Odiapua.com

ଲୋକନାଥ ମହାବିଦ୍ୟାଳୟରେ ଜଳବାୟୁ ପରିବର୍ତ୍ତନକୁ ନେଇ ରାଜ୍ୟ ସ୍ତରୀୟ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା ୧୬ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ନିକଟରେ ସ୍କଟଲାଣ୍ଡର ଗ୍ଲାସଗୋ ସହରରେ ଶେଷ ହୋଇଥିବା ଜଳବାୟୁ ପରିବର୍ତ୍ତନ ଉପରେ ବିଶ୍ୱ ସମ୍ମିଳନୀ ସବୁ ଦେଶମାନଙ୍କୁ ପରିବେଶ ଅନୁକୂଳ ଲୋକନୀତି ଓ ଶିଳ୍ପନୀତି କରିବା ପାଇଁ ଆହ୍ୱାନ ଦେଇଛି। ଏ ସମ୍ପର୍କରେ କିଭଳି ଭାବେ ଜଳବାୟୁ ପରିବର୍ତ୍ତନକୁ ବ୍ୟକ୍ତିଗତ ସ୍ତରରେ କାର୍ଯ୍ୟ କରିହେବ ସେନେଇ ପ୍ରଫେସର କମଳାକାନ୍ତ ଦାଶ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କଲେଜ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇଥିଲେ। ଜଳବାୟୁ ପରିବର୍ତ୍ତନକୁ ନେଇ ଏକ ରାଜ୍ୟ ସ୍ତରୀୟ ଆଲୋଚନାଚକ୍ର କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ଲୋକନାଥ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଫେସର ଦାଶ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ଯୁବ ସମାଜରେ ସଚେତନତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏଥିରେ ବୃକ୍ଷ ରୋପଣ, ପ୍ଲାଷ୍ଟିକ ନିୟନ୍ତ୍ରଣ, ସତତ ବର୍ଜ୍ୟବସ୍ତୁ ପ୍ରବନ୍ଧନ ଓ ପରିବେଶ ଅନୁକୂଳ ଜୀବନଯାପନ ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସବୁଜ କ୍ୟାମ୍ପସର ପ୍ରଫେସର କମଳାକାନ୍ତ ପାକିସ୍ତାନ ଓ ଅଷ୍ଟ୍ରେଲିଆରୁ ପାଇଥିବା ପ୍ରଶଂସା ସମ୍ପର୍କରେ କଲେଜ ଅଧ୍ୟକ୍ଷ ଡଃ. ପ୍ରଦୀପ୍ତ କୁମାର ପ୍ରଧାନ ଛାତ୍ରଛାତ୍ରୀଙ୍କୁ କହିଥିଲେ। ଆଗାମୀ ଦିନରେ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ନେଇ କଲେଜର ବିକାଶମୂଳକ କାର୍ଯ୍ୟରେ ଅବଦାନ ନିମନ୍ତେ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ଡିଜିଟାଲ ଲାଇବ୍ରେରୀ, ମାସିକ ସ୍ୱାସ୍ଥ୍ୟ ଶିବିର, ଯୋଗ ଶିକ୍ଷା, ଜଳବାୟୁ ସଚେତନତା, ବୃତ୍ତିଗତ ଉତ୍କର୍ଷତା ପାଇଁ ଏକ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଛାତ୍ରଛାତ୍ରୀମାନଙ୍କ ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱର ବିକାଶ ପାଇଁ ପ୍ରଫେସର ଦାଶ କଲେଜ ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଏହି ପରାମର୍ଶକୁ ଅଧ୍ୟକ୍ଷ ତୁରନ୍ତ କାର୍ଯ୍ୟରେ ପରିଣତ କରିବାକୁ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୃତି ଦେଇଥିଲେ। ପ୍ରଫେସର ଦାଶ ୧୯୯୨-୧୯୯୭ ମସିହା ପର୍ଯ୍ୟନ୍ତ ଏହି ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ତାଙ୍କ ପରବର୍ତ୍ତୀ ଜୀବନର ଶିକ୍ଷାଗତ ଓ ବୃତ୍ତିଗତ ସଫଳତାକୁ ପ୍ରଶଂସା କରି ଅଧ୍ୟକ୍ଷ ଡଃ. ପ୍ରଧାନ, ରାଜନୈତିକ ବିଜ୍ଞାନ ବିଭାଗ ମୁଖ୍ୟ ସୁଶାନ୍ତ କୁମାର ପରିଡା ପ୍ରଫେସର ଦାଶଙ୍କୁ କଲେଜର ଗର୍ବ ଓ ଗୈାରବ ବୋଲି ଅଭିହିତ କରି ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପିକା ମମତା ପଣ୍ଡା, ଇତିହାସ ବିଭାଗ ଅଧ୍ୟାପକ କ୍ଷୀରୋଦ ନାୟକଙ୍କ ସମେତ କଲେଜର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।