Odiapua.com

ଶିକ୍ଷକ ବଦଳିକୁ ବିରୋଧ ବଡକଣ୍ଟାପଡା ସ୍କୁଲ ସମ୍ମୁଖରେ ଛାତ୍ର ଅଭିଭାବକଙ୍କ ଧାରଣା

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକର ସାନଶାସନ ପଞ୍ଚାୟତ ଅନ୍ତର୍ଗତ ବଡକଣ୍ଟାପଡା ୟୁଜିଏମଇ ସ୍କୁଲ ସମ୍ମୁଖରେ ଶିକ୍ଷକ ବଦଳି ପ୍ରତିବାଦରେ ଛାତ୍ର ଓ ଅଭିଭାବକମାନେ ଗୁରୁବାର ଧାରଣା ଦେଇଥିବା ଜଣାଯାଇଛି। ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉଥିବା ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା ୧୨୦। ଶିକ୍ଷକ ସଂଖ୍ୟା ୪। ମାତ୍ର ସେଥିମଧ୍ୟରୁ ଗତ ଡିସେମ୍ବର ମାସରେ ଜଣେ ଶିକ୍ଷକ ଆନ୍ତଃଜିଲ୍ଲା ବଦଳି ହୋଇଥିଲେ। ଶିକ୍ଷକ ଅଭାବ ଥିବାରୁ ବଦଳ ଶିକ୍ଷକ ଯୋଗନଦେବା ପର୍ଯ୍ୟନ୍ତ ବଦଳି ହୋଇଥିବା ଶିକ୍ଷକଙ୍କୁ ରିଲିଭ ନକରିବାକୁ ଅଭିଭାବକମାନେ ବିଇଓଙ୍କୁ ଏକାଧିକବାର ଗୁହାରୀ କରିଥିଲେ। ଏହାକୁ କର୍ଣ୍ଣପାତ ନକରି ଗତ ୨ ତାରିଖ ଦିନ ବିଦ୍ୟାଳୟରୁ ଶିକ୍ଷକଙ୍କୁ ରିଲିଭ କରି ଦିଆଯାଇ ଥିଲା। ଇତି ମଧ୍ୟରେ ୧୦ ଦିନ ବିତିଯାଇଥିଲେ ମଧ୍ୟ ବଦଳ ଶିକ୍ଷକ ଯୋଗ ଦେଇ ନଥିଲେ। ପରୀକ୍ଷା ନିକଟତର ହୋଇ ଆସୁଥିବାରୁ ତୁରନ୍ତ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକମାନେ ବିଦ୍ୟାଳୟ ଫାଟକ ସମ୍ମୁଖ ତେନ୍ତୁଲିଆ-ବଡକଣ୍ଟାପଡା ଗ୍ରାମ୍ୟ ଉନ୍ନୟନ ରାସ୍ତା ଉପରେ ଧାରଣାରେ ବସିରହିଥିଲେ। ବିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଶିକ୍ଷାସଂଯୋଜକ କୈଳାସ ସାମଲଙ୍କୁ ଘଟଣାସ୍ଥଳକୁ ପଠାଯାଇ ବଦଳ ଶିକ୍ଷକଙ୍କ ରିଲିଭ ଚିଠି ଦେଖାଇ ଧାରଣା ପ୍ରତ୍ୟାହାର ପାଇଁ ଉଦ୍ୟମ କରାଯାଇଥିଲେ ବି ସଫଳ ହୋଇନଥିଲା। ବଦଳ ଶିକ୍ଷକ ନିଯୁକ୍ତ ପାଇଁ ବିଇଓଙ୍କ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଅଭିଭାବକଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି।