ଆଜି ସମୟରେ ଶିକ୍ଷାକୁ ଏକ କୁହେଳିକା ମଧ୍ୟରେ ସୀମିତ ରଖି କେବଳ ଫଳାଫଳ କୈନ୍ଦ୍ରିକ ଶିକ୍ଷାର ମୂଲ୍ୟାୟନ କରିବା ମଣିଷ ଶୂନ୍ୟ ସମାଜର ଗତି କେଉଁ ଆଡକୁ ବିଚାର କରନ୍ତୁ ସାଧାରଣ ନାଗରିକ…..!

ସାମାଜିକ ବ୍ୟବସ୍ଥା ସହିତ ନିଜର ଜନ୍ମଦାତ୍ରୀ ମାତା, ପିତାଙ୍କୁ ଅନୁକରଣ କରି ଜୀବନ ଗଢିବା ଲକ୍ଷ ରଖିଥବା ଶିକ୍ଷାର୍ଥୀଙ୍କୁ କି ଦୋଷ ଦିଆଯାଇପାରିବ ଯେ ସେମାନେ ପରୀକ୍ଷାରେ ଉଚ୍ଚ ସଂଖ୍ୟା ରଖି ଉତ୍ତୀର୍ଣ୍ଣ ହେବା ଲକ୍ଷ ରଖି ଶିକ୍ଷାକୁ ଗ୍ରହଣ କରିଥା’ନ୍ତି କେବଳ ଭବିଷ୍ୟତରେ ଜଣେ ଗୋତି ଶ୍ରମିକ ହେବାପାଇଁ। ଶିକ୍ଷାର ଗୁଣାତ୍ମକ ମାନ ତଥା ତାହାର ଉପଯୁକ୍ତତା ଉପରେ ସାମାଜିକ ବ୍ୟବସ୍ଥା ସହିତ ଅଭିଭାବକଙ୍କ କୌଣସି ବିଚାରଶୀଳତା ରହିନଥବା ବେଳେ କୋମଳମତି ମସ୍ତିଷ୍କ କେମିତି ବୁଝିବ ଶିକ୍ଷା କ’ଣ ?! ଆଜିର ଶିକ୍ଷାର୍ଥୀ ଶିକ୍ଷାର ମାନ ତଥା ଆଧାର ଉପରେ କୌଣସି ଜ୍ଞାନ ନରଖି କେବଳ କୌଣସି ମତେ ଶିକ୍ଷା ବର୍ଷ ଶେଷରେ ଉଚ୍ଚ ସଂଖ୍ୟା ବିଶିଷ୍ଟ ପ୍ରମାଣପତ୍ର ଟିଏ ପାଇଁ ଲକ୍ଷ ରଖି ଶିକ୍ଷାକୁ ଯେଉଁଭଳି ଗ୍ରହଣ କରିଥାନ୍ତି ସେସବୁ ଭାରତୀୟ ସଂସ୍କାର ରହିତ ଷଡ଼ଯନ୍ତ୍ରୀଙ୍କ ପ୍ରତାରଣାପୂର୍ଣ୍ଣ କୁହେଳିକାର ରୂପାନ୍ତରିତ ଅନୁଭବ ମାତ୍ର ଯାହା ସାଧାରଣ ଲୋକେ ଆଦୌ ଅଂତରଣୀୟ କରି ପାରନ୍ତି ନାହିଁ। ତେଣୁ ଶିକ୍ଷାର୍ଥୀ ଶିକ୍ଷା ଶେଷରେ ନିଜକୁ କାହାକୁ ବିକ୍ରି ହେବ ଏବଂ କେତିକି ଟଙ୍କାରେ ବିକ୍ରି ହେବ ସେହି ଲକ୍ଷ ରଖି ଶିକ୍ଷା ଅଧୟନ ରତ ରହୁଥିବା ବେଳେ ପିତା, ମାତା ମଧ୍ୟ ଅନୁରୂପ ଚେତନାରେ ଅଭିଷିକ୍ତ ସାମାଜିକ ଗ୍ରହଣୀୟତାର ଅଗ୍ରଗତି କେଉଁଆଡକୁ ସେମାନେହିଁ ଯାହା ବୁଝିଥିବେ…..! ଶିକ୍ଷାର୍ଥୀ କୌଣସିମତେ ଲିଖିତ ବିଷୟକୁ ଏକବର୍ଷ ପାଇଁ ମସ୍ତିଷ୍କ ମଧ୍ୟରେ ଆୟତ୍ତ କରି ରଖି ଶିକ୍ଷା ଶେଷରେ ପରୀକ୍ଷାରେ ଲେଖିବା ତଥା ପ୍ରତିଯୋଗିତା ମୂଳକ ଭାବେ ନିଜ ନିକଟ ଶିକ୍ଷାର୍ଥୀଙ୍କ ଠାରୁ ଅଧିକ ସଂଖ୍ୟା ରଖି ଉତ୍ତୀର୍ଣ୍ଣ ହେବା ଲକ୍ଷ ରଖିବା ଆଜି ସମୟର ଏକ ସାମାଜିକ ବିଭୀଷିକା ଯାହା ସମସ୍ତଙ୍କୁ ଗ୍ରାସ କରି ରଖିଛି। କି’ନ୍ତୁ ଶିକ୍ଷାର ଉପାଦେୟତା ବିଷୟରେ ପଚାରିଲେ କୌଣସି ଶିକ୍ଷାର୍ଥୀ ଉତ୍ତର ଦେଇପାରିବେ ଆମ ବିଶ୍ୱାସ ବହିର୍ଭୁତ। ପରିସ୍ଥିତି ପରିବେଶ ଏତେ ମାତ୍ରାରେ ଅସନ୍ତୁଳିତ ବାତାବରଣ ମଧ୍ୟରେ ଶିକ୍ଷାର୍ଥୀଙ୍କ ଭବିଷ୍ୟ ଗଠନର ବ୍ୟବସାୟିକ ବାତାବରଣ ସୃଷ୍ଟି କରିଛି ଯେ ଶିକ୍ଷାର୍ଥୀ ଶିକ୍ଷାର ଉପଯୁକ୍ତତା ଉପରେ କୌଣସି ଜ୍ଞାନ ରହିତ କେବଳ ଉପରମୁହାଁ ଅବସ୍ଥାରେ ଶିକ୍ଷାକୁ ଗ୍ରହଣ କରୁଥିବା ଏକ ଦୁଖଦଃ ବିଷୟ ଉପରେ କାହାର ଅନୁରୋକ୍ତି ନାହିଁ କି ବିଚାର। ଏହିଭଳି ପରିସ୍ଥିତିରେ ମଣିଷ ସମାଜର ଉତ୍ତରୋତ୍ତର ଉନ୍ନତିର ସଜ୍ଞା କେବଳ ବୁଝୁଥିବେ ସେମାନେ ଯେଉଁମାନେ ସମ୍ପୃକ୍ତ ବ୍ୟବସ୍ଥାର ପରିପନ୍ଥୀ…..!

ପଙ୍କଜ କୁମାର ପାଣିଗ୍ରାହୀ।
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ