Odiapua.com

ଶତ୍ରୁତାକୁ ନେଇ ମରଣାନ୍ତକ ଆକ୍ରମଣ, ଯୁବକଙ୍କ ମୃତ୍ୟୁ

କୋରେଇ ୧/୭ (ଓଡ଼ିଆ ପୁଅ/ଭାସ୍କର ସାହୁ) ପାଣିକୋଇଲି ଥାନା ଅନ୍ତର୍ଗତ ମା’ ତାରିଣୀ ମହାବିଦ୍ୟାଳୟ ପଛପଟ ଥିବା ପଡିଆରେ ୩ ଦିନ ତଳୁ ତମ୍ବୁମାରି ରହୁଥିବା ଏକ ଫେରି ବେପାରୀଙ୍କୁ ଗତକାଲି ରାତିରେ ପୂର୍ବଶତୃତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ କରାଯାଇଥିଲା ଏବଂ ସେ ଗୁରୁତର ଆହାତ ହୋଇଥିଲେ କିନ୍ତୁ ଆଜି ତାଙ୍କର ମୃତ୍ୟୁ ଘଟିଛି। ଏ ବିଷୟରେ ମନୋଜଙ୍କ ସ୍ତ୍ରୀ ଚିଂଜର ଆକ୍ରମଣରେ ସଂପୃକ୍ତ ୪ ଯୁବକଙ୍କ ବିରୁଧରେ ଲିଖିତ ଅଭିଯୋଗ କରିବାପରେ ଥାନା କେସ୍ ନଂ ୧୪୨/୨୦୨୦, ଦଫା ୩୦୨, ୩୪ ଆଇପିସି ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁରହିଛି।

ସୂଚନା ମୁତାବକ ମହାରାଷ୍ଟ୍ର ରାଜ୍ୟ ନାଗପୁର ଅଂଚଳର ମନୋଜ ପାୱାର, ସ୍ତ୍ରୀ ଚିଂଜର ପାୱାର ତାଙ୍କର ଏକ ମାତ୍ର ପୁଅ ସହିତ ଦୀର୍ଘ ୧୦ ବର୍ଷ ହେଲା ଓଡିଶା ରେ ସହର ସହର ବୁଲି ବିଭିର୍ନ୍ନ ପ୍ରକାରର ମାଳି ବିକ୍ରିକରି ଚଳିଥାନ୍ତି। ସେ ନାଗପୁରରୁ ଆସିବାପରେ ଆଉ କେବେବି ସେଠାକୁ ଫେରିନାହାନ୍ତି କାରଣ ତାଙ୍କ ପରିବାର ସହିତ ସେହି ଗ୍ରାମର ଅନ୍ୟ ଏକ ପରିବାର ସହିତ ଶତୃତା ଥିଲା ଏବଂ ସେମାନେ ମନୋଜର ବାପା ଭିମା ପାୱାରଙ୍କୁ ହତ୍ୟା କରିଥିଲେ ଓ ତାକୁ ହତ୍ୟାକରିବେ ବୋଲି ଧମକ ମଧ୍ୟ ଦେଇଥିଲେ। ସେହି ଭୟରେ ମନୋଜ ଲୁଚିକରି ଆସି ଓଡିଶାରେ ବେପାରକରି ଚଳୁଥିଲା। ଗତ ୩ ଦିନ ହେଲା ମନୋଜ ପରିବାର ସହିତ ପାଣିକୋଇଲି କଲେଜ ପଡିଆ ପଛପଟେ ତମ୍ବୁମାରି ରହୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ଖବରପାଇ ପୂର୍ବରୁ ଶତୃତାଥିବା ଚପଲତା ଭୋସଲେ, ତନୀର ଭୋସଲେ, କାଲେସ୍ୱରୀ ଭୋସଲେ ଓ ଖୁବାନୀ ଭୋସଲେ ପ୍ରମୁଖ ୪ ଭାଇ ତମ୍ବୁ ନିକଟରେ ପହଂଚି ଚାଖୁ ରେ ମନୋଜକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାଦେଖି ଚିଂଜର ଜୋରରେ ପାଟିକରିବାରୁ ପଡିଆ ନିକଟରେ ଘରକରି ରହୁଥିବା ଲୋକେ ପଂହଚିଯିବାରୁ ୪ ଭାଇ ସେଠାରୁ ଖସି ପଳାଇଥିଲେ। ଏ ବିଷୟରେ ଖବରପାଇ ପାଣିକୋଇଲି ଥାନା ଅଧିକାରୀ ଅଜୟ କୁମାର ଜେନା ସଦଳବଳେ ଘଟଣାସ୍ଥଳରେ ପହଂଚି ଗୁରୁତର ଆହତ ମନୋଜକୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଡାକ୍ତରଙ୍କ ସବୁପ୍ରକାର ଉଦ୍ୟମ ସତ୍ୱେ ଶେଷରେ ମନୋଜ ଆଜି ଆଖି ବୁଜିଛନ୍ତି। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଶବ ବ୍ୟବଛ୍ୟେଦ ପରେ ପରିବାକୁ ହସ୍ତାନ୍ତର କରାଯାଇଛି। ମନୋଜଙ୍କ ସ୍ତ୍ରୀ ବ୍ୟତିତ ଏଠାରେ କେହି ରହୁ ନଥିବାରୁ ତାଙ୍କର ଅନୁରୋଧକ୍ରମେ ସ୍ୱେଚ୍ଛାସେବୀ ସଂଗଠନ ଆମେ ବିପଦରେ ସାଥୀ ସଦସ୍ୟଙ୍କ ଦ୍ୱାରା ବୈତରଣୀ ନଦୀ ତଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ଓ ସମସ୍ତ ଖର୍ଚ ପାଣିକୋଇଲି ଥାନା ପକ୍ଷରୁ ବହନ କରାଯାଇଛି।