Odiapua.com

ଶିକ୍ଷାନୁଷ୍ଠାନ ଓ ସରକାରୀ ଅଫିସରେ ତମାଖୁ ସେବନ କଡ଼ାକଡି ହେବ : ପୁରୀରେ କ୍ୟାନସର ଚିକିତ୍ସାର ବିକାଶ ପାଇଁ ସରକାରଙ୍କୁ ପ୍ରସ୍ତାବ ଯିବ

ପୁରୀ ୧୨/୮ (ଓଡ଼ିଆ ପୁଅ) ଏଣିକି ଶିକ୍ଷାନୁଷ୍ଠାନ ଓ ସରକାରୀ ଦପ୍ତରରେ ତମାଖୁ ବ୍ୟବହାର ଉପରେ ରୋକ୍ ଲଗାଯିବା ସହ ତମାଖୁ ବ୍ୟବହାରକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବାପାଇଁ ଜିଲ୍ଲା ସ୍ତରୀୟ ସମନ୍ବୟ କମିଟି ମିଟିଂରେ ନିଷ୍ପତ୍ତି ହୋଇଛି। ଆଜି ଅପରାହ୍ନରେ ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଂକର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକରେ ଯୁବଗୋଷ୍ଠୀଙ୍କୁ ତମାଖୁ ମୁକ୍ତ କରିବା ପାଇଁ ଚଳିତ ବର୍ଷ ଜିଲ୍ଲା ର ୨୭ ଟି କଲେଜ ଓ ୧୫ଟି ସ୍କୁଲରେ ସ୍ବତନ୍ତ୍ର ସଚେତନତା ଶିବିର ଅନୁଷ୍ଠିତ ହେବା ସହ ଶିକ୍ଷାନୁଷ୍ଠାନ ର ୧୦୦ମିଟର ପରିଧି ଭିତରେ ଥିବା ବ୍ୟବସ୍ୟାୟିକ ପ୍ରତିଷ୍ଠାନରେ ତମାଖୁ ବିକ୍ରୀ ସଂପୂର୍ଣ୍ଣ ନିଷେଧ କରାଯିବାର ନିଷ୍ପତ୍ତି ନିଆଯାଇଛି। ଏଥିସହ ପୁଲିସ ଓ ବିଭିନ୍ନ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନିୟମିତ ଭାବେ ମିଳିତ ଚଢ଼ାଉ କରାଯିବାକୁ ସ୍ଥିର ହୋଇଛି। ସେହିପରି କ୍ୟାନସର ଚିହ୍ନଟ ପାଇଁ ବ୍ଲକସ୍ତରୀୟ ଶିବିର, ବାଇଓସ୍ପି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଓ ପୁରୀ ରେ ଅଂକୋଲଜି ବିଭାଗ ଖୋଲିବା ପାଇଁ ସରକାରଙ୍କୁ ପଦକ୍ଷେପ ନେବା ନିମନ୍ତେ ବୈଠକ ନିବେଦନ ରଖାଯାଇଛି। ଡିଏଲସିସି ର ସଂଯୋଜନା ଅଧିକାରୀ ଡକ୍ଟର ସୁଶାନ୍ତ କୁମାର ବିଶ୍ବାଳଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ବୈଠକରେ ଡ଼ାକ୍ତର ବିରଜା ରଥ, ଡାକ୍ତର ଯଶସ୍ବୀ ଦାସ, ସମାଜସେବୀ ଶ୍ରୀ ବଦ୍ରି ମିଶ୍ର, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଅତିରିକ୍ତ ଶିକ୍ଷା ଅଧିକାରୀ ମମତା ମିଶ୍ର, ସମାଜ କଲ୍ୟାଣ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର, ମିଶନ ଓଡ଼ିଶା ର ବରିଷ୍ଠ ସଦସ୍ୟ ଶ୍ରୀ ମଧୁସୂଦନ ମିଶ୍ର, ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରତ୍ୟୁଷ ରଂଜନ ତାରେଣିଆ ଓ ଶ୍ରୀ ବେଦଶ୍ରୀ ସାହୁ, ଡ୍ରଗ ଇନ୍ସପେକ୍ଟର ଶ୍ରୀ ଅଂଜନ ସାହୁ, ଡିଏସପି ହେମନ୍ତ ଶ୍ରୀ କୁମାର ପଣ୍ଡା, ଅବକାରୀ ଇନ୍ସପେକ୍ଟର ମାନସୀ ସାହୁ, ଡେପୁଟି କଲେକ୍ଟର ଶ୍ରୀ ରାମଚନ୍ଦ୍ର ପଟ୍ଟନାୟକ, ଡାକ୍ତର ଅର୍ଦ୍ଧେନ୍ଦୁ ଶେଖର ମିଶ୍ର, ଆରତୀ ସାହୁ ଓ ଜାତୀୟ ସେବା ସଂସ୍ଥା ର ଡକ୍ଟର ଜଗବନ୍ଧୁ ମିଶ୍ର ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ।