Odiapua.com

ଶଙ୍ଖଣା- ଖପରାଖାଇ କେନାଲ ରାସ୍ତା ନିର୍ମାଣ ହେଉନି, ଯାତାୟତରେ ଗାଁ ଲୋକେ ଭୋଗୁଛନ୍ତି ସମସ୍ୟା

ହାଟଡିହି, ୭ /୧୦- (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତର ଖପରାଖାଇ ଓ ବନ୍ତଳା ଗ୍ରାମକୁ ଯିବା ଆସିବାପାଇଁ ସବୁଦିନିଆ ରାସ୍ତା ଖଣ୍ଡେ ନଥିବାରୁ ଗାଁ ଲୋକେ ଯାତାୟତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାର ପ୍ରତ୍ୟେକ ଗ୍ରାମକୁ ରାସ୍ତା, ପାନୀୟଜଳ ଭଳି ମୌଳିକ ସୁବିଧା ସୁଯୋଗ ଯୋଗାଇଦେଉଥିବା ନାଁରେ ଡିଣ୍ଡିମ ପିଟୁଥିବାବେଳେ ଏହି ଗାଁକୁ ରାସ୍ତା ନଥିବାରୁ ଗାଁ ଲୋକମାନେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି । ଦୁଇଟିଯାକ ଗାଁରେ ପାଞ୍ଚଶହରୁ ଉର୍ଦ୍ଧ ପରିବାର ବସବାସ କରୁଥିବାବେଳେ ଏହି ଗାଁକୁ ଆଜି ପର୍ଯ୍ୟନ୍ତ ରାସ୍ତା ଟିଏ ନିର୍ମାଣ ହୋଇ ପାରିଲାନି । କେବଳ କେନାଲ ରାସ୍ତାହିଁ ଏମାନଙ୍କ ପାଇଁ ସାହା ଭରଷା । କିନ୍ତୁ ଏହି କେନାଲ ରାସ୍ତାଟି ମରାମତି ଅଭାବରୁ ରାସ୍ତାସାରା ଖାଲଖମାରେ ପରିପୁର୍ଣ୍ଣ ହୋଇ ଯାଇଥିବାବେଳେ କିଛି ବ୍ୟକ୍ତି କେନାଲ ଉପରେ ବାଡ ବୁଝିଦେବାରୁ ରାସ୍ତାଟି ସଙ୍କୁଚିତ ହୋଇ ଗଲାଣି । ଏପରିକି କେଉଁଠି ୫ଫୁଟ ଓସାର ତ ଆଉ କେଉଁଠି ତିନି ଫୁଟ ଓଷାର ରାସ୍ତା ଅଛି । ଫଳରେ ଗାଁରେ ଦୈବୀ ଦୁର୍ବିପାକ ସମୟରେ ଦମକଳ କି ଆମ୍ବୁଲାନସ ଟିଏ ଗାଁ ଭିତରକୁ ଯାଇ ପାରୁନି । ଅନେକ ସମୟରେ ଗର୍ଭବତୀ ମହିଳା କିମ୍ବା ରୋଗରେ ପିଡିତ ଲୋକମାନଙ୍କୁ ବାଇକରେ ମରୈଗାଁ -ଢ଼େଙ୍କା ରାସ୍ତାକୁ ଆଣିବାପରେ ସେଠାରୁ ଗାଡି ଯୋଗ ଡାକ୍ତରଖାନା ନିଆଯାଉଛି । ଲୋକମାନେ ଘରଦ୍ୱାର ନିର୍ମାଣ କରିବାକୁ ଟ୍ରକ ଯୋଗେ ବାଲି, ଚିପିସ କି ଇଟା ମଧ୍ୟ ନେଇ ପାରୁନାହାନ୍ତି । ରାସ୍ତାସାରା ଖାଲ ଖମା ହୋଇଯାଇ ଥିବାରୁ ଚଳିତ ଲଘୁଚାପ ବର୍ଷାରେ ଖାଲ ଗୁଡିକ ପାଣିରେ ପରିପୁର୍ଣ୍ଣ ହୋଇଯାଇଛି । ସାଇକେଲ କିମ୍ବା ବାଇକଟିଏ ମଧ୍ୟ ନେଇ ଉକ୍ତ ଗାଁକୁ ଯିବା ସମ୍ଭବପର ହେଉ ନାହିଁ । ତୁରନ୍ତ ଏନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ କିଶୋର ଚନ୍ଦ୍ର ଜେନା, ହରେକୃଷ୍ଣ ଜେନା, ଅଜିତ କୁମାର ନାୟକ, ମନୋଜ କୁମାର ନାୟକ, ବିଶ୍ୱଜିତ ବେହେରା, ସଞ୍ଜୟ କୁମାର ନାୟକ, ଦୋଳଗୋବିନ୍ଦ ନାୟକ, ସନ୍ତୋଷ ଦାସ, ପରେଶ କୁମାର ଜେନା, ଦେବାଶିଷ ମହାନ୍ତି ପ୍ରମୁଖ ଗ୍ରାମବାସୀମାନେ ଦାବି କରିଛନ୍ତି । ଜଳସମ୍ପଦ ବିଭାଗ ଅଧିନରେ ବରପଦି ମାଇନର ସର୍ଭିସ ରୋଡ ନାମରେ ଥିବା ଏହି ରାସ୍ତାଟିକୁ ନିର୍ମାଣ କରିବାପାଇଁ ଜଳସମ୍ପଦ ବିଭାଗ କହୁଥିଲେ ମଧ୍ୟ ଅନୁଦାନ ଆସିନଥିବାରୁ ରାସ୍ତା ନିର୍ମାଣ ହୋଇ ପାରୁ ନଥିବା କହିଛନ୍ତି ଶାଳଣିଆଁ ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ପ୍ରଣବ କୁମାର ନାୟକ । ଚଳିତ ଲଘୁଚାପ ବର୍ଷା କମିବାପରେ କିଛିକାଶଂରେ ଖାଲଖମା ଗୁଡିକ ପୋତାଯାଇ ଲୋକଙ୍କ ଯାତାୟତ ସୁବିଧା କରିବେ ବୋଲି କହିଛନ୍ତି ।