Odiapua.com

ଶିକ୍ଷା ଅଧିକାରୀ ମାନଙ୍କୁ ଅଟକ ରଖିଲେ ଉତ୍ୟକ୍ତ ଗ୍ରାମବାସୀ । ତୁରନ୍ତ ସ୍କୁଲ ଘର ନିର୍ମାଣ ପାଇଁ ଦାବୀ ।

କଳାହାଣ୍ଡି- (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ସରକାର ଶିକ୍ଷା କ୍ଷେତ୍ରରେ ଉନ୍ନତିକରିବା ପାଇଁ ଅନେକ ପ୍ରକାର ଯୋଜନା କରୁଥିବା ବେଳେ ଅସାଧୁ କର୍ମଚାରୀ ମାନଙ୍କ ଲାଭ ଖୋର ମନୋବୃତି ପାଇଁ ସେସବୁ ର ସଫଳ ରୂପାୟନ ହୋଇପାରୁନଥିବା ଅଭିଯୋଗ ହେଉଛି । ଦୀର୍ଘ ବର୍ଷ ହେବ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଯୋଜନା ଗୁଡିକ ପ୍ରଣୟନ କରାଯାଇ ସ୍କୁଲ ଗୃହ ନିର୍ମାଣ ଆଦି ଶିକ୍ଷାର ଭିତିଭୂମି ବିକାଶ କାର୍ଯ୍ୟ କରିଆସୁଛନ୍ତି । ହେଲେ ଅଦ୍ୟାବଧି ଅନେକ ଗୁଡାଏ ସ୍କୁଲରେ ଗୃହ ଅଭାବରୁ ଶିକ୍ଷା ଦାନରେ ଅସୁବିଧା ହେଉଥିବା ପରିଲକ୍ଷିତ ହୋଇଆସୁଛି । ଭବାନୀପାଟଣା ଠାରୁ ୧୮ କି.ମି. ଦୂରସ୍ଥ କେସିଙ୍ଗା ବ୍ଲକ ଅଧିନସ୍ଥ ଫଟକାମାଲ ଗ୍ରା.ପ. ର ଲଟକାବାହାଲି ଠାରେ ଗତ ୧୯୭୨ ମସିହାରେ ନିର୍ମିତ ହୋଇଥିବା ସ୍କୁଲ ଗୃହ ନିର୍ମାଣ ହୋଇଥିବା ବେଳେ ବର୍ତମାନ ପାଂଚଟି ଶ୍ରେଣୀ ରେ ୧୮୬ ଜଣ ଛାତ୍ରୀ ଛାତ୍ର ପାଠ ପଢୁଛନ୍ତି । ଗତ ୨୦୧୬ ମସିହାରୁ ତିନିଟି କୋଠରୀ ଅତ୍ୟନ୍ତ ବିପଦସଂକୂଳ ହୋଇ ପଡିଥିବାରୁ ଶିକ୍ଷକ ମାନେ ନିକଟସ୍ଥ ଏକ ଇନ୍ଦିରା ଆୱାସ ଘରେ ପାଠପଢାଉଥିଲେ । ସେଠାରେ ଘରମାଲିକ ମନାକରିବା ପରେ ଏକ ଭଡାଘର ନେଇ ସେଠାରେ ପାଠପଢା ଚାଲିଥିଲା । ସେଠାରେ ମଧ୍ୟ ଘରମାଲିକ ମନାକରିବା ପାରେ ଛାତ୍ରଛାତ୍ରୀମାନେ ଅନ୍ୟ ଉପାୟ ନପାଇ ରାସ୍ତା ଉପରେ ଗଛ ତଳେ ପାଠପଢି ଆସୁଥିଲେ । ଏସଂପର୍କରେ ଗଣମାଧ୍ୟମରେ ପ୍ରକାଶିତ ହେବାପରେ କଳାହାଣ୍ଡି ଜିଲ୍ଲାପାଳଙ୍କ ନିଦେ୍ର୍ଦଶ କ୍ରମେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ,ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଏବଂ ଆଉଜଣେ ପଦାଧିଧିକାରୀ ଉକ୍ତ ସ୍କୁଲର ଘଟଣା ସଂପର୍କରେ ଅନୁଧ୍ୟାନ କରିବାପାଇଁ ସେଠାରେ ପହଂଚିବାପରେ ଉତ୍ୟକ୍ତ ଗ୍ରାମବାସୀ ସେହି ତିନିଜଣ ଯାକ ଅଧିକାରୀଙ୍କୁ ସ୍କୁଲ ଘର ଭିତରେ ଅଟକ ରଖି ତୁରନ୍ତ ସ୍କୁଲ ଘର ନିର୍ମାଣ କରାଯିବା ପାଇଁ ଲିଖିତ ପ୍ରତିଶୃତି ଦେଲେ ଛଡାଯିବ ବୋଲି ଅଡି ବସିଥିଲେ । ଖବର ପାଇ ଭବାନୀପାଟଣା ଉପଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ କେସିଙ୍ଗା ବିଡିଓ ଏବଂ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଗ୍ରାମବାସୀ ମାନଙ୍କୁ ବୁଝାସୁଝା କରି ଆଗାମୀ ଛଅ ମାସ ମଧ୍ୟରେ ସ୍କୁଲ ଗୃହ ନିର୍ମାଣ କରାଯିବାକୁ ଲିଖିତ ପ୍ରତିଶୃତି ଦେବାପରେ ଅଟକ ରଖିଥିବା ଅଧିକାରୀ ମାନଙ୍କୁ ମୁକ୍ତ କରାଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଅତୀତରେ ସର୍ବଶିକ୍ଷା ଅଭିଯାନ ମାଧମରେ ସ୍କୁଲ ଗୃହ ଗୁଡିକ ନିର୍ମାଣ କରାଯାଉଥିବା ବେଳେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର କିଛି ଲାଭଖୋର ପଦାଧିକାରୀ ଏବଂ କିଛି ଶିକ୍ଷକ ମିଳିତ ଭାବେ ଚକ୍ରାନ୍ତ କରି ମନଇଚ୍ଛା ନିଜର ସୁବିଧାଜନକ ସ୍ଥାନରେ ହିଁ ଗୃହ ନିର୍ମାଣ କରିବାର ବ୍ୟବସ୍ଥା କରିବା ସହ ନିଜ ସପକ୍ଷବାଦୀ ଶିକ୍ଷକ ମାନେ ହିଁ ସେସବୁ ନିର୍ମାଣ କାର୍ଯ୍ୟ ସଂପାଦିତ କରିଥିଲେ । ଫଳତଃ ଅନେକ ସ୍କୁଲ ନୂତନ ଗୃହ ନିର୍ମାଣରେ ବାଦ ପଡିଥିବା ଅନୁମାନ କରାଯାଏ । ସର୍ବଶିକ୍ଷା ଅଭିଯାନର ସ୍କୁଲ ଗୃହ ନିର୍ମାଣ ସଂକ୍ରାନ୍ତରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।