Odiapua.com

ଶତାବ୍ଦୀ ପୁରୁଣା ଅସୁର ପୂଜାର ଅନନ୍ୟ ପରମ୍ପରା,ଭଦ୍ରକର ଚନ୍ଦସାହି ଗାଁରେ ଆଜି ବି ପୂଜିତ ଶମ୍ବରାସୁର

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେବାଦେବୀ ପୂଜାରେ ପରିଚିତ ଭାରତୀୟ ସଂସ୍କୃତିର ଏକ ଅନନ୍ୟ ଦୃଷ୍ଟାନ୍ତ ହେଉଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଆନନ୍ଦପୁର ପଂଚାୟତର ଚନ୍ଦସାହି ଗାଁ। ଏଠାରେ ଶହ ଶହ ବର୍ଷ ଧରି ଅସୁର ଶମ୍ବରାସୁରଙ୍କ ପୂଜା ଏକ ପରମ୍ପରା ଭାବେ ପାଳିତ ହୋଇଆସୁଛି, ଯାହା ଆଜି ବି ପାଳନ ଚାଲିଆସୁଅଛି। ପ୍ରତିବର୍ଷ ଶାମ୍ବ ଦଶମୀ ଅବସରରେ ଗାଁର ମଣ୍ଡପରେ ବିରାଟ ଆକୃତିର ଶମ୍ବରାସୁର ସହ ଭଗବାନ ନାରାୟଣଙ୍କର ମୂର୍ତି ସ୍ଥାପନା କରାଯାଇ ନିୟମିତ ଭାବେ ପୂଜାର୍ଚ୍ଚନା କରାଯାଏ। ଚଳିତ ବର୍ଷ ମଧ୍ୟ ଶାମ୍ବ ଦଶମୀ ଠାରୁ ପୂଜା ଆରମ୍ଭ ହୋଇ ତିନି ଦିନ ଧରି ଚାଲିଥିଲା ଏବଂ ଆଜି ଧୁମଧାମରେ ବିସର୍ଜନ କାର୍ଯ୍ୟ ସମ୍ପନ୍ନ ହୋଇଛି। ଲୋକକଥା ଓ ପୌରାଣିକ ବିଶ୍ୱାସ ଅନୁସାରେ, ଦୀର୍ଘବର୍ଷ ପୂର୍ବେ ଏହି ଗାଁରେ ଭୟାବହ ହଇଜା ରୋଗ ବ୍ୟାପିଥିଲା। ଏହାକୁ ଶମ୍ବରାସୁରଙ୍କ କୋପର ପରିଣାମ ଭାବେ ଧରାଯାଇଥିଲା। ଏହି ସମୟରେ ଯାଜପୁର ଜିଲ୍ଲାର ବୈତରଣୀ ନଦୀ କୂଳରେ ଅବସ୍ଥିତ ପ୍ରାଚୀନ ସିଦ୍ଧେଶ୍ୱର ମନ୍ଦିର ପୀଠରେ ପ୍ରଦ୍ୟୁମ୍ନ କଠୋର ତପସ୍ୟା କରି ମହାଦେବଙ୍କୁ ସନ୍ତୁଷ୍ଟ କରିଥିଲେ। ପରେ ସେ ମାୟାବୀ ଶମ୍ବରାସୁରଙ୍କୁ ବଧ କରି ଲୋକଙ୍କୁ ଦୁର୍ଗତିରୁ ରକ୍ଷା କରିଥିବା ବିଶ୍ୱାସ ରହିଛି। ଏହା ପରେ ତତ୍କାଳୀନ ଗ୍ରାମବାସୀଙ୍କ ଉଦ୍ୟମରେ ଗାଁରେ ଶମ୍ବରାସୁର ପୂଜାର ପରମ୍ପରା ଆରମ୍ଭ ହୋଇଥିଲା। ପୂର୍ବେ ଏହି ପୂଜା ଭାରି ଯାକଯମକରେ ପାଳିତ ହେଉଥିଲେ ମଧ୍ୟ, ବିଭିନ୍ନ କାରଣରୁ ଗାଁ ଭାଗଭାଗ ହୋଇଯିବା ପରେ ଏହାର ଆଡମ୍ବର କମିଯାଇଛି। ତଥାପି, କିଛି ଯୁବକ ପରମ୍ପରା ରକ୍ଷା ପାଇଁ ଆଗେଇ ଆସି ନିଷ୍ଠାର ସହିତ ପୂଜାକୁ ଜୀବନ୍ତ ରଖିଛନ୍ତି। ଗାଁବାସୀମାନଙ୍କ ମତରେ, ସରକାରୀ ସହାୟତା ମିଳିଲେ ଏହି ଅନନ୍ୟ ପରମ୍ପରା ଆହୁରି ବିକାଶ ପାଇ ସାଂସ୍କୃତିକ ଓ ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ୱ ଅର୍ଜନ କରିପାରିବ।