Odiapua.com

ଶରତଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଛି : ଜିଲ୍ଲା ସଭାପତି

କେନ୍ଦ୍ରାପଡ଼ା ୩ -୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡ଼ା ପୌରପାଳିକାର ପୂର୍ବତନ କାଉନସିଲର ଶରତ ବେହୁରାଙ୍କୁ କଂଗ୍ରେସ ଦଳରୁ ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରାଯାଇଥିବା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ଜଣାଇଛନ୍ତି। ଜିଲ୍ଲା କଂଗ୍ରେସ ସଭାପତି ଏକ ପ୍ରେସ ବିବୃତ୍ତି ଜାରିକରି କହିଛନ୍ତି ଯେ, ଦଳବିରୋଧୀ ଆଚରଣ ପାଇଁ ଶରତଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଅନୂରୁପ ଭାବେ କେନ୍ଦ୍ରାପଡା ନଗର କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରେସ ବିବୃତ୍ତି ଗଣମାଧ୍ୟମକୁ ପ୍ରଦାନ କରାଯାଇ ସେଥିରେ କୁହାଇଛି ଯେ ଗତ ଜାନୁୟାରୀ ୨୭ ତାରିଖରୁ ଶ୍ରୀ ବେହୁରାଙ୍କୁ ଦଳରୁ ବହିଷ୍କାର କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ ନଗର କଂଗ୍ରେସ ପକ୍ଷରୁ ପିସିସି ସଭାପତିଙ୍କୁ ସୁପାରିସ କରାଯାଇଥିଲା ବୋଲି ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି ଏହି ପ୍ରେସ ବିବୃତ୍ତିରେ ଜଣାଇଛନ୍ତି। ସେ କହିଛନ୍ତି ଯେ ଶ୍ରୀ ବେହୁରା କଂଗ୍ରେସ ଦଳରୁ ବହୁ ଫାଇଦା ହାସଲ କରିଛନ୍ତି। ଦଳ ପାଇଁ ତାଙ୍କ ସହଧର୍ମିଣୀ ଓ ପୁଅକୁ ଚାକିରି ମିଳିଛି। ବଡ଼ ଗାଡି କରିବା ପାଇଁ ଋଣ ମଧ୍ୟ ସେ ଦଳ ପାଇଁ ପାଇଛନ୍ତି। କଂଗ୍ରେସ ଯୋଗୁ ସେ ଅର୍ବାନ ବ୍ୟାଙ୍କରେ ଏକାଧିକଥର ନିର୍ଦେଶକ ପଦରେ ବସିଛନ୍ତି। ଏ ସମସ୍ତ ସୁବିଧା ସୁଯୋଗ ହାତେଇବା ପରେ ବି ସେ ଦଳବିରୋଧୀ କାର୍ଯ୍ୟ କରିଛନ୍ତି। ତାଙ୍କ ଆଚରଣ ଓ ଉଚାରଣର ଲକ୍ଷ୍ମଣରେଖା ସେ ଅତିକ୍ରମ କରିଗଲେ। ତେଣୁ ତାଙ୍କୁ ବହିଷ୍କାର କରାଯିବା ପାଇଁ ଗତ ୨୭ ତାରିଖରେ ସୁପାରିସ କରାଯାଇଥିଲା। ଏ ସଂକ୍ରାନ୍ତରେ ଜିଲ୍ଲା ସଭାପତି ନିଷ୍ପତ୍ତି ଗ୍ରହଣ କରି ତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛନ୍ତି। ଶରତ ବେହୁରାଙ୍କୁ ନେଇ ସହରର ପୌର ରାଜନୀତି ଏବେ ସରଗରମ ହୋଇଛି। କାରଣ କେନ୍ଦ୍ରାପଡ଼ା ପୌରପାଳିକାର ନଗରପାଳ ପଦବୀ ପାଇଁ ଶରତ ଆଶୟୀ ଥିଲେ। ବିଜେଡିରୁ ସେ ଟିକେଟ ପାଇବେ ବୋଲି ଆଶାବାଦୀ ହୋଇ କଂଗ୍ରେସରୁ ଇସ୍ତଫା ଦେଇଥିବା ଆଲୋଚନା ହେଉଛି। କିନ୍ତୁ ନଗରପାଳ ଟିକଟ ସାଧାରଣବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ହେବା ପରେ ଶରତ ବିଜେଡିରେ ମିଶି ଦଳୀୟ ଟିକେଟ ହାତେଇ ନେଇ ନଗରପାଳ ହେବାକୁ ଥିବା ଆଶା ତାଙ୍କର ଏବେ ମଉଳି ଯାଇଛି। କିନ୍ତୁ ସେ ନିଜ ପତ୍ନୀ ମାନସ ମଞ୍ଜରୀଙ୍କ ପାଇଁ ଟିକଟ ହାତେଇବାକୁ ଜୋରଦାର ଉଦ୍ୟମ କରୁଥିବା ଜଣାପଡିଛି। କିନ୍ତୁ ଏଥିରେ କେତେଦୂର ସେ ସଫଳ ହେଉଛନ୍ତି ତାହା ସମୟ କହିବ!