Odiapua.com

ଶିକ୍ଷକ ଅଭାବ ପୂରଣ ଦାବିରେ ବଡବନସ୍ତା ସ୍କୁଲରେ ତାଲା ପକାଇ ଧାରଣା

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକର ବଡବନସ୍ତା ଉପ୍ରା ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ କରି ଛାତ୍ରଛାତ୍ରୀ, ଅଭିଭାବକମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିରହିଥିଲେ। ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ପାଇଁ ଅନୁମୋଦନ ରହିଛି। ମାତ୍ର ବାସ୍ତବରେ ପ୍ରଥମ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୧୬ ଜଣ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଏଥିପାଇଁ ପ୍ରଧାନଶିକ୍ଷକଙ୍କ ସହ ଅନ୍ୟୁନ ୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିବା କଥା। ମାତ୍ର ବିଦ୍ୟାଳୟରେ ମାତ୍ର ୩ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି। ସେଥିମଧ୍ୟରୁ ଜଣେ ମାତୃତ୍ୱ ଛୁଟିରେ ଅଛନ୍ତି। ଫଳରେ ୨ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱାରା ଶିକ୍ଷାଦାନ ଉପଯୁକ୍ତ ଭାବେ ହୋଇପାରୁ ନାହିଁ। ଏଥିନେଇ ବହୁବାର ବ୍ଲକଶିକ୍ଷାଧିକାରୀଙ୍କୁ ଅଭିଭାବକଙ୍କ ପକ୍ଷରୁ ଜଣାଯାଇଛି। ଏପରିକି ଗତ ନଭେମ୍ବର ମାସରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମଧ୍ୟ ଧାରଣା ଦିଆଯାଇଥିଲା। ୮ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ବିଇଓଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ତାହା କାର୍ଯ୍ୟକାରୀ କରାଯାଇ ପାରିନାହିଁ। ଗତ ଗୁରୁବାର ପରମାନନ୍ଦପୁର ସ୍କୁଲ ପ୍ରଧାନଶିକ୍ଷୟତ୍ରୀ ଇନ୍ଦୁମତୀ ଦେହୁରୀଙ୍କୁ ବଡବନସ୍ତା ସ୍କୁଲରେ ଅବସ୍ଥାପିତ କରାଯାଇଥିଲା। ଏହା ଯଥେଷ୍ଟ ନୁହେଁ ବୋଲି ମତଦେଇ ଶୁକ୍ରବାର ଧାରଣା ଦିଆଯାଇଥିଲା। ବିଇଓ ଅଧିର କୁମାର ତରାଇ ଧାରଣାରତ ଅଭିଭାବକଙ୍କ ଆଲୋଚନା କରିଥିଲେ। ହେଲେ ଶିକ୍ଷକ ନିଯୁକ୍ତି ଦିଆନଗଲେ ଧାରଣା ପ୍ରତ୍ୟାହାର କରାଯିବ ନାହିଁ ବୋଲି ଅଭିଭାବକଙ୍କ ପକ୍ଷରୁ ରୋକଠୋକ କୁହାଯିବା ପରେ ଆଲୋଚନା ବିଫଳ ହୋଇଥିଲା। ସୋମବାର ଧାରଣା ଅବ୍ୟାହତ ରହିବ ବୋଲି ଅଭିଭାବକଙ୍କ ପକ୍ଷରୁ ଘୋଷଣା କରାଯାଇଛି।