Odiapua.com

ଶିକ୍ଷକଙ୍କ ମାଡରେ ଛାତ୍ର ଆହତ ଘଟଣା : ଚପାଇ ଦେବାକୁ ଉଦ୍ୟମ

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିର୍ମମ ଶିକ୍ଷକଙ୍କ ନିସ୍ତୁକ ମାଡରେ ଆହତ ଛାତ୍ରଙ୍କ ମାମଲା କାର୍ଯ୍ୟାନୁଷ୍ଠାନ ହେବ ନା ଚାପରେ ଚାପିଯିବ ମାମଲା ବୋଲି ଜନସାଧାରଣରେ ଆଲୋଚନା ହେଉଛି । ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ଆରୁହା ପଂଚାୟତର ତୁଳମତୁଳା ବାବାମଣି ହାଇସ୍କୁଲର ୮ମ ଶ୍ରେଣୀର ଛାତ୍ର କମଳା ଗୃହରେ ପାଣି ପିଇବାରୁ ଛାତ୍ରଙ୍କୁ ନିସ୍ତୁକ ମାଡ ମାରି ଆହତ କରିଛନ୍ତି । ଶିକ୍ଷକଙ୍କ ମାଡ ଭୟରେ ଘରେ କିଛି କହିନଥିଲା । ଅଷ୍ଟମ ଶ୍ରେଣୀର ଛାତ୍ର କମଳା ସାହୁ କ୍ଲାସରେ ବୋତଲରେ ପାଣି ପିଇବାରୁ ଶ୍ରେଣୀର ଶିକ୍ଷକ ସତ୍ୟନାରାୟଣ ଦାସ ରାଗି ଯାଇ ନିସ୍ତୁକ ମାଡ ଦେଇ ଥିଲେ । ଛାତ୍ର ଜଣକର ପିଠିରେ ଦାଗ ହେବା ସହିତ ପିଠିରେ କ୍ଷତ ସୃଷ୍ଟି ହୋଇଥିଲା । ସନ୍ଧ୍ୟାର ଜ୍ୱର ଆସିବାରୁ ପିଲାଟି ଘରେ ସବୁ କଥା କହିଥିଲା । କମଳାକୁ ଡାକ୍ତରଖାନାରେ ଭର୍ତି କରି ଚିକିତ୍ସା କରିଥିଲେ । କୁନି ଶିଶୁକୁ ମିର୍ମମ ଭାବେ ଅମାନୁଷିକ ଭାବେ ମାଡ ବିରୋଧରେ ନ୍ୟାୟ ପାଇଁ ପୁଅକୁ ଧରି ବିଦ୍ୟାଳୟର ପ୍ରଧାନଶିକ୍ଷକ ନିକଟରେ ପହଂଚି ଥିଲେ । ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ଘଟଣାଟିକୁ ଚପାଇ ଦେବାକୁ ଉଦ୍ୟମ କରି ବିଭିନ୍ନ ମହଲରେ ଚାପ ସୃଷ୍ଟି କରିଛନ୍ତି । ସରକାର ବିଦ୍ୟାଳୟ ପରିସରକୁ ଦଣ୍ଡ ମୁକ୍ତ ଅଂଚଳ ଘୋଷଣା କଲେ । ହେଲେ ଶିକ୍ଷକ ସତ୍ୟନାରାୟଣ ଦାସ ଛାତ୍ର ପାଣି ପିଇବାକୁ କେନ୍ଦ୍ର କରି ଅମାନୁଷିକ ଭାବେ ଗୋରୁଗାଈଙ୍କ ପରି ପିଟିବା ଓ କଥାକୁ ଚାପିବା ପାଇଁ ଉଦ୍ୟମ କରିବା ସବୁରି ମନରେ ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ପ୍ରତି ନକାରାତ୍ମକ ମନୋଭାବ ସୃଷ୍ଟି ହୋଇଛି । ଗରିବ ପିଲା ବୋଲି ଘଟଣାଟି ଚାପି ଦିଆଯିବ ବୋଲି ସବୁ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ଘଟଣାକୁ ଭଦ୍ରକ ଜିଲ୍ଲାପାଳ ଗମ୍ଭୀରତାର ସହ ନେଇ ତଦନ୍ତ ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏହି ବିଦ୍ୟାଳୟର ଜଣେ ଛାତ୍ରୀଙ୍କ ସହିତ ଅସଦାଚରଣ ଅଭିଯୋଗକୁ ଚପାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ମଧ୍ୟ ଅନୁରୂପ ଭାବେ ଚପାଇ ଦେବାକୁ କିଛି ନେତା ଛାତ୍ରର ପରିବାର ଉପରେ ଓ ପ୍ରଶାସନ ଉପରେ ଚାପ ସୃଷ୍ଟିକରି ରଫାଦଫା କରିବାକୁ ଉଦ୍ୟମ ହୋଇଛି ।