Odiapua.com

ଶତାଧିକ ବର୍ଷର ଭଦ୍ରକରେ ପ୍ରସିଦ୍ଧ ଅନନ୍ତ ନାରାୟଣ ପୂଜାବ୍ରତ

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ଅନ୍ତର୍ଗତ ନରିପୁର (ଅସ୍ତଳ) ଗ୍ରାମରେ ପ୍ରତିବର୍ଷ ଅନନ୍ତ ବ୍ରତରେ ମହାପ୍ରଭୁ ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜାତ୍ସବ ଅନୁଷ୍ଠିତ ହୋଇଥାଏ । ଚଳିତ ସେପ୍ଟେମ୍ବର ମାସ ୬ ତାରିଖ ଶନିବାର ଅନନ୍ତ ବ୍ରତ ପୂଜାରେ ମହାପ୍ରଭୁ ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜା ଉତ୍ସବ ଚଳିତ ବର୍ଷ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାଯାଇଛି। ଆଜକୁ ଶହବର୍ଷରୁ ଉର୍ଦ୍ଧ୍ୱ ଧରି ଏହି ବ୍ରତ ଭକ୍ତମାନଙ୍କ ଦ୍ୱାରା ନିଷ୍ଠାର ସହ ପାଳିତ ହୋଇ ଆସୁଅଛି। ଏଥିପାଇଁ ସାଳନ୍ଦୀ ଘାଟରୁ କଳସ ଆସିବା ପରେ ଘଟ ସ୍ଥାପନ କରାଯିବ। ଏହି ପୂଜା ପାଇଁ ନରିପୁର ଅସ୍ତଳ ଗ୍ରାମ ଚଳଚଂଚଳ ହେଲାଣି। ଅନନ୍ତ ନାରାୟଣଙ୍କ ପୂଜା ପାଇଁ ସମସ୍ତେ ଲାଗି ପଡ଼ିଛନ୍ତି। ଏଠାରେ ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ମନ୍ଦିରରେ ବିଗ୍ରହଙ୍କୁ ଦେଖିବା ଲାଗି ଓ ଏଠାରେ ବ୍ରତ ପାଳନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଥାଏ। ପ୍ରଭୁ ଅନନ୍ତଙ୍କ ନିକଟରେ ଯିଏ ଯାହା ମନସ୍କାମନା କରେ ତାହାର ମନବାଞ୍ଛା ପୂରଣ ହୋଇଥାଏ। ଭକ୍ତିରେ ଠାକୁରଙ୍କୁ ଡାକିଲେ ଠାକୁର ତାହାର ଡାକ ଶୁଣନ୍ତି ବୋଲି ଲୋକ ପରମ୍ପରା ଓ ବିଶ୍ୱାସ ରହିଛି। ଭକ୍ତଙ୍କ ଭିଡ଼କୁ ଲକ୍ଷ୍ୟ ରଖି ଶାନ୍ତି ଶୃଙ୍ଖଳା ପାଇଁ ପୂଜାକମିଟିର କର୍ମକର୍ତା, ପୂଜା କାର୍ଯ୍ୟର ଉଦ୍ୟୋକ୍ତାଙ୍କ ଠାରୁ ଆରମ୍ଭ କରି ପୁଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଏ। ବ୍ରତ ପାଳନ ପାଇଁ ସମସ୍ତେ ଏଠାରେ ଯୋଗ ଦେଇ ଠାକୁରଙ୍କ ଠାରେ ଭୋଗ ଲଗାନ୍ତି। ପ୍ରତିବର୍ଷ କଲିକତାରୁ କାରିଗରମାନେ ଆସି ମହାପ୍ରଭୁଙ୍କୁ ବିଭିନ୍ନ କିସମର ପୁଷ୍ପରେ ସଜ୍ଜିତ କରାଯାଏ। ଏଠାରେ ଭାଗବତ ପାଠ, ପ୍ରବଚନ ଭଜନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ହେବ। କିମ୍ବଦନ୍ତୀ ଅନୁସାରେ ଭଦ୍ରକ ସହର ନରିପୁର (ଅସ୍ତଳ) ଗ୍ରାମନିବାସୀ ସ୍ୱର୍ଗତ କ୍ଷେତ୍ରମୋହନ ନାୟକ ଓ ତାଙ୍କ ସାଙ୍ଗ ସ୍ୱର୍ଗତ ପୁରୁଷୋତମ ପଢ଼ିଆରୀ ଦୁହେଁ ବନ୍ତ ବ୍ଲକ ଅନ୍ତର୍ଗତ ମଙ୍ଗୁଲି ଗ୍ରାମର ଏକ ତିନିଛକ ରାସ୍ତାରେ ତମ୍ବା ନାଗ, ବ୍ରତ ଆଦି ପାଇ ସ୍ୱର୍ଗତ ନାୟକ ତାଙ୍କ ଘରକୁ ଆଣିଥିଲେ। କ୍ଷେତ୍ରମୋହନ ଓ ତାଙ୍କ ପତ୍ନୀ ଜଞ୍ଜାଳି ଦେବୀ ଠାକୁରଙ୍କୁ ପୂଜାର୍ଚ୍ଚନା କରି ଆସୁଥିବା ବେଳେ ତାଙ୍କ ପୁତ୍ର ସୁରେନ୍ଦ୍ର ଓ ପୁତ୍ରବଧୂ ହରିପ୍ରିୟା ଦୈନନ୍ଦିନ ନୀତିପୂଜା କରୁଥିଲେ। ଘର ପାଖ ଚଉଁରାମୂଳରେ ସ୍ୱତନ୍ତ୍ର ଠାକୁର ଘର ନିର୍ମାଣ ଋଲୁଥିବା ବେଳେ ୧୯୭୯ ମସିହା ଅକ୍ଷୟ ତୃତୀୟା ଦିନ ଅନନ୍ତଶଯ୍ୟା ବିଶିଷ୍ଟ ମୂର୍ତି ପ୍ରତିଷ୍ଠା କରିବାକୁ ସ୍ୱପ୍ନାଦେଶ ପାଇ ଏହି କାର୍ଯ୍ୟ ସମ୍ପନ୍ନ କରିଥିଲେ। ତିହିଡ଼ି ଥାନା ଅଧୀନ ପାଳିଆ ନୂଆନନ୍ଦ ସାନ ହାଟୁଆରୀ ଗ୍ରାମର ମୂର୍ତି କାରିଗର ବାବାଜୀ ପୁଷ୍ଟିଙ୍କୁ ସ୍ୱପ୍ନାଦେଶ ହେବାରୁ ସେ ବିଗ୍ରହମାନ ଗଢ଼ିଥିଲେ ବୋଲି କୁହାଯାଏ। ଏହି ପରମ୍ପରାକୁ ପାଥେୟ କରି ପାଳିତ ହେଉଥିବା ଅନନ୍ତ ନାରାୟଣଙ୍କ ପୂଜା ଦିନକୁ ଦିନ ଲୋକପ୍ରିୟତା ଅର୍ଜନ କରୁଛି।