Odiapua.com

ଲୋକସଭାରେ ହୀରାକୁଦ ଓ ଏହାର ବିସ୍ତାପିତଙ୍କ ଦୁଃଖ ଉତଥାପନ କଲେ ସୁରେଶ ପୁଜାରୀ

ସମ୍ବଲପୁର, ୫/୮ (ଓଡ଼ିଆ ପୁଅ) ହୀରାକୁଦ ନଦୀବଂଧର ବିଭିନ୍ନ ସମସ୍ୟାର ତ୍ୱରୀତ ଓ ସ୍ତାୟୀ ପ୍ରତିକାର ପାଇଁ ବରଗଡ ଲୋକସଭା ସଦସ୍ୟ ସୁରେଶ ପୂଜାରୀ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶୁକ୍ରବାର ଦିନ ଲୋକସଭାରେ ହେଇଥିବା ଆଲୋଚନାରେ ଭାଗ ନେଇ ସେ ଆହୁରି ମଧ୍ୟ କହିଲେ ଯେ, ଏହି ନଦୀବଂଧ ନିର୍ମାଣ ୧୯୪୮ ମସିହାରେ ହୋଇଥିଲା। ଏହା ବିଶ୍ୱର ଦୀର୍ଘତମ ଡେମ। ଏହା ଦ୍ୱାରା ପଚିଶ ହଜାର ପରିବାରକୁ ଭଗାଇ ଦିଆଗଲା। ଯାଫଳରେ ସେମାନେ ଭିଟାମାଟି ହରାଇଥିଲେ। ପୃଥିବୀ ଇତିହାସରେ ଏହିଭଳି ବିସ୍ତାପନ ଭାରତ-ପାକ ବିଭାଜନ ଭଳି ଅକଥନୀୟ। ହିରାକୁଦ ଡ଼େମ ଦ୍ୱାରା ଉଚ୍ଚେଦ ଲୋକେ ଏହା ନିର୍ମାଣର ଶତୁରୀ ବର୍ଷ ପରେ ମଧ୍ୟ କ୍ଷତିପୂରଣ ପାଇନାହାଁନ୍ତି। ଏମାନଙ୍କ ତୃତୀୟ ପିଢି ମଧ୍ୟ ଆଜି ବିସ୍ତାପନର ଦୁଃଖଯନ୍ତ୍ରଣା ଭୋଗୁଛନ୍ତି। ହୀରାକୁଦ ପ୍ରକଳ୍ପ ରେ ଉଚ୍ଚେଦ ହେବା ପରେ ଏମସିଏଲ ଖଣି ପାଇଁ ଦ୍ୱିତୀୟ ବାର ଓ ଓପିଜିସି ଥର୍ମାଲ ସକାଶେ ତୃତୀୟ ଥର ବେଘର ହୋଇଛନ୍ତି। ଯାହାକି ବିରଳ ଘଟଣା। ଏବେ ଏହି ଡ଼େମ ଅସୁରକ୍ଷିତ, ଏହାର ଅନେକ ଜାଗାରେ ଫାଟ ଧରିଲାଣି। ଲୋକେ ଏଥିଯୋଗୁଁ ଆତଙ୍କିତ ଅବସ୍ତାରେ ରହୁଛନ୍ତି। ଏପରିକି ୧୯୮୨ର ବଡ଼ବନ୍ୟାରେ ଡ଼େମ ଭୂଡ଼ିଲା ବୋଲି ଗୁଜବ ହେବାରୁ ବହୁଲୋକ ଅନ୍ୟତ୍ର ପଳାୟନ କରିବା ଆରମ୍ବ କରିଥିଲେ।

ଶ୍ରୀ ପୂଜାରୀ ଆହୁରି ମଧ୍ୟ କହିଲେ ଯେ, ଏହି ଜଳଭଂଡ଼ାରରୁ ଜଳ ନେଉଥିବା ଶିଳ୍ପ ପ୍ରତିଷ୍ଟାନ ଗୁଡ଼ିକ ଦ୍ୱାରା କାରଖାନାର ଅବର୍ଜନା ଓ ପ୍ରଦୂଷିତ ଜଳ ଡ଼େମରେ ମିଶୁଛି। ଏହା ଦ୍ୱାରା ଏହି ପାଣି ବ୍ୟବହାର କରୁଥିବା ଇଲାକାରେ କର୍କଟ ରୋଗ ବ୍ୟାପୁଛି। ଜଳଭଂଡ଼ାରରେ ଉପରମୁଂଡ଼ର ପଟୁମାଟି ପଡ଼ୁଛି। ଏହି କାରଣରୁ ଜଳଭଂଡ଼ାର ପୋତି ହୋଇଯାଉଛି ଏବଂ ଏହାର ଜଳଧାରଣ କ୍ଷମତା ହ୍ରାସ ପାଇବାରେ ଲାଗିଛି। କେନ୍ଦ୍ର ସରକାର ଏହିଭଳି ଜଟିଳ ସମସ୍ୟାର ତ୍ୱରିତ ଓ ସ୍ତାୟୀ ପ୍ରତିକାର ସକାଶେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସେ ଯୋଦ ଦେଇଥିଲେ। ପରେ କେନ୍ଦ୍ର ଜଳଶକ୍ତ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓତ ତାଙ୍କ ବକ୍ତବ୍ୟରେ ହୀରାକୁଦ ନଦୀବଂଧର ରକ୍ଷଣାବେକ୍ଷଣ, ଫାଟ ମରାମତି ଓ ଫାଟକ ଗୁଡ଼ିକର ମରାମତି ପାଇଁ ଛଅଶହ କୋଟି ଟଙ୍କା ଦିଆଯିବ ବୋଲି ଲୋକସଭାରେ ଘୋଷଣା କରିଥିଲେ।