Odiapua.com

ଶାରଦୀୟ ଦୁର୍ଗା ପୂଜା ଅବସରରେ ଶ୍ରୀକ୍ଷେତ୍ରରେ ବିଭିନ୍ନ ଶକ୍ତି ପୀଠରେ ଷୋଢ଼ଶ ଉପଚାର ପୂଜା

ପୁରୀ ୨୩-୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶାରଦୀୟ ଦୁର୍ଗା ପୂଜା ଅବସରରେ ଶ୍ରୀକ୍ଷେତ୍ରରେ ବିଭିନ୍ନ ଶକ୍ତି ପୀଠରେ ଦେବୀମାନଙ୍କର ଚାଲିଛି ଷୋଢ଼ଶ ଉପଚାର ପୂଜା। ଏହି ଅବସରରେ ପୁରୀର ପ୍ରସିଦ୍ଧ ଶ୍ୟାମାକାଳୀ ମନ୍ଦିରରେ ଚାଲିଛି ଷୋଢ଼ଷ ପୂଜା। ଚଣ୍ଡୀପାଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ମନ୍ଦିର ପ୍ରାଙ୍ଗଣରେ। ଶାରଦୀୟ ଦୂର୍ଗାତ୍ସୋବରେ ଷୋଢ଼ଷ ଉପଚାରରେ ପୂଜା ବିଧିର ସ୍ବତନ୍ତ୍ରତା ରହିଛି। ଏହି ସମୟରେ ଶକ୍ତି ପୀଠ ଗୁଡିକରେ ଠାକୁରାଣୀ ମାନଙ୍କର ଷୋଢ଼ଷ ଉପଚାର ପୂଜା ଅନୁଷ୍ଠିତ ହୋଇଥାଏ। ଶ୍ରୀକ୍ଷେତ୍ରରେ ଗଜପତିଙ୍କ ଦ୍ବାରା ବରଣ ହୋଇଥିବା ବ୍ରାହ୍ମଣମାନେ ବିଭିନ୍ନ ଶକ୍ତିପୀଠକୁ ପ୍ରତ୍ୟେକ ଦିନ ଷୋଢ଼ଷ ଉପଚାର ପୂଜା ବିଧି ସହ ଚଣ୍ଡୀ ପାଠ କରିଥାନ୍ତି। ଏହି ସମୟରେ ଶ୍ୟାମାକାଳୀଙ୍କ ଶକ୍ତି ପୀଠରେ ସପ୍ତମୀ ଓ ଅଷ୍ଟମୀ ତିଥିରେ ଅଷ୍ଟଭୂଜା ବେଶ ଓ ନବମୀରେ ଦଶଭୂଜା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।

ଶ୍ରୀକ୍ଷେତ୍ରରେ ରହିଛି ଅନେକ ଶକ୍ତି ପୀଠ। ଗତ ମୂଳାଷ୍ଟମୀ ଠାରୁ ଶ୍ୟାମାକାଳୀ, ବରାହୀ, ମରିଚେଇ, ଅଲାମଚଣ୍ତୀ, ରାମଚଣ୍ଡୀ ଆଦି ପ୍ରମୁଖ ଶକ୍ତି ପୀଠ ଗୁଡିକରେ ଷୋଢ଼ଷ ଉପଚାର ପୂଜା ଆରମ୍ଭ ହୋଇଥିବା ବେଳେ ଏହି ଶକ୍ତିପୀଠର ପରମ୍ପରା ଅନୁଯାୟୀ ସେଠାରେ ଠାକୁରାଣୀଙ୍କର ବିଭିନ୍ନ ପ୍ରକାର ବେଶ ଅନୁଷ୍ଠିତ ହୋଇଥାଏ। କେବଳ ସେତିକି ନୁହେଁ ଅନେକ ଶକ୍ତି ପୀଠ ଗୁଡ଼ିକରେ ଶଙ୍ଖୁଡି ଭୋଗ ତଥା ଆମିଷ ଭୋଗ ମଧ୍ୟ ମା ଙ୍କ ପାଖରେ କରାଯାଇଥାଏ। ଏହାକୁ ପ୍ରସାଦ ରୂପରେ ଭକ୍ତ ମାନେ ସେବନ କରି ନିଜକୁ ଭାଗ୍ୟବାନ ମନେ କରିଥାନ୍ତି।

ଗତ ଦୁଇ ବର୍ଷ ହେବ କୋଭିଡ କଟକଣା ଯୋଗୁଁ ଭକ୍ତମାନେ ଷୋଡ଼ଷ ଉପଚାର ପୂଜା ସମୟରେ ଠାକୁରାଣୀଙ୍କ ଦର୍ଶନରୁ ବଞ୍ଚିତ ଥିଲେ। ତେବେ ଚଳିତ ବର୍ଷ କଟକଣା ମୁକ୍ତ ଥିବାରୁ ଭକ୍ତଙ୍କ ମହଲରେ ଆନନ୍ଦର ମାହୋଲ ଦେଖିବାକୁ ମିଳିଛି। ସେପଟେ ଶ୍ରୀମନ୍ଦିର ଭିତରେ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା ବିମଳାଙ୍କ ର ମଧ୍ୟ ଷୋଢ଼ଷ ଉପଚାର ପୂଜା ଚାଲିଥିବା ବେଳେ ଭକ୍ତଙ୍କ ଆଗମନ ବଢ଼ିବାରେ ଲାଗିଛି।