ଭଦ୍ରକ, ୨୬ା୪(ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକୀୟ ଐତିହ୍ୟ, କଳା, ସାହିତ୍ୟ, ସଂସ୍କୃତି ଓ ଅସ୍ମିତାର ଅନନ୍ୟ ମହାପର୍ବ ବୈଶାଖୀ ମେଳା ୨୦୨୬ ଆଜିଠାରୁ ଐତିହାସିକ ନେହେରୁ ଷ୍ଟାଡିୟମ୍ ପରିସରରେ ଆରମ୍ଭ ହୋଇଯାଇଛି। ମେଳା କମିଟି ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟରେ “ଶହେବର୍ଷର ଓଡ଼ିଶା- ୨୦୩୬ ଓ ଭଦ୍ରକ” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଉଦଘାଟକ ଭାବେ ସାଂସଦ ଅଭିମନ୍ୟୁ ସେଠୀ ଯୋଗଦେଇ ଓଡ଼ିଶା ଗଠନ ଶତବର୍ଷ ପୂର୍ତି ଆଡ଼କୁ ଅଗ୍ରସର ହେଉଥିବାବେଳେ ଭଦ୍ରକର ସଂସ୍କୃତି ଓ ସ୍ୱାଭିମାନ ସାରା ରାଜ୍ୟ ପାଇଁ ଏକ ମାର୍ଗଦର୍ଶକ ସଦୃଶ। ଆଜିର ବୈଶାଖୀ ମେଳା କେବଳ ଏକ ଉତ୍ସବ ନୁହେଁ, ବରଂ ଆମ କଳା, ସାହିତ୍ୟ ଓ ଐତିହ୍ୟକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବାର ଏକ ସାରସ୍ୱତ ସେତୁ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଯୋଗଦେଇ କହିଲେ, ଭଦ୍ରକ ହେଉଛି ଏକ ସମୃଦ୍ଧ ସାଂସ୍କୃତିକ ପ୍ରାଣକେନ୍ଦ୍ର ଓ ଆଜିର ଏହି ‘ବୈଶାଖୀ ମେଳା’ ଜିଲ୍ଲାର ପୁରାତନ ଗୌରବକୁ ପୁନର୍ଜୀବିତ କରିବାର ଏକ ମାଧ୍ୟମ। ୨୦୩୬ ମସିହାର ବିକଶିତ ଓଡ଼ିଶା ଗଠନରେ ଭଦ୍ରକର ବୌଦ୍ଧିକ ଓ ସାଂସ୍କୃତିକ ଯୋଗଦାନ ଅପରିହାର୍ଯ୍ୟ ହେବ ବୋଲି ବିଶ୍ୱାସ। ସମ୍ମାନିତ ବକ୍ତା ଭାବେ ପ୍ରାଧ୍ୟାପକ ଡକ୍ଟର ଅମୂଲ୍ୟ କୁମାର ନାୟକ ଯୋଗଦେଇଥିଲେ। ଅଧ୍ୟାପକ ଡ. ବିଶ୍ୱରଞ୍ଜନ ଦାସ ସ୍ୱାଗତ ଭାଷଣରେ ଭଦ୍ରକର ଭୂମିକା ଓ ବିକାଶର ରୂପରେଖ ସମ୍ପର୍କରେ ଆଜି ଚିନ୍ତନ କରାଯିବାର ବେଳ ଉପଗତ ବୋଲି ମତବ୍ୟକ୍ତ କରିଥିଲେ। ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଅତିଥିମାନଙ୍କୁ ମଂଚ ଆହ୍ୱାନ କରିଥିବା ବେଳେ ଭଦ୍ରକ ପୂଜ୍ୟପୂଜା ସଂସଦ ସମ୍ପାଦକ ରୂପକ ବିହାରୀ ରାୟ ଅତିଥି ପରିଚୟ ଓ ରଂଜିତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ତିହିଡ଼ି ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ନାୟକ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଅଧିବକ୍ତା ଗଦାଧର ବଳ, ସାହିତ୍ୟିକ ଶାନ୍ତନୁ ରାଉତ, ବସୁମିତ୍ରା ସାହୁ, ଲଲାଟେନ୍ଦୁ ମହାନ୍ତି, ଇଂ. ଅମ୍ୱିକା ବଲ୍ଲଭ ସ୍ୱାଇଁ, ଲକ୍ଷ୍ମୀକାନ୍ତ ବାରିକ୍, କବି ମାନସ ପଣ୍ଡା, କୈଳାସ ମହାପାତ୍ର, ସୁଶାନ୍ତ ମହାପାତ୍ର, ଇନ୍ଦ୍ରମଣି ପଣ୍ଡା, ମନୋରଞ୍ଜନ ଦାସ, ଲୋକନାଟ୍ୟ ନିର୍ଦ୍ଦେଶକ ଗୌରାଙ୍ଗ ବାରିକ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ଯେ, ଆଜିଠାରୁ ଆରମ୍ଭ ହୋଇ ଏହି ମେଳା ଆସନ୍ତା ମଇ ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ମେଳାରେ ବିଭିନ୍ନ ମନୋହରି ଦୋକାନ ସହିତ ପାରମ୍ପରିକ ଓଡ଼ିଆ ଖାଦ୍ୟ ଷ୍ଟଲ୍, ହସ୍ତଶିଳ୍ପ ଓ କାରୁକାର୍ଯ୍ୟ, ଗୃହଉପକରଣ, ମହିଳାଙ୍କ ପ୍ରସାଧନୀ, କୃଷି, ସ୍ୱାସ୍ଥ୍ୟ, ଶିଳ୍ପ ପ୍ରତିଷ୍ଠାନ, ଖେଳଣା ସାମଗ୍ରୀ ଓ ବିଭିନ୍ନ ଦୋଳି ଇତ୍ୟାଦି ପାଖରେ ଜନଗହଳି ଦୃଶ୍ୟମାନ ହୋଇଥିଲା। ଭଦ୍ରକର ସର୍ବପ୍ରଥମ ଐତିହ୍ୟସମ୍ପନ୍ନ ଓ ସଂସ୍କୃତିର ଏହି ମହାକୁମ୍ଭକୁ ଜିଲ୍ଲାବାସୀ ସ୍ୱାଗତ କରିବା ସହ ସମସ୍ତଙ୍କ ମଧ୍ୟରେ ଖୁବ୍ ଉତ୍ସାହ ପରିଲକ୍ଷିତ ହୋଇଛି।