Odiapua.com

ଶଙ୍କରାଚାର୍ଯ୍ୟଙ୍କ ସିଧା ପ୍ରଶ୍ନର ବିଜେପି ନେତାଙ୍କ ତେରଛା ଉତ୍ତର

ପ୍ରଶ୍ନ ଦୁର୍ଭାଗ୍ୟଜନକ ନାଁ ଉତ୍ତର ଦୁର୍ଭାଗ୍ୟଜନକ?
ଭୁବନେଶ୍ୱର(ଦେବଦତ୍ତ ରଥ):ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ଏବେ ବିବାଦ ଏବଂ ରାଜନୀତି ଜୋର ଧରିଛି।ଜଣେ ଆଉ ଜଣଙ୍କ ଉପରେ ଦୋଷ ଲଦି ଚାଲିଛି।ତେବେ ଏସବୁ ଭିତରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ବିଜେପି ନେତା ତେରଛା ଢଙ୍ଗରେ ଦେଇଛନ୍ତି।ପ୍ରଶ୍ନର ଉତ୍ତର,ମନ୍ଦିରରେ କିଏ ନାଁ ମୁଁ କଦଳୀ ଖାଇନି ସଦୃଶ ହେଇଛି।
ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ କହିଥିଲେ ଯେ,ଏକଦା ଏମିତି ଦିନ ଥିଲା,ଯେତେବେଳେ ବିଜୁ ଜନତା ଦଳ,ବିଜେପି ସହଯୋଗରେ ଶାସନ କରୁଥିଲା।ଏବଂ ଆଇନ ମନ୍ତ୍ରୀ ବିଜେପିର ହିଁ ଥିଲେ।ଏବେ ପ୍ରଶ୍ନ ଉଠୁଛି ବିଜେପି ସମର୍ଥିତ ବିଜୁ ଜନତା ଦଳ ଶାସନ ସମୟରେ,ଯେତେବେଳେ ବିଜେପିର ବି ସହଭାଗୀତା ଥିଲା,ଆଇନ ମନ୍ତ୍ରୀ ବିଜେପିର ହିଁ ଥିଲେ,ସେ ସମୟରୁ ଶ୍ରୀମନ୍ଦିରର ଦିଶାହୀନତା ଦୂର କରିବା ପାଇଁ କି ପ୍ରୟାସ କରାଯାଇଥିଲା?
ସେ ସମୟର ଆଇନ ମନ୍ତ୍ରୀ ଥିବା ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଏହାର ଉତ୍ତର ତେରଛା ଢଙ୍ଗରେ ରଖିଛନ୍ତି।ସେ କହିଛନ୍ତି ଯେ,ଅନେକ ପଦକ୍ଷେପ ନିଆ ଯାଇଛି।ଏବଂ ସେତେବେଳେ ଏପରି ବିଶୃଙ୍ଖଳା ହେଉନଥିଲା।ସାମାନ୍ୟ ବିଶୃଙ୍ଖଳା ହେଉଥିଲେ,ତାର ତୁରନ୍ତ ସମାଧାନ ହେଉଥିଲା।ତିନି ଦିନ ଧରି ଜଗନ୍ନାଥ ଉପବାସ ରହିବା,ନୀତି ବିଭ୍ରାଟ,ବ୍ରହ୍ମ ବିଭ୍ରାଟ ଆଦି ହେଉନଥିଲା।ତେଣୁ କିଛି ନ ଜାଣିକି ସେ ଯେ କେହି ବି ହୁଅନ୍ତୁ,ଶଙ୍କରାଚାର୍ଯ୍ୟ ହୁଅନ୍ତୁ କି ଯେ କେହି ହୁଅନ୍ତୁ,ଏପରି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ।ସେ ଆହୁରି ମଧ୍ୟ କହିଥିଲେ ଯେ ଶଙ୍କରାଚାର୍ଯ୍ୟ କାହିଁକି ଏପରି କହିଲେ ମୁଁ କହି ପାରିବିନି।କିନ୍ତୁ,ଯଦି ଏଭଳି ମନ୍ତବ୍ୟ ଦେଇଥିବେ,୯ ବର୍ଷ ଭିତରେ ମୁଁ କ’ଣ ସବୁ କରିଛି,ସେ ସବୁର ସେ ଯଦି ଅନୁଧ୍ୟାନ କରିଥାଆନ୍ତେ,ତେବେ ସେ ଏପରି ମନ୍ତବ୍ୟ ଦେଇନଥାନ୍ତେ।
ତେବେ ଶଙ୍କରାଚାର୍ଯ୍ୟଙ୍କ ପ୍ରଶ୍ନର ଜଣେ ବିଜେପି ନେତାଙ୍କର ଏପରି ଉତ୍ତର କେତେ ଦୂର ଠିକ ରହିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।ବିଜେଡି ଶାସନ କାଳରେ ଶ୍ରୀମନ୍ଦିରରେ ଅଧିକ ବିଭ୍ରାଟ ଦେଖାଦେବା,ଶଙ୍କରାଚାର୍ଯ୍ୟଙ୍କୁ ଅନେକ କଥାରେ ଅଣଦେଖା କରାଯାଇ ମନ୍ଦିର ନୀତି ନିୟମରେ ଅଧିକ ସରକାରୀ ହସ୍ତକ୍ଷେପ ନେଇ ସବୁବେଳେ ଅଭିଯୋଗ ଉଠିଛି।ନବୀନ ସରକାରଙ୍କ ଶାସନ ସମୟରେ ଶଙ୍କରାଚାର୍ଯ୍ୟଙ୍କୁ ଅପମାନିତ କରାଯିବା କଥା ବି ଉଠିଛି।କିନ୍ତୁ ବିଜେପି ନେତାମାନେ ଶଙ୍କରାଚାର୍ଯ୍ୟଙ୍କୁ ଅଧିକ ସମ୍ମାନ କରିଥାଆନ୍ତି।ମୋଦୀ,ଅମିତ ଶାହା ବା ବିଜେପିର ଯେ କେହି ବରିଷ୍ଠ ନେତା ମଧ୍ୟ ପୁରୀ ଆସି ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ,ପରାମର୍ଶ ନେଉଛନ୍ତି।ତେଣୁ ଏଭିତରେ ଶଙ୍କରାଚାର୍ଯ୍ୟ ବିଜେଡି ସରକାରଙ୍କୁ ଅନେକ ଥର ସମାଲୋଚନା କରି ଆସୁଥିବା ବେଳେ,ଯଦି ବି ବିଜେପିକୁ ସମାଲୋଚନା କରି କିଛି ପ୍ରଶ୍ନ ପଚାରିଦେଲେ,ବିଜେପି ନେତାଙ୍କ ଏପରି ଉତ୍ତର କେତେ ଦୂର ଠିକ୍ ରହିଛି?ବିଜେପିଠାରୁ ନିଜକୁ ଦୂରେଇ ରଖୁଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ଶଙ୍କରାଚାର୍ଯ୍ୟଙ୍କ ପ୍ରଶ୍ନକୁ ସମର୍ଥନ ଜଣାଇ ମନ୍ତବ୍ୟ ଦେଇଛନ୍ତି।ବିଜେପି ଭାଗୁଆଳି ଶାସନରେ ଆଇନ ବିଭାଗର ଦାୟିତ୍ୱ ନେଇ ବିଜେପି ଶ୍ରୀମନ୍ଦିର ପାଇଁ କ’ଣ କରିଛି ଏବଂ ୯ ବର୍ଷରେ କ’ଣ ସଂସ୍କାର ଅଣାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ବିଜୟ।ତେଣେ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଗୋବର୍ଦ୍ଧନ ପୀଠ ଯାଇ ଶଙ୍କରାଚାର୍ଯ୍ୟଙ୍କ ସହ ସାକ୍ଷାତ ଆଲୋଚନା ତଥା ପରାମର୍ଶ ନେଉଛନ୍ତି।ତେଣୁ ଏଭିତରେ ଶଙ୍କରାଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତରରେ ବିଜେପିର ଜଣେ ବରିଷ୍ଠ ନେତା “ଶଙ୍କରାଚାର୍ଯ୍ୟ ହୁଅନ୍ତୁ ବା ଯେ କେହି ହୁଅନ୍ତୁ କିଛି ନ ଜାଣିକି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ” ବୋଲି କହିବା କଥାରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରଶ୍ନ ଦୁର୍ଭାଗ୍ୟଜନକ ନାଁ ସଂପୃକ୍ତ ବରିଷ୍ଠ ବିଜେପି ନେତାଙ୍କ ଉତ୍ତର ଦୁର୍ଭାଗ୍ୟଜନକ ତାହା ପ୍ରଶ୍ନ ସୃଷ୍ଟି କରୁଛି।