Odiapua.com

ଶାହାଙ୍କ ଗସ୍ତ ଭିତରେ;ରାଜ୍ୟ ବିଜେପିରେ ଚର୍ଚ୍ଚାରେ ଏକ ଫଟୋ

ଭୁବନେଶ୍ୱର:ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଆସିଲେ।ତାଙ୍କର କୌଣସି ଜନସଭା ନୁହଁ ସାଙ୍ଗଠନିକ ବୈଠକ ଥିଲା।ଶାହାଙ୍କର ଏହି ଦିନିକିଆ ଗସ୍ତ ଭିତରେ ରାଜ୍ୟ କୋର କମିଟି,ସୋସିଆଲ ମିଡିଆ ସେଲ କାର୍ଯ୍ୟକର୍ତ୍ତାଙ୍କର ରାଜ୍ୟ କାର୍ଯ୍ୟାଳୟରେ ବୈଠକ ଥିଲା।ଏବଂ ଭୁବନେଶ୍ୱର,ପୁରୀ,କଟକ ସଂସଦୀୟ କ୍ଷେତ୍ରର ୨୧ଟି ନିର୍ବଚନୀ ମଣ୍ଡଳୀରେ ଥିବା ପଞ୍ଚାୟତର ଦୁଇ ଜଣ ପ୍ରମୁଖଙ୍କୁ ନେଇ ପ୍ରଦର୍ଶନୀ ପଡ଼ିଆରେ ବୈଠକ ଥିଲା।ଏହା ବାଦେ ଶାହା ସଂପର୍କ ଫର ସମର୍ଥନ କାର୍ଯ୍ୟକ୍ରମ ଅନୁଯାୟୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ଭେଟିଥିଲେ।ଏବଂ ୟୁବିଏସଏସ କାର୍ଯ୍ୟାଳୟରେ ସଂଘ ସହ ରୃଦ୍ଧଦ୍ୱାର ବୈଠକ ଥିଲା।
ଅର୍ଥାତ୍ କାର୍ଯ୍ୟକ୍ରମ ପୂରା ଟାଇଟ ଥିଲା।ଅନେକ କାର୍ଯ୍ୟକର୍ତ୍ତା ଶାହାଙ୍କ ବୈଠକରେ ରହିବାକୁ ବ୍ୟାକୁଳ ଥିଲେ।କୋଉ ବୈଠକରେ କିଏ ରହି ପାରିବ,କିଏ ସ୍ୱାଗତ କରିବ,କିଏ ଫୁଲ ମାଳ ପିନ୍ଧାଇବ,କିଏ ଟୀକା ଲଗାଇବ ସମସ୍ତେ ଯିଏ ଯାହା ପ୍ରୟାସରେ ଲାଗି ପଡ଼ିଥିଲେ।ଶାହାଙ୍କ ପାଖାପାଖି ରହିବାର ଯିଏ ଯାହାର ନିଜ ନିଜ ଫଟୋ ପାଇଲା ସୋସିଆଲ ମିଡିଆରେ ପୋଷ୍ଟ କଲା।ଅନେକ ବଡ଼ ବଡ଼ ନେତା/ନେତ୍ରୀ ଏହି ପ୍ରତିଯୋଗିତାରେ ଥିଲେ।
ତେବେ ଶାହାଙ୍କ ସହ ଥିବାର ଜଣଙ୍କର ଏକ ପୋଷ୍ଟ ରାଜ୍ୟ ବିଜେପି ଭିତରେ ଖୁବ୍ ଆଲୋଚନା ହେଉଛି।ଏତେ ଟାଇଟ ପ୍ରୋଗ୍ରାମ ମଧ୍ୟରେ ଅନ୍ୟମାନେ ଶାହାଙ୍କ ସହ ଫଟୋ ପାଇଁ ବ୍ୟାକୁଳ ହେଉଥିବା ବେଳେ ସେ କିନ୍ତୁ ଖୁବ୍ ଆରାମରେ ଶାହାଙ୍କ ସହ ରାଜ୍ୟ କାର୍ଯ୍ୟାଳୟ ଭିତରେ ବସିଛନ୍ତି।ସାଙ୍ଗରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଯୁବକ ଜଣଙ୍କ ନାମ ସାରଦା (ବୁଲୁ ପ୍ରଧାନ), ଘର ମହଙ୍ଗା ଅଞ୍ଚଳରେ।ସେ ବିଜେପିର ସେପରି କିଛି ପ୍ରମୁଖ ଦାୟିତ୍ୱରେ ନାହାଁନ୍ତି।ବିଜେପି ଭିତରେ ଅନେକ ତାଙ୍କୁ ଚିନ୍ହନ୍ତି ମଧ୍ୟ ନାହିଁ।କିନ୍ତୁ ଶାହା ଏବଂ ଧର୍ମେନ୍ଦ୍ରଙ୍କ ସହ ତାଙ୍କର ଏପରି ଏକାନ୍ତ ଆଲୋଚନାର ଫଟୋ,କ’ଣ ବା କାରଣ ହୋଇଥାଏ ପାରେ ଭାବି ବିଜେପି ଭିତରେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ପରସ୍ପର ଭିତରେ ଭିତରେ ଆଲୋଚନା ଚାଲିଛି।