Odiapua.com

ଶିକ୍ଷାନୁଷ୍ଠାନଗୁଡିକରେ ଅସାମାଜିକ ନିଶାସକ୍ତ ଯୁବକଙ୍କ ଦୌରାତ୍ମ୍ୟ ନେଇ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର

ତାଳଚେର, ୫/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେରର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକରେ ଅସାମାଜିକ ନିଶାସକ୍ତ ଯୁବକଙ୍କର ବିଶୃଙ୍ଖଳିତ ଦୌରାତ୍ମ୍ୟ ଦେଖିବାକୁ ମିଳୁଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଶିକ୍ଷାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି। ଏଭଳି ଘଟଣା ପ୍ରତି ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ତାଳଚେର ଅଞ୍ଚଳ ଏକ ଖଣି ଖାଦାନ ଭରା ଶିଳ୍ପାଞ୍ଚଳ ହୋଇଥିବା ବେଳେ ଏଠାରେ ବିଭିନ୍ନ ଜାତି, ଧର୍ମ ଓ ଭାଷାଭାଷି ଲୋକମାନେ ରହି ଜୀବିକା ନିର୍ବାହ କରୁଛନ୍ତି। ଏପରି ସ୍ଥଳେ ଏଠାରେ ମୋଦକ, ଗଞ୍ଜେଇ, ଦେଶୀ ମଦ, କୋରେକ୍ସ, ଡ୍ରଗ୍ଧ ଆଦିର ବିଭିନ୍ନ ପ୍ରକାର ନିଶା ବିକ୍ରି ଓ ବ୍ୟବହାର ମଧ୍ୟ ବୃଦ୍ଧି ପାଉଛି। ସାଧାରଣ ପାନ ଦୋକାନ ଠାରୁ ଆରମ୍ଭ କରି ବିଭିନ୍ନ ବସ୍ତି ଅଞ୍ଚଳରେ ଥିବା ଦୋକାନଗୁଡିକରେ ଏଗୁଡିକ ବେଧଡ଼କ ବିକ୍ରି ହେଉଛି। ବେକାର ତଥା କମ ବୟସର ଯୁବକମାନେ ଏହି ଶସ୍ତା ନିଶା ସେବନ କରି ଉତ୍ପାତ କରିବାରେ ଲାଗିଛନ୍ତି। ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯିବା ସମୟରେ ସେମାନେ ଛାତ୍ରୀମାନଙ୍କ ପିଛା କରିବାସହ ସୁଯୋଗ ଦେଖି ବିଦ୍ୟାଳୟ ଓ ମହାବିଦ୍ୟାଳୟ ମଧ୍ୟରେ ପ୍ରବେଶ କରୁଛନ୍ତି। ଉକ୍ତ ଯୁବକମାନେ ନିଶାସକ୍ତ ଛାତ୍ରଛାତ୍ରୀମାନଙ୍କ ସହ ବନ୍ଧୁତା ଆଳ ଦେଖାଇ ଶିକ୍ଷାଦାନ କାର୍ଯ୍ୟ ଚାଲୁଥିବା ସମୟରେ ମଧ୍ୟ ଭେଟଭାଟ କରିବାକୁ ବାହାରକୁ ଡାକି ଅଣୁଛନ୍ତି ଓ ଅଶ୍ଳୀଳ ବ୍ୟବହାର ତଥା ଗଣ୍ଡୋଗୋଳ କରୁଛନ୍ତି। ପ୍ରକାଶ ଥାଉକି, ଗତ କିଛି ଦିନ ତଳେ ତାଳଚେର ସ୍ୱଂୟଶାସିତ ମହାବିଦ୍ୟାଳୟ ମଧ୍ୟରେ କିଛି ନିଶାଶକ୍ତ ଅସାମାଜିକ ଛାତ୍ର ପଶି ଜଣକୁ ମରଣାତ୍ମକ ଆକ୍ରମଣ କରିଛନ୍ତି। ଏଣୁ ଏଭଳି ଗମ୍ଭୀର ସମସ୍ୟା ପ୍ରତି ଦୃଷ୍ଟି ଦେଇ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ଦାବିପତ୍ର ମାଧ୍ୟମରେ ନିବେଦନ କରାଯାଇଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜକିଶୋର ସାହୁ, ପ୍ରଗତି ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରଭାତ କୁମାର ରଥ, କଂଗ୍ରେସ ନେତା ପ୍ରଦୀପ ମହାରଣା ପ୍ରମୁଖ ଆଜି ତାଳଚେର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସ୍ୱାତୀ. ଏସ୍. କୁମାରଙ୍କ ଅନୁପସ୍ଥିତିରେ ତାଙ୍କ କାର୍ଯ୍ୟାଳୟ ଠାରେ ଡାକ ଯୋଗେ ଉକ୍ତ ଦାବିପତ୍ର ପ୍ରଦାନ କରିଛନ୍ତି।