Odiapua.com

ଶାଗୁଆନ ଗଣ୍ଡିକୁ ନେଇ ମହାଭାରତ, ମୂଲ୍ୟ ଧାର୍ଯ୍ୟ କରିବାକୁ ଯାଇ କେଶ୍ ଖାଇଲେ ତହସିଲଦାର

ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲାର ଚାନ୍ଦବାଲି କୋର୍ଟ ପରିସରରେ ଥିବା ଶାଗୁଆନ ଗଛଟି ଗତ ବୁଲ୍‌ବୁଲ୍ ବାତ୍ୟାରେ ଉପୁଡି ପଡିଥିଲା । ଏବେ ସେହି ଶାଗୁଆନ ଗଣ୍ଡିକୁ ନେଇ ମହାଭାରତ ସୃଷ୍ଟି ହୋଇଛି । ସଂପୃକ୍ତ ଗଛ ଗଣ୍ଡିକୁ ନେଇ ଓକିଲ ଓ ଚାନ୍ଦବାଲି ତହସିଲଦାର ମୁହାଁମୁହିଁ ହୋଇଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ମାମଲାରେ ସଂପୃକ୍ତ କୋର୍ଟର ବିଚାରପତି ହସ୍ତକ୍ଷେପ କରିଥିଲେ । ଏନେଇ କୋର୍ଟ ତହସିଲଦାରଙ୍କୁ କୈଫିୟତ ମାଗିବା ପରେ ବିବାଦ ଉଗ୍ରରୂପ ଧାରଣ କରିଛି । ତଥ୍ୟ ଅନୁଯାୟୀ, ଚାନ୍ଦବାଲିରେ ନୂଆ କୋର୍ଟ ଖୋଲିବା ବେଳକୁ ଜାଗା ଅଭାବ ଦେଖା ଦେଇଥିଲା । ଫଳରେ ରାଜସ୍ୱ ବିଭାଗର ଏକ ସେଡ୍‌ରେ କୋର୍ଟ ଖୋଲିଥିଲା । ଆଜିଯାଏ ଚାନ୍ଦବାଲି କୋର୍ଟ ଜମି ରାଜସ୍ୱ ବିଭାଗ ଖାତାରେ ଗଡୁଛି । ତେବେ ୨୦୧୯ ବୁଲ୍‌ବୁଲ୍ ବାତ୍ୟା ବେଳେ କୋର୍ଟ ପରିସରରେ ଏକ ବିଶାଳକାୟ ଶାଗୁଆନ ଗଛ ଉପୁଡି ପଡିଥିଲା । ଶାଗୁଆନ ଗଛଟି କୋର୍ଟ ପରିସରରେ ପଡି ବିଷମ ପରିସ୍ଥିତି ସୃଷ୍ଟି କରିବାରୁ ତତ୍‌କାଳୀନ ବିଚାରପତିଙ୍କ ଲିଖିତ ଚିଠି ମାଧ୍ୟମରେ ଚାନ୍ଦବାଲି ଜଂଗଲ ବିଭାଗ ଡିଏଫ୍‌ଓଙ୍କୁ ଗଛ ବାବଦରେ ଜଣାଇଥିଲେ । ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ଜଂଗଲ ବିଭାଗ ରେଞ୍ଜର କୋର୍ଟ ପରିସରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ରେଞ୍ଜର ଓ ସ୍ଥାନୀୟ ଆରଆଇଙ୍କ ମିଳିତ ତନଖି ପରେ ଏହି ଗଛଟିକୁ କଟାଯାଇ କୋର୍ଟ ପରିସରରେ ଥିବା ବାର ଆସୋସିଏସନ୍‌ର ତତ୍‌କାଳୀନ ସଂପାଦକ ଆଇନ୍‌ଜୀବୀ ଯତୀନ୍ଦ୍ର ମହାନ୍ତିଙ୍କୁ କାଗଜପତ୍ର କରାଯାଇ ଜିମା ଦିଆଯାଇଥିଲା । ଏହାପରେ ଜଂଗଲ ବିଭାଗ କିମ୍ବା ତହସିଲ କାଠଗଣ୍ଡିର ଖୋଜ ଖବର ନେଇନଥିଲେ । ତେବେ ଏବେକାର ତହସିଲଦାର ସୁଶାନ୍ତ ସୂତାର ପୁରୁଣା ଫାଇଲ୍ ଖେଳାଇ ଆରଆଇଙ୍କ ଜରିଆରେ ମୂଲ୍ୟବାନ କାଠ ଗଣ୍ଡି ଓକିଲଙ୍କ ଜିମାରେ ଥିବା ଦେଖିବାକୁ ପାଇଥିଲେ । ତହସିଲ କର୍ମଚାରୀ ଓ ରାଜସ୍ୱ ନିରୀକ୍ଷକ କୋର୍ଟ ପରିସରକୁ ଯାଇ ଶାଗୁଆନ ଗଛର ଗଣ୍ଡିକୁ ନପାଇ ଜିମା ରଖିଥିବା ଓକିଲଙ୍କୁ ପଚାରିଥିଲେ । କାଠଗଣ୍ଡିର ମୂଲ୍ୟ ଜାଣିବାକୁ ଯାଇ ଉଭୟ ଜଂଗଲ ବିଭାଗ କର୍ମଚାରୀ ଓ ରାଜସ୍ୱ ବିଭାଗ କର୍ମଚାରୀ କୋର୍ଟ ପରିସରରେ ମପାମପି କରିଥିଲେ । ଓକିଲମାନେ ଏହାକୁ ବିରୋଧ କରିଥିଲେ ।

ଖବର ପାଇ ତହସିଲଦାର ଶ୍ରୀ ସୂତାର ଘଟଣାସ୍ଥଳରେ ପହଞ୍ôଚଥିଲେ । ଏହାପରେ ତହସିଲଦାର ଏବଂ ଓକିଲଙ୍କ ମଧ୍ୟରେ ବଚସା ହୋଇଥିଲା । ବିନା ଅନୁମତିରେ କେମିତି ମାପଚୁପ ଚାଲିଛି ବୋଲି କେତେଜଣ ଓକିଲ ଦୌଡିଯାଇ ବିଚାରପତିଙ୍କୁ ଜଣାଇଥିଲେ । ବିଚାରପତି ମଧ୍ୟ ତହସିଲଦାରଙ୍କୁ ନିଜ ଚେମ୍ବରକୁ ଡକାଇ ଏ ସଂପର୍କରେ ପଚାରିଥିଲେ । ଏହାପରେ ସତ ପଦାକୁ ଆସିଥିଲା । ଅନ୍ୟପକ୍ଷରେ ଏହି ଘଟଣାର ପରଦିନ ଜାନୁଆରୀ ୨୯ ତାରିଖରେ ତହସିଲଦାରଙ୍କ ବିରୋଧରେ କେତେଜଣ ଓକିଲ ଚାନ୍ଦବାଲି କୋର୍ଟରେ ମାମଲା ନଂ ୧୫/୨୧ ରେ ଏକ ମିଶ୍ କେଶ୍ ଦାୟର କରିଛନ୍ତି । ଓକିଲ ଓ ତହସିଲଦାର ମୁହାମୁହିଁ ହେବା ପରେ ବିଚାରପତି ଚୁପ୍ ରହିଛନ୍ତି । ଏହି ଘଟଣା ଚାନ୍ଦବାଲି ରାଜନୀତିକୁ ମଧ୍ୟ ହଲଚଲ କରିଛି । ଗୋଟିଏ ପଟେ ରାଜସ୍ୱ ବିଭାଗ ଦାବି କରୁଛି ୨୦୦୮ ରୁ ରାଜସ୍ୱ ବିଭାଗ ଜମିରେ କୋର୍ଟ ଚାଲୁଥିବାରୁ ରାଜସ୍ୱ କର୍ମଚାରୀ ଏହି ଜମିରେ ମାପଚୁପ କରିପାରିବେ । ବିଶାଳକାୟ ଶାଗୁଆନ ଗଛ ନିଲାମ ହୋଇଥିଲେ ସରକାରୀ ତହବିଲ୍‌କୁ ରାଜସ୍ୱ ଆସିଥାନ୍ତା । ତେଣୁ ପୁରୁଣା ଫାଇଲ୍‌କୁ ଖେଳାଇ ଏହା ଖୋଳତାଡ କରାଯାଇଛି । ଅନ୍ୟପକ୍ଷରେ ଜିମା ନେଇଥିବା ଓକିଲ ସଫେଇ ଦେଉଛନ୍ତି, ଭାଙ୍ଗିପଡି କଟା ଯାଇଥିବା କାଠ ଗଣ୍ଡି କୋର୍ଟ ପରିସରରେ ପଡି ପଡି ବର୍ଷକ ପରେ ଉଈ ଖାଇଗଲା । ସେଥିରେ ଆମ ଦୋଷ କର! ତେବେ ଏହି ଘଟଣା କ୍ରମଶଃ ରାଜନୈତିକ ରୂପ ନେଲାଣି ।