Odiapua.com

ଶିକ୍ଷକ-ଶିକ୍ଷୟିତ୍ରୀ ଓ ସ୍କୁଲ କର୍ମଚାରୀଙ୍କ ଜୀବନ-ଜୀବିକା ବିପନ୍ନ ଘରୋଇ ବିଦ୍ୟାଳୟ ମହାସଂଘର ସାମ୍ବାଦିକ ସମ୍ମିଳନୀ

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ । ସେମାନଙ୍କୁ ଆରୁଣି ପରି ଜଣେ ଜଣେ ଉପଯୁକ୍ତ ଗୁରୁ ମିଳିଲେ ଏ ସମାଜର ହିତ ସାଧନ ସହ ଶିକ୍ଷାକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ । ଏ କ୍ଷେତ୍ରରେ ଆମ ଦେଶରେ ଶିକ୍ଷାର ବିକାଶ ଓ ଅଗ୍ରଗତି ଦିଗରେ ବହୁ ଘରୋଇ ଶିକ୍ଷାନୁଷ୍ଠାନର ଭୁମିକା ଅଗ୍ରଗଣ୍ୟ ଓ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ । ଗୁଣାତ୍ମକ ଓ ମୂଳଭିତ୍ତିକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଏହି ବିଦ୍ୟାଳୟ ଗୁଡିକର କାର୍ଯ୍ୟ ପ୍ରଣାଳୀ ସର୍ବଦା ଅଗ୍ରଣୀ ଭୁମିକା ନେଇଥାଏ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବେସରକାରୀ ବିଦ୍ୟାଳୟ ମହାସଂଘର କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଛନ୍ତି । ରାଜ୍ୟ ବିଦ୍ୟାଳୟ ମହାସଂଘର ସଭାପତି ଅଶୋକ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି ନିଜ ମନ୍ତବ୍ୟରେ ବିଗତ ୭ମାସଧରି ମହାମାରୀ କରୋନାର ଭୟାବହତା ମଧ୍ୟରେ ବେସରକାରୀ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ/ଶିକ୍ଷୟତ୍ରୀ ନିଜର କର୍ତ୍ତବ୍ୟ ସୁଚାରୁରୁପେ ନିଭାଉଥିଲେ ମଧ୍ୟ ସେମାନେ ଏବେ ଦୟନିୟ ଅବସ୍ଥାରେ ଦିନ କାଟୁଛନ୍ତି ବୋଲି କହିବା ସହ ବିଶେଷ କରି ଏହି ଦିନରେ ପିଲାମାନଙ୍କ ଭବିଷ୍ୟତକୁ ନଜରରେ ରଖି ସେମାନେ ଅନ୍‌ଲାଇନ୍ କ୍ଲାସ ନେବା ସହ ଅନ୍‌ଲାଇନ୍‌ରେ ପରିକ୍ଷା ମଧ୍ୟ ଠିକ୍ ସମୟରେ ପରିଚାଳନା କରୁଥିବା ବିଷୟ ସୂଚାଇଥିଲେ । ଏବଂ ବେସରକାରୀ ବିଦ୍ୟାଳୟ ନିଜର ମାନବିକତାକୁ ଜାହିର କରିବାକୁ ଯାଇ ବିଦ୍ୟାଳୟ ଫିସ୍ ଆଦାୟ କରିନଥିବାବେଳେ ଅଭିଭାବକ ମାନେ ମଧ୍ୟ ସ୍ୱଇଚ୍ଛାରେ ଫିସ୍ ପ୍ରଦାନ ନକରିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସେ କହିଥିଲେ ।

ସ୍କୁଲର ଫିସ୍ ସୁଚାରୁ ରୁପେ ନଆସିବା ହେତୁ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଦୋହରିଯିବା ସହ ଶିକ୍ଷୟତ୍ରୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ଦରମା ପାଇବା ଦୁଃସହ ହୋଇପଡିଛି ବୋଲି ସେ ଅତ୍ୟନ୍ତ ଭାବବିହ୍ୱଳ କଣ୍ଠରେ କହିଥିଲେ । ଅନୁରୂପ ଲକ୍ଷ ଲକ୍ଷ ଶିକ୍ଷକ/ଶିକ୍ଷୟତ୍ରୀ ତଥା ଅନ୍ୟାନ୍ୟ କର୍ମଚାରୀ ମାନେ ଯେଉଁମାନେ ବେସରକାରୀ ବିଦ୍ୟାଳୟ ଉପରେ ନିର୍ଭର କରି ସେମାନଙ୍କର ପରିବାର ଭରଣ ପୋଷଣ କରୁଥିଲେ ସେମାନେ ଆଜି ନିଜକୁ ବେସାହାରା ମନେ କରୁଛନ୍ତି । ଯେଉଁ ଛୋଟ ଛୋଟ ବିଦ୍ୟାଳୟ ଗୁଡ଼ିକ ଗୁଣ୍ଡୁଚିମୂଷା ଭଳି ସମାଜ ଗଠନରେ ସହାୟକ ହେଉଥିଲେ, ସେମାନେ ବିଦ୍ୟାଳୟ ସ୍ଥାୟୀ ଖର୍ଚ୍ଚ ବିଦ୍ୟାଳୟ ଘର ଭଡ଼ା, ବିଦ୍ୟୁତ୍ ବିଲ୍ ଓ କର୍ମଚାରୀ ମାନଙ୍କ ଦରମା ଦେଇନପାରି ବନ୍ଦ ହେବାକୁ ବସିଲାଣି ବୋଲି ଏହି ସାମ୍ବାଦିକ ସମ୍ମିଳନିରେ ସମ୍ପାଦକ ପ୍ରହ୍ଲାଦ କର ମଧ୍ୟ କ୍ଷୋଭର ସହ କହିଛନ୍ତି । ଏ ଦିଗରେ ଏହି ବିଦ୍ୟାଳୟ ଗୁଡିକ ପ୍ରତି ସରକାର ଧ୍ୟାନ ଦେଇନଥିବାରୁ ଆଜି ବହୁ ଶିକ୍ଷକ-ଶିକ୍ଷୟିତ୍ରୀ ଜୀବନ ବିସର୍ଜନ କରିବାକୁ ପଛେଇବେ ନାହିଁ ବୋଲି ଚେତାବନି ଦେଇଥିବା ବିଷୟ ଶ୍ରୀ କର ଗଣମାଧ୍ୟମକୁ କହିଛନ୍ତି । ତେବେ ଏଭଳି ଅଭାବନୀୟ ଘଟଣା ଘଟିବା ପୂର୍ବରୁ ସେମାନେ ଆତ୍ମହତ୍ୟା ଭଳି ଭୁଲ୍ ରାସ୍ତା ବାଛିବା ପୂର୍ବରୁ ରାଜ୍ୟ ସରକାର ଅନ୍ୟ ମାନଙ୍କ ଭଳି ବେସରକାରୀ ବିଦ୍ୟାଳୟକୁ ଆର୍ଥିକ ସହାୟତା ଯୋଗାଇଲେ ସେମାନେ ନୂଆ ଜୀବନ ପାଇବା ସହ ବିଦ୍ୟାଳୟ ଗୁଡ଼ିକ ସଠିକ ଭାବେ ଚାଲି ପିଲାମାନଙ୍କ ଭବିଷ୍ୟତ ଉଜ୍ୱଳ ହେବ ବୋଲି ବହୁ କର୍ମକର୍ତ୍ତା ମତ ରଖିଥିଲେ । ଏତଦବ୍ୟତୀତ ମହାସଂଘ ନିଜ ଦାବି ମଧ୍ୟରେ ବେସରକାରୀ ବିଦ୍ୟାଳୟକୁ ଏକ ଜରୁରୀ କାଳିନ ସହାୟତା ପ୍ରଦାନ କରିବା ସହ ଶିକ୍ଷକ/ଶିକ୍ଷୟତ୍ରୀ ଓ କର୍ମଚାରୀ ମାନଙ୍କର ଦରମା ବହନ କରିବା, ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ ବିଦ୍ୟାଳୟ ମାନଙ୍କରେ ପ୍ରବେଶ ଶ୍ରେଣୀର ସର୍ବମୋଟ୍ ଛାତ୍ର/ଛାତ୍ରୀଙ୍କ ମଧ୍ୟରୁ ୨୫ ପ୍ରତିଶତ ଶିଶୁଙ୍କୁ ମାଗଣାରେ ଶିକ୍ଷାଦାନ ପ୍ରଦାନ କରୁଥିବାରୁ ସେହି ପାଉଣା ବିଦ୍ୟାଳୟ ମାନଙ୍କୁ ଯୋଗାଇଦେବା, ରିକ୍ସା ସହ ସ୍କୁଲ ଗାଡ଼ିରେ ରେଜିଷ୍ଟ୍ରେସନ ଫ୍ରି କରିବା ପାଇଁ ସରକାରଙ୍କୁ ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅନୁରୋଧ କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ କୁମାର ଦାସ, ପୁର୍ଣ୍ଣଚନ୍ଦ୍ର ସେନ୍‌, ସନ୍ତୋଷ କୁମାର ମିଶ୍ର, ଦିଲୀପ୍ କୁମାର ନନ୍ଦୀ, ଦୁର୍ଯ୍ୟେଧନ ପରିଡ଼ା, ଇତିଶ୍ରୀ ସାମଲ, ହରିହର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।