Odiapua.com

ଲ୍ୟାଣ୍ଡ ରେକର୍ଡ ଓ ସର୍ଭେର କମିଶନରଙ୍କ ସମୀକ୍ଷା ବୈଠକ

ଯାଜପୁର୧୬ା୧୨(ଓଡିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ଜମିଜମା ମାମଲାରେ ଯେବେ କମିଶନରଙ୍କୁ ତଥ୍ୟ ପ୍ରେରଣ କରାଯାଉଛି ସେତେବେଳେ ଉପଯୁକ୍ତ ଡକୁମେଣ୍ଟ ସହ ପ୍ରଦାନ କଲେ ତାହା ନ୍ୟାୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି ଲ୍ୟାଣ୍ଡ ରେକର୍ଡ ଓ ସର୍ଭେର ଆୟୁକ୍ତ ମଧୁସୂଦନ ପାଢୀ ପରାମର୍ଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଯାଜପୁର ଜିଲ୍ଲାର କମିଶନର କୋର୍ଟରେ ବକେୟା ପଡିଥିବା ବିବିଧ ମାମଲା ଗୁଡିକର ସମୀକ୍ଷା ଆୟୁକ୍ତ ଶ୍ରୀ ପାଢୀ ଶୁଣାଣୀ କରିବା ସହ ତୁରନ୍ତ ସମାଧାନ ପାଇଁ ପରାମର୍ଶ ଦେଇଥିଲେ। ଜମିଜମା ସଂପର୍କିତ ବିଭିନ୍ନ ମାମଲା ଗୁଡିକର ତଦନ୍ତ କଲାବେଳେ ତୃଣମୂଳ ସ୍ତରରେ ତାହାର ସଠିକ ଅନୁଧ୍ୟାନ କରିବା, କାଗଜପତ୍ରକୁ ଭଲଭାବେ ନିରୀକ୍ଷଣ କରିବା, ରାଜସ୍ୱ ଓ ଜମିଜମା ସମ୍ୱନ୍ଧୀୟ ଗାଇଡଲାଇନ ଅନୁସାରେ ତର୍ଜମା କରି ତାହାକୁ ଉପଯୁକ୍ତ ନିର୍ଯ୍ୟାସ ବାହାର କରିବାକୁ ସେ ପରାମର୍ଶ ଦେଇଥିଲେ। ଅନେକ ସମୟରେ ଜାଗାର ପରିମାଣ, ପଟାରେ ସଠିକ ଥିଲେ ମଧ୍ୟ ମ୍ୟାପରେ ତୃଟି ପରିଲକ୍ଷିତ ହେବା ଯୋଗୁ ବ୍ୟକ୍ତିଟି ଅସୁବିଧା ଭୋଗିଥାଏ। ତେଣୁ ଏହାକୁ ଉପଯୁକ୍ତ ଭାବେ ଅନୁଧ୍ୟାନ କରି କାର୍ଯ୍ୟ କରିବାକୁ ସେ କହିଥିଲେ। ଅପର ପକ୍ଷରେ ଯେଉଁ ଲୋକମାନେ ଜମିଜମା ସଂପର୍କୀୟ ଅଭିଯୋଗ କରୁଛନ୍ତି, ତାହାକୁ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମାଧାନ କରିବାକୁ ଊଦ୍ୟମ କରିବାକୁ ଶ୍ରୀ ପାଢୀ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ଚକ୍ରୱର୍ତି ସିଂହ ରାଠୋର ରାଜସ୍ୱ ମାମଲା ଗୁଡିକୁ ତ୍ୱରିତ ପ୍ରକ୍ରିୟାରେ ସମାଧାନ ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେବା ସହ କମିଶନରଙ୍କର ବିଭିନ୍ନ ଉପଦେଶକୁ ଆଗାମୀ ରାଜସ୍ୱ ବୈଠକ ମାନଙ୍କରେ କାର୍ଯ୍ୟସୂଚୀ ଆକାରରେ ରଖାଯାଇ ସମୀକ୍ଷା କରାଯିବ ବୋଲି କହିଥିଲେ। ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ମିହିର ପ୍ରସାଦ ମହାନ୍ତି ରାଜସ୍ୱ ଓ ଲ୍ୟାଣ୍ଡ ରେକର୍ଡ ଆଇନ ଅନୁସାରେ ସମସ୍ତ ରାଜସ୍ୱ ଅଧିକାରୀ ଓ କର୍ମଚାରୀମାନେ ସୁଚାରୁ ରୂପେ କାର୍ଯ୍ୟ କରିବା ସହ ଅଭିଯୋଗ ଗୁଡିକ ଉପରେ ତ୍ୱରିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଉପଜିଲ୍ଲାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର ପ୍ରାରମ୍ଭରେ ତହସିଲଦାର ମାନଙ୍କର ଦାୟିତ୍ୱ, କର୍ତବ୍ୟ, ରାଜସ୍ୱ ମାମଲା ଓ ଲ୍ୟାଣ୍ଡ ରେକର୍ଡ ମାନୁଆଲ ଅନୁସାରେ କାର୍ଯ୍ୟ ପରିଚାଳନା ପାଇଁ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କମିଶନରଙ୍କ ଷ୍ଟାଣ୍ଡିଂ କାଉନସିଲ ବିଜୟ କୁମାର ପରଡା ବିଭିନ୍ନ ମାମଲାର ଆଇନଗତ ଦିଗ ସଂପର୍କରେ ଆଲୋକପାତ କରିଥିଲେ। କମିଶନର କୋର୍ଟ ଅପିଂସର ସୈାମ୍ୟା ପଟ୍ଟନାୟନକ ବିଭିନ୍ନ ତହସିଲ ଅନୁସାରେ ତଥ୍ୟ ପ୍ରଦାନ କରିଥିଲେ। ଏଥିରେ ଜିଲ୍ଲାର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ଡେପୁଟୀ କଲେକ୍ଟର ପ୍ରଜ୍ଞା ହୋତା, ସହକାରୀ ଜିଲ୍ଲାପାଳ ତିଳୋତମା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ।