Odiapua.com

ଲୋକସଭା ବାଚସ୍ପତି ଭାବେ ଓମ ବିର୍ଲାଙ୍କ ନିର୍ବାଚନକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ

ନୂଆ ଦିଲ୍ଲୀ ୧୯-୬ (ଓଡ଼ିଆ ପୁଅ) ସଦନର ଉଚ୍ଚତମ ପରମ୍ପରା ଅନୁଯାୟୀ ସର୍ବସମ୍ମତି କ୍ରମେ ସପ୍ତଦଶ ଲୋକସଭାକୁ ବାଚସ୍ପତି ଭାବେ ଶ୍ରୀ ଓମ ବିର୍ଲାଙ୍କ ନିର୍ବାଚନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି।

ଲୋକସଭାରେ ତାଙ୍କ ସମ୍ବୋଧନରେ ଶ୍ରୀ ଓମ ବିର୍ଲାଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଯେ ଏପରି ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସଦନର ବାଚସ୍ପତି ଭାବେ ପାଇବା ସମସ୍ତ ସଦସ୍ୟମାନଙ୍କ ପାଇଁ ଗର୍ବର ବିଷୟ।

ସେ କହିଲେ ଯେ ଶ୍ରୀ ଓମ ବିଲା ଅନେକ ବର୍ଷ ଧରି ସାର୍ବଜନୀନ ଜୀବନରେ କାମ କରିଆସୁଛନ୍ତି। ଜଣେ ଛାତ୍ର ନେତା ଭାବେ କାର୍ଯ୍ୟ ଆରମ୍ଭ କରି ସେ କ୍ରମାଗତ ଭାବେ ସମାଜ ସେବା କରିଆସୁଛନ୍ତି। ରାଜସ୍ଥାନର କୋଟାର ରୂପାନ୍ତରଣ ଏବଂ ସର୍ବାଙ୍ଗୀନ ବିକାଶରେ ଓମ ବିର୍ଲାଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ।

ନୂତନ ଭାବେ ନିର୍ବାଚିତ ବାଚସ୍ପତିଙ୍କ ସହ ତାଙ୍କ ଦୀର୍ଘଦିନର ସମ୍ବନ୍ଧକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ। ଭୂମିକମ୍ପ ପରେ କଚ୍ଛରେ ଏବଂ ବନ୍ୟା ପରେ କେଦାରନାଥରେ ପୁନର୍ଗଠନ ପଦକ୍ଷେପ ନେଇ ଶ୍ରୀ ଓମ ବିର୍ଲାଙ୍କ ଯୋଗଦାନ ଏବଂ ସେବା ପ୍ରତି ତାଙ୍କ ଉତ୍ସର୍ଗୀକୃତ ମନୋଭାବକୁ ସେ ଗୁରୁତ୍ୱ ପ୍ରଦାନ କରିଥିଲେ। ଜଣେ କରୁଣାବାନ ନେତାଙ୍କୁ ସପ୍ତଦଶ ଲୋକସଭା ବାଚସ୍ପତି ଭାବେ ପାଇଥିବାର ସେ କହିଥିଲେ।

ସଦନର କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରିବାରେ ସମସ୍ତ ସଦସ୍ୟମାନଙ୍କଠାରୁ ସେ ପୂର୍ଣ୍ଣ ସହଯୋଗ ପାଇବେ ବୋଲି ପ୍ରଧାନମନ୍ତ୍ରୀ ବାଚସ୍ପତିଙ୍କୁ ଆଶ୍ୱାସନା ପ୍ରଦାନ କରିଥିଲେ।