Odiapua.com

ଶବ ବୁହା ଗାଡି ଓଲଟିଲା ଅଳ୍ପକେ ବଂଚିଲେ ଶବ ବାହାକ

ନୟାଗଡ଼ ୨୦/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ଥାନା ରଣପୁର ନୟାଗଡ ରାସ୍ତା ର ଅସୁରକୁମାରୀ ଛକ ନିକଟରେ ଗତ ମେ ୧୯ ତାରିଖ ରାତ୍ରି ୩ ଘଟିକା ୩୦ ମିନିଟ୍ ସମୟରେ ଏକ ମୁକ୍ତିରଥ ଓଲଟି ପଡିଥିବା ବେଳେ ମାଲ ଭାଇମାନେ ଅଳ୍ପକେ ବଂଚିଯାଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ୧୯ ତାରିଖ ସଂନ୍ଧ୍ୟା ରେ ରଙ୍କଦେଉଳି ଗ୍ରାମପଞ୍ଚାୟତ ଖଳିପାଟଣା ଗ୍ରାମର ମଲ୍ଲୀକା ଦେବୀ ଙ୍କର ମୃତ୍ୟୁ ଘଟିଥିଲା। ତାଙ୍କୁ ପୁରୀ ସ୍ୱର୍ଗଦ୍ୱାର ରେ ଶବ ସଂସ୍କାର ପାଇଁ ମୁକ୍ତିରଥ ଯୋଗେ ନିଆଯାଇଥିଲା। ଶବ ସଂସ୍କାର କରି ଫେରିବା ସମୟରେ ପ୍ରତ୍ୟକ୍ଷଦର୍ଶୀ ଙ୍କ ସୂଚନା ଅନୁଯାଇ ଡ୍ରାଇଭର ର ଅସାବଧାନତା ଯୋଗୁଁ ଅସୁରକୁମାରୀ ଛକ ନିକଟରେ ଓ ଡି ୨୫ ବି ୬୬୫୫ ନମ୍ବର ବିଶିଷ୍ଟ ମୁକ୍ତିରଥଟି ଓଲଟି ପଡିଥିଲା।

ସେହି ମୁକ୍ତି ରଥରେ ମଲ୍ଲୀକା ଙ୍କ ମଝିଆଁ ପୁଅ ଜୟକୃଷ୍ଣ ସାହୁ, ସାନପୁଅ ଦାଶରଥି ସାହୁ, ସଂସାରୀ ସାହୁ, ପ୍ରଦୀପ୍ତ ସାହୁ, ପ୍ରଶନ୍ନ ସାହୁ ଓ ଗଙ୍ଗାଧର ସାହୁ ଆଦି ମାଲଭାଇ ମାନେ ଫେରୁଥିବା ବେଳେ ଦୁର୍ଘଟଣା ର ଶୀକାର ହୋଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ମୁକ୍ତିରଥ ଭିତରୁ ସମସ୍ତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ରଣପୁର ଡାକ୍ତର ଙ୍କ ସୂଚନା ଅନୁଯାଇ ସମସ୍ତ ଆହତ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଗାଡି ଓଲଟିବା ର ଦୃଶ୍ୟ ଏପରିଥିଲା ଯେ ଦେଖଣାହାରୀ ଙ୍କ କହିବା ଅନୁଯାଇ ଅଳ୍ପକେ ମାଲଭାଇ ମାନେ ବଂଚିଯାଇଛନ୍ତି। ମଲ୍ଲୀକା ଙ୍କ ବଡପୁଅ ଓ ଅନ୍ୟମାନେ ପୁର୍ବରୁ ବୋଲେର ଗାଡି ଯୋଗେ ନିଜଗ୍ରାମ ଖଳି ପାଟଣାକୁ ଫେରି ଯାଇଥିଲେ। ଏ ସର୍ମ୍ପକେ ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡାଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ଏ ସର୍ମ୍ପକେ ମୋ ପାଖରେ ଅଭିଯୋଗ ନାହିଁ। ପ୍ରଥମେ ଆପଣଙ୍କ ଠାରୁ ଘଟଣା ସର୍ମ୍ପକେ ଶୁଣିଲି।