Odiapua.com

ଲୋକକଳା ଜରିଆରେ ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ, ଜିଲ୍ଲା ସ୍ତରୀୟ ଏକଦିବସୀୟ କର୍ମଶାଳା

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ଓଡ଼ିଶା ଭାଷା ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଚଳିତ ଜାନୁୟାରୀ ମାସର ଶେଷ ସପ୍ତାହରୁ ଆରମ୍ଭ ହୋଇ ଫେବୃୟାରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଲୋକକଳା ଜରିଆରେ ସୂଚନା, ଶିକ୍ଷା ଓ ଯୋଗଯୋଗ କାର୍ଯ୍ୟକ୍ରମ ଉପଲକ୍ଷେ ଭଦ୍ରକ ଜିଲ୍ଲା ସ୍ତରୀୟ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନର ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନ ରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କାଙ୍କ ସଂଯୋଜନାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ପ୍ରେରିତ ମାଷ୍ଟର ଟ୍ରେନର୍ ଭାବେ ପ୍ରାକ୍ତନ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ ଯୋଗଦେଇ ଏହି ଅଭିଯାନର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ପାଲା, ଦାସକାଠି, ଘୋଡ଼ାନାଚ, ସଂକୀର୍ତ୍ତନ, ମୋଗଲ ତାମସା, ଏକତାରା, ତେଲିଙ୍ଗିବାଇଦ, ସମର କଳା, ଢ଼ୋଲ ମହୁରୀ, ଖଞ୍ଜଣି ଭଜନ, ଢୋଲକ ବାଦ୍ୟ, ଚଢ଼େୟାନାଟ ଆଦି ବିଭିନ୍ନ ଲୋକକଳା ଜରିଆରେ ଜନ ସାଧାରଣଙ୍କ ମନକୁ ଛୁଇଁଲା ଭଳି ନିର୍ଦ୍ଧାରିତ ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧୀୟ ସୂଚନା ଓ ଶିକ୍ଷା ପରିବେଷଣର ତରିକା ଉପରେ ସେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରିସୋର୍ସ ପର୍ସନ ଭାବେ ଯୋଗଦେଇଥିବା ପରିବହନ ବିଭାଗ ଜିଲ୍ଲା ମ୍ୟାନେଜର ରାଇଜୁଲ ହକ ଲକ୍ଷ୍ମୀବସ୍ ଯୋଜନା ସମ୍ବନ୍ଧରେ ଓ ଅତିରିକ୍ତ ଏଲ୍‌.ଡ଼ି.ଏମ୍ ଶୁଭ୍ରାଂଶୁ ଶେଖର ସାହୁ ଯୋଗଦେଇ ଆମ ବ୍ୟାଙ୍କ ଯୋଜନା ସମ୍ବନ୍ଧରେ ସୂଚନା ଓ ଶିକ୍ଷା ପ୍ରଦାନ କରିଥିଲେ । ଜିଲ୍ଲା କଳା ସଂସ୍କୃତି ତଥା ଚାନ୍ଦବାଲି ବ୍ଲକ୍ କଳା ସଂସ୍କୃତି ସଂଘର ଉପସଭାପତି ତ୍ରିଲୋଚନ ପଣ୍ଡା, ଧାମନଗର ବ୍ଲକ୍ କଳା ସଂସ୍କୃତି ସଂଘର ଉପସଭାପତି ସୁବାସ ଚନ୍ଦ୍ର ମଲ୍ଲିକ୍‌, ଭଦ୍ରକ କଳା ସଂସ୍କୃତି ସଂଘର ଉପସଭାପତି ପ୍ରଶାନ୍ତ କୁମାର ବେହେରା, ବନ୍ତ ବ୍ଳକ କଳା ସଂସ୍କୃତି ସଂଘର ଉପ ସଭାପତି ନବ କୁମାର ଲେଙ୍କା, ତିହିଡ଼ିର ଭାଗିରଥି ଦତ୍ତ, ବାସୁଦେବପୁର ପଞ୍ଚାନନ ବେହେରା, ଭଣ୍ଡାରିପୋଖରୀର ରବିନ୍ଦ୍ର ଜେନା, ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ନିଜ ନିଜର ପ୍ରସ୍ତୁତି, ଯୋଜନା ଓ ସମସ୍ୟା ସମ୍ବନ୍ଧରେ ଉପସ୍ଥାପନ କରିଥିଲେ । ସେହିପରି ଏହି କାର୍ଯ୍ୟକ୍ରମ ପାଇଁ ଦାୟିତ୍ୱରେଥିବା ବ୍ଲକ୍ ସ୍ତରୀୟ ଅଧିକାରୀ ବି.ଏସ୍‌.ଏସ୍ ଓ ଭଦ୍ରକର ଯଶୋଦାରାଣୀ ସାହୁ, ଧାମନଗରର ସୌମ୍ୟଜିତ୍ ବେହେରା, ଭଣ୍ଡାରିପୋଖରୀର ଶାନ୍ତ୍ୱନା ଦାସ, ଚାନ୍ଦବାଲିର ବିଶ୍ୱରଞ୍ଜନ ପ୍ରଧାନ, ତିହିଡ଼ିର ନୀହାର ରଞ୍ଜନ ରାଉତ, ବାସୁଦେବପୁରର ଆଭାରଞ୍ଜିତା ପୁହାଣ, ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ଯୋଜନାର କାର୍ଯ୍ୟକାରୀତା ଓ ବ୍ଲକ୍ ସ୍ତରୀୟ ଦୁଇଦିନିଆ ତାଲିମ୍ ଶିବିର ଆୟୋଜନ, ମାଇକ୍ରୋ ପ୍ଲାନ୍ ପ୍ରସ୍ତୁତି ଓ ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ । ପ୍ରତି ବ୍ଲକ୍‌ରୁ ଜଣେ ବିଶିଷ୍ଟ କଳାକାର ଗୁରୁ ମଧ୍ୟ ଏହି ତାଲିମ୍ ପ୍ରଦାନ କର୍ମଶାଳାରେ ଯୋଗ ଦେଇଥିଲେ ।