Odiapua.com

ଶାନ୍ତିନିକେତନ ଓ ଗୀତାଞ୍ଜଳି କାବ୍ୟ ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋରଙ୍କୁ ବିଶ୍ୱବିଦିତ କରିଛି

ଭୁବନେଶ୍ୱର ୭ା୮ (ଓଡ଼ିଆ ପୁଅ) : ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଏବଂ ଗୀତାଞ୍ଜଳି କବିତା ଲେଖି ନୋବେଲ୍ ପୁରସ୍କାର ପାଇଥିବା ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ୮୧ତମ ଶ୍ରାଦ୍ଧୋତ୍ସବ ଆଜି ପ୍ରତ୍ୟୁଷରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପସ୍ଥ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଯୋଗଦେଇ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବକ୍ତାମାନେ ନିଜ ବକ୍ତବ୍ୟରେ ରବୀନ୍ଦ୍ରନାଥ ଟାଗୋରଙ୍କର ସାହିତ୍ୟ ସୃଷ୍ଟି ସହିତ ଶିକ୍ଷା ପ୍ରସାର ଦିଗରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା। ତାଙ୍କ ଲେଖନୀ ମୁନରେ ସୃଷ୍ଟି ପୁସ୍ତକ ଯୋଗୁଁ ଭାରତୀୟ ତଥା ବିଶ୍ୱସାହିତ୍ୟ ସମୃଦ୍ଧ ହୋଇପାରିଛି। ଏକ ଶାନ୍ତ ପରିବେଶରେ ସ୍ନାତକୋତ୍ତର ଓ ଗବେଷଣା ଶିକ୍ଷା ଭିତ୍ତିଭୂମି ସୃଷ୍ଟି ପାଇଁ ସେ ଶାନ୍ତିନିକେତନ ପ୍ରତିଷ୍ଠା କରିଥିଲେ। ଯେଉଁ ଅନୁଷ୍ଠାନ ଶିକ୍ଷା କ୍ଷେତ୍ରରେ ଏକ ମାଇଲ୍ ଖୁଣ୍ଟି ସୃଷ୍ଟି କରିଛି। ଶାନ୍ତିନିକେତନରେ ଅଧ୍ୟୟନ କରୁଥିବା ବହୁ ବିଦ୍ୟାର୍ଥୀ ଦେଶପ୍ରେମରେ ଉଦ୍‌ବୃଦ୍ଧ ହୋଇ ପରବର୍ତ୍ତୀ ଅବସ୍ଥାରେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ୍ ହେବା ସହ ଦେଶଭକ୍ତର ପରିଚୟ ଦେଇଛନ୍ତି। ଏହି ଅନୁଷ୍ଠାନ ବିଭିନ୍ନ କ୍ଷେତ୍ରରେ ଉଜ୍ଜ୍ୱଳ ପ୍ରତିଭା ସୃଷ୍ଟି କରିଛି। ରବୀନ୍ଦ୍ରନାଥଙ୍କ ଗୀତାଞ୍ଜଳି କାବ୍ୟ ପାଇଁ ସେ ନୋବେଲ୍ ପୁରସ୍କାର ପାଇଥିଲେ। ଏହି କବିତା ସେ ତାଙ୍କ ଜଗତ୍‌ସିଂହପୁର ଜିଲ୍ଲାର ପଣ୍ଡୁଆସ୍ଥିତ ଜମିଦାରୀଠାରେ ରହି ଲେଖିଥିଲେ ବୋଲି ଗବେଷକମାନେ ମତବ୍ୟକ୍ତ କରିଥାନ୍ତି। ଓଡ଼ିଶା ସହ ତାଙ୍କର ଭାବଗତ ସମ୍ପର୍କ ନିବିଡ ଥିଲା ତାଙ୍କୁ ସମ୍ମାନ ଦେଇ ଓଡ଼ିଶା ସରକାର ଭୁବନେଶ୍ୱରରେ ରବୀନ୍ଦ୍ର ମଣ୍ଡପ ପ୍ରତିଷ୍ଠା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲ, ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ଡକ୍ଟର ଜୀବନ ଦୀକ୍ଷିତ୍‌, ସତ୍ୟବ୍ରତ ଜେନା, ସମାଜସେବୀ ଗିରିଜା ମହାପାତ୍ର, ଉଇ ଫର ଭୁବନେଶ୍ୱରର ସଭ୍ୟବୃନ୍ଦ, ପୂର୍ବତନ କର୍ପୋରେଟର ନରେନ୍ ସାହୁ, ଉମାନାଥ ମିଶ୍ର, ଗୁରୁଚରଣ ସାହୁ, ରଶ୍ମିତା ମଲ୍ଲିକ, ରାମଚନ୍ଦ୍ର ପ୍ରଧାନ, ଶିବ ସୁଆର, ମାନସ ମହାନ୍ତି ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।