Odiapua.com

ଶଙ୍ଖରେ ବିଦ୍ରୋହର ପ୍ରତିଧ୍ୱନୀ!

ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଦଳର ଶୃଙ୍ଖଳାକୁ ନେଇ ଘନ ଘନ ପ୍ରହାର ଆରମ୍ଭ କରିଦେଇଛନ୍ତି। ଦଳ ଭିତରେ ନିର୍ଦ୍ଧିଷ୍ଟ ପ୍ରଶାସକଙ୍କ ଅଖଣ୍ଡ କ୍ଷମତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରିଛନ୍ତି। ପ୍ରତିପକ୍ଷ ଆକ୍ରମଣ ମଧ୍ୟ ଚାଲିଛି। ମାତ୍ର ରାଜ୍ୟବାସୀଙ୍କ ଆଗରେ ସୌମ୍ୟଙ୍କ ଓଜନ ବଢ଼ୁଥିବାର ଖବର ସରକାରଙ୍କ ନିକଟରେ ପହଞ୍ଚି ସାରିଲାଣି।

ଓଡ଼ିଶାର ରାଜନୈତିକ ପାଣିପାଗ ଯାହା ଏଥିରେ ଉଭୟ ନେତା ଓ ସାଧାରଣ ଜନତା ଅନ୍ଧାରରେ। କାହା ହାତରେ କିଛି ନାହିଁ। ନିର୍ଦ୍ଧିଷ୍ଟ ପ୍ରଶାସନିକ ଅଧିକାରୀଙ୍କ ହାତରେ ସାରା ଓଡ଼ିଶା ନିୟନ୍ତ୍ରଣାଧୀନ। ବିଜେଡ଼ି ବିଧାୟକ ଓ ସାଂସଦମାନଙ୍କୁ ଜନତା ପ୍ରଶ୍ନ ପଚାରିବା ଆରମ୍ଭ କଲେଣି। ସବୁ ତ ଜଣେ ଲୋକ କରୁଛି ତମେମାନେ ଅଛ କଣ ପାଇଁ ? ତମକୁ ଭୋଟ ଦବୁ କାହିଁକି ? ସଚିବ ଚୌକିରେ ବସୁଛି ତମେ ତା ସାମ୍ନାରେ ଆଣ୍ଠେଇକି ଛିଡ଼ା ହଉଛ। ନିର୍ବାଚନ ସରିଲେ ସଚିବ ଆଉ ଦେଖା ଦେବେ ନାହିଁ। ତମ ପାଖକୁ ଗଲେ ତମେ ଆଉ ଜନତାଙ୍କ କାମ କରିପାରିବନି। ତା ହେଲେ ଗଣତନ୍ତ୍ର ଚଳିବ କେମିତି। ଓଡ଼ିଶା ଏବେ ପୁରା ପ୍ରଶାସନତନ୍ତ୍ରରେ ପରିଣତ ହେଇ ସାରିଲାଣି। ଏବେ ଯେଉଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଲୋକଙ୍କ ପାଖକୁ ଯାଉଛ ବୋଲି କହୁଛ ନିର୍ବାଚନ ପରେ ଆଉ ସିଏମଓ ଅଫିସ ଲୋକଙ୍କ ପାଖକୁ ଆସିବ ନା ସଚିବ ମହାଶୟ ଆମ ପାଖକୁ ଆସିବେ। ଏଭଳି ପ୍ରଶ୍ନରେ ଏବେ ଜର୍ଜରିତ ସ୍ଥାନୀୟ ଲୋକ ପ୍ରତିନିଧି। ତେଣୁ ଚାପର ବଶବର୍ତ୍ତୀରୁ ବାହାରିବା ପାଇଁ ଅନେକ ବିଜେଡ଼ି ନେତା ମନ ସ୍ଥିର କରିସାରିଲେଣି ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣା ପଡ଼ିଛି।

ନିର୍ଦ୍ଧିଷ୍ଟ ଅଧିକାରୀଙ୍କ ଉପରେ ସୌମ୍ୟଙ୍କ ବିସ୍ଫୋରକ ବୟନବାଜୀ ପରେ ଏବେ ପାଖାପାଖି ୬୦ ବିଜେଡ଼ି ବିଧାୟକ ଓ ସାଂସଦ ସୌମ୍ୟ ମୁଁହା ବୋଲି ସୂତ୍ରରୁ ଜଣା ପଡ଼ିଛି। ଏମାନେ ପ୍ରଶାସନିକ ଛତ୍ରଛାୟାରୁ ନିଜକୁ ମୁକୁଳାଇବାକୁ ଚାହୁଁଛନ୍ତି। ନିର୍ଦ୍ଧିଷ୍ଟ ସମୟକୁ ଅପେକ୍ଷା। ଆସନ୍ତା ଅକ୍ଟୋବର ୨ ତାରିଖରୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାର ଦ୍ଵିତୀୟ ଭାଗ ଆରମ୍ଭ ହେବ। ସେହି ମାସ ୨୭ ଓ ୨୮ ଦୁଇ ଦିନ ରାହୁଲ ଓ ପ୍ରିୟଙ୍କାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ସେହି ସମୟରେ ବିଜେଡ଼ି ଦଳରେ ଏକ ଭୟଙ୍କର ରାଜନୈତିକ ବିସ୍ଫୋରଣ ହେବାର ଖବର ନିର୍ଭରଯୋଗ୍ୟ ସୂତ୍ରରୁ ହସ୍ତଗତ ହୋଇଛି। ଅଣନିଶ୍ୱାସୀ ବିଜେଡ଼ି ନେତା ବିଜେପି ମୁଁହା ହେବେ ନାହିଁ। କାରଣ ବିଜେଡ଼ି ଓ ବିଜେପି ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ ବୋଲି ଓଡ଼ିଶାବାସୀ ଜାଣି ସାରିଲେଣି। ପ୍ରଶାସନିକ ଅଧିକାରୀଙ୍କ ପାଇଁ ଟେଣ୍ଟ ବାନ୍ଧିବା ଅପେକ୍ଷା ଦଳ ଛାଡ଼ିବା ଶ୍ରେୟସ୍କର ବୋଲି ଏମାନେ ମନସ୍ଥିର କରିସାରିଲେଣି। ଓଡ଼ିଶାରେ ନବୀନଙ୍କ ଲୋକପ୍ରିୟତା ମଧ୍ୟ ଧୀରେ ଧୀରେ ହ୍ରାସ ପାଇଲାଣି ବୋଲି ଏମାନେ ହୃଦୟଙ୍ଗମ କରିସାରିଲେଣି। ଏହାର କାରଣ କେବଳ ପ୍ରଶାସନିକ ଶାସନ ବ୍ୟବସ୍ଥା। ତେଣୁ ଦଳ ଡୁବିଵା ଆଗରୁ ରାଜନୈତିକ ଅନ୍ଧକାରରୁ ବାହାରିବା ପାଇଁ ଏମାନେ ଏକ ପ୍ରକାର ନିଜକୁ ପ୍ରସ୍ତୁତ କରିସାରିଲେଣି ବୋଲି ସଦ୍ୟତମ ସୂତ୍ରରୁ ଖବର ହସ୍ତଗତ ହୋଇଛି।

ପ୍ରିୟ ରଞ୍ଜନ ସାହୁ