Odiapua.com

ଶନିବାର ଓ ରବିବାର ଶଟଡାଉନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା : ଆଇନ ଅମାନ୍ୟ ହେଲେ କଡା କାର୍ଯ୍ୟାନୁଷ୍ଠାନ

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ଏଣିକି ପ୍ରତି ଶନିବାର ଓ ରବିବାର ସମଗ୍ର ରାଜ୍ୟରେ ଶଟଡାଉନ ଘୋଷଣା ପରେ ଭଦ୍ରକ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଜିଲ୍ଲା ପାଇଁ ନୀତି ଧାର୍ଯ୍ୟ କରିବା ସହିତ ଆଇନକୁ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି । ଆଇନ ଉଲଂଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଡ. ଦାସ ସୂଚନା ଦେଇଛନ୍ତି । କଣ୍ଟେନମେଣ୍ଟ ଜୋନ ଓ ବଫରଜୋନକୁ ବାଦ ଦେଇ ଅନ୍ୟ ଅଞ୍ଚଳ ପାଇଁ କଟକଣାରେ ଲଡକଡାଉନ ୫ରେ ବହୁତ କିଛି କୋହଳ କରାଯାଇଛି । ଦୋକାନ ବଜାର ଖୋଲା ରଖିବା ସମୟ ସନ୍ଧ୍ୟା ୬ ପର୍ଯ୍ୟନ୍ତ ରହିଛି । ଏହା ବ୍ୟତୀତ ସମସ୍ତ ଦୋକାନରେ ଦୋକାନୀ ଏବଂ ଗ୍ରାହକ ସାମାଜିକ ଦ୍ୱରତ୍ୱ ରକ୍ଷା କରିବା ସହିତ ମାସ୍କ ପିନ୍ଧିବାକୁ ବାଧ୍ୟତା ମୂଳକ କରାଯାଇଛି । କୌଣସି ଦୋକାନରେ ୫ଜଣରୁ ଅଧିକ ଲୋକ ରହି ପାରିବେ ନାହିଁ । ଏହାଛଡା ସରକାରଙ୍କ ନିଷ୍ପତି ମୂଳେ ପ୍ରତି ଶନିବାର ଭୋର ୫ଟାରୁ ସୋମବାର ଭୋର ୫ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜିଲ୍ଲାରେ ଶଟ୍ ଡାଉନ କଟକଣା ରହିବ । ଗଣମାଧ୍ୟମର ପ୍ରତିନିଧିମାନେ ସେମାନଙ୍କ ବୈଧ ପରିଚୟପତ୍ର ମୂଳେ ଖବର ସଂଗ୍ରହ ପାଇଁ ବାହାରି ପାରିବେ ବୋଲି ଜିଲ୍ଲାପାଳ ଡ. ଦାସ ସୂଚନା ଦେଇଛନ୍ତି ।କେବଳ ସରକାରଙ୍କ ଦ୍ୱାରା ଅନୁମୋଦିତ ଅତ୍ୟାବଶ୍ୟକ ବିଭାଗ ଓ ସଂସ୍ଥା ଏହି ସମୟରେ କାର୍ଯ୍ୟ କରିବେ । ଏହା ବ୍ୟତୀତ କୋବିଡ଼ ଆଇନର ଉଲଂଘନ ହେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।