Odiapua.com

ଶିକ୍ଷା ମାଧ୍ୟମରେ ଦାରିଦ୍ର୍ୟକୁ ଦୂର କରିହେବ – ଧର୍ମେନ୍ଦ୍ର ପ୍ରଧାନ

ଓଏନଜିସିର ଦାୟିତ୍ୱବୋଧରେ ନିର୍ମିତ ସିବାନନ୍ଦ ସେଂଟିନାରୀ ବାଳକ ହାଇସ୍କୁଲର ଶିକ୍ଷାଦାନ ସୌଧ ଓ ଛାତ୍ରାବାସ ଲୋକାର୍ପିତ
– ସିବାନନ୍ଦ ସେଂଟିନାରୀ ବାଳକ ହାଇସ୍କୁଲ ଓଡିଆ ପିଲାକୁ ଦାରିଦ୍ର୍ୟରୁ ସମ୍ପନ୍ନତା ଆଡକୁ ନେବା ପାଇଁ ଏକ ଉଦ୍ୟମ
– ରାଜ୍ୟର ୨୫ଟି ଜିଲ୍ଲାରେ ନବଜାତ ଶିଶୁଙ୍କ ଠାରେ କୁପୋଷଣ ଦେଖାଯାଇଛି
– ସଂପ୍ରତି ଓଡିଶା ଏହି ସମସ୍ୟା ଦେଇ ଗତି କରୁଥିବା ବେଳେ ଶିକ୍ଷା ମାଧ୍ୟମରେ ଦାରିଦ୍ର୍ୟକୁ ଦୂର କରି ଏହି ସମସ୍ୟାର ସମାଧାନ କରିହେବ
– ସାଧାରଣ ଘରର ମେଧାବୀ ପିଲାର ବୌଦ୍ଧିକ ଶକ୍ତି ହେଉଛି ଓଡିଶାର ପୁଞ୍ଜି
– ଯେତେବେଳେ ଆଧ୍ୟାତ୍ମିକ ଓ ନୈତିକତା ଆଧାରରେ ଶିକ୍ଷା ହେବ ତେବେ ସେହି ଶିକ୍ଷା ନିଜ ଓ ସମାଜ ପାଇଁ କାମ ଦେବ

ଭୁବନେଶ୍ୱର, ସେପ୍ଟେମ୍ବର ୦୬ (ଓଡ଼ିଆ ପୁଅ) – ରାଜ୍ୟର ୨୫ଟି ଜିଲ୍ଲାରେ ନବଜାତ ଶିଶୁଙ୍କ ଠାରେ କୁପୋଷଣ ଦେଖାଯାଇଛି। ପିଲାଙ୍କ ବୟସନୁସାରେ ଉଚ୍ଚତା ଏବଂ ଓଜନ କମ୍ ହେବା ଏକ ଚିନ୍ତାଜନକ ବିଷୟ ହୋଇଛି ା ଦାରିଦ୍ର୍ୟ କାରଣରୁ ପିଲାମାନେ ସଠିକ୍ ପରିମାଣର ପୃଷ୍ଟିକର ଖାଦ୍ୟ ନଖାଇବା କାରଣରୁ ଶିଶୁଙ୍କ ଓଜନ ହ୍ରାସ ପାଉଛି। ସଂପ୍ରତି ଓଡିଶା ଏହି ସମସ୍ୟା ଦେଇ ଗତି କରୁଥିବା ବେଳେ ଶିକ୍ଷା ମାଧ୍ୟମରେ ଦାରିଦ୍ର୍ୟକୁ ଦୂର କରି ଏହି ସମସ୍ୟାର ସମାଧାନ କରିହେବ ବୋଲି ଶୁକ୍ରବାର ଭୁବନେଶ୍ୱର ଠାରେ ସିବାନନ୍ଦ ସେଂଟିନାରୀ ବାଳକ ହାଇସ୍କୁଲର ପ୍ରାୟ ସାଢେ ୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ଶିକ୍ଷାଦାନ ସୌଧ ଓ ଛାତ୍ରାବାସକୁ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତ ସରକାରଙ୍କ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଓନ୍ଜିସିର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧରେ ଏହା ନିର୍ମିତ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତିା

ଶ୍ରୀ ପ୍ରଧାନ କହିଛନ୍ତି ଯେ ସାଧାରଣ ଘରର ମେଧାବୀ ପିଲାର ବୌଦ୍ଧିକ ଶକ୍ତି ହେଉଛି ଓଡିଶାର ପୁଞ୍ଜି। ଜଣେ ଗରିବ ଓ ସାଧାରଣ ଘରର ପିଲାକୁ ପାଠ ପଢାଇବାର ସୁଯୋଗ ତିଆରି କରିବା ସମସ୍ତଙ୍କର ଦାୟିତ୍ୱ ଅଛି। ସରକାରୀ ଉଦ୍ୟମ ବିନା ସାମାଜିକ ଉଦ୍ୟମରେ ସେମାନଙ୍କୁ ପାଠ ପଢାଇବାର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଲୋକାର୍ପିତ ହୋଇଥିବା ସିବାନନ୍ଦ ସେଂଟିନାରୀ ବାଳକ ହାଇସ୍କୁଲ ଆଗାମୀ ଦିନରେ ଓଡିଶାର ପ୍ରୟୋଗଶାଳା ହେବ ଏବଂ ଓଡିଆ ପିଲାକୁ ଦାରିଦ୍ର୍ୟରୁ ସମ୍ପନ୍ନତା ଆଡକୁ ନେଇଯିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଅପାର ସମ୍ଭାବନାର ରାଜ୍ୟ ଓଡିଶାରେ ବହୁତ ପ୍ରାଚୁର୍ଯ୍ୟ ଅଛି। କିନ୍ତୁ ଆଜି ମଧ୍ୟ ଓଡିଶାର ପ୍ରାୟ ସବୁ ଜିଲ୍ଲାରେ ହାରାହାରି ହଜାର ପିଲାଙ୍କ ଠାରେ ସୁପୋଷଣର ଅଭାବ ରହିଛି। ନବଜାତ ଶିଶୁମାନେ ଯେତେ ପରିମାଣର ପୃଷ୍ଟିକର ଖାଦ୍ୟ ଖାଇବା ଦରକାର ତାହାର ଅଭାବ କାରଣରୁ ସେମାନଙ୍କ ଓଜନ ହ୍ରାସ ପାଉଛି। ଏହିଭଳି ସମସ୍ୟା ଭିତରେ ଆଜି ଓଡିଶା ଗତି କରୁଥିବା ବେଳେ ଏହାର ଉତର ସମସ୍ତଙ୍କୁ ଖୋଜି ବାହାର କରିବାର ଆବଶ୍ୟକତା ରହିଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପିଲାଙ୍କୁ ଏହି ଦାରିଦ୍ରରୁ ମୁକ୍ତି ଦେବା ପାଇଁ ପଡିବ ଏବଂ ଦାରିଦ୍ର୍ୟକୁ ଦୂର କରିବାର ଚାବିକାଠି ହେଉଛି ଶିକ୍ଷା। ଶିକ୍ଷା ଯେତେବେଳେ ଆଧ୍ୟାତ୍ମିକ ଓ ନୈତିକତା ଆଧାରରେ ଶିକ୍ଷା ହେବ ତେବେ ସେହି ଶିକ୍ଷା ନିଜ ଓ ସମାଜ ପାଇଁ କାମ ଦେବ ଏବଂ ଓଡିଶାରେ ଏହି ଶିକ୍ଷାର ଆବଶ୍ୟକତାକୁ ପୂରଣ କରିବା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ରାଜଧାନୀର ଐତିହାସିକ ଖଣ୍ଡଗିରି ପାଦଦେଶରେ ଆଜି ଏ ପବିତ୍ର କାମ ସମ୍ପନ୍ନ ହୋଇଛି। ଏକବଂଶ ଶତାବ୍ଦୀରେ ଏହି ସିବାନନ୍ଦ ସେଂଟିନାରୀ ବାଳକ ହାଇସ୍କୁଲ ଅନେକ ଖାରବେଳଙ୍କୁ ତିଆରି କରିବାର ସଂକଳ୍ପ ନେଇଛି। ଭବିଷ୍ୟତରେ ଏହି ସ୍କୁଲକୁ ପ୍ରୟୋଗଶାଳା କରି ଶିକ୍ଷା ମାଧ୍ୟମରେ ଓଡିଶାକୁ ପରିବର୍ତ୍ତନ କରିବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।