Odiapua.com

ଲୁହା ଚୋରି ମାମଲାରେ ୪ ଅଭିଯୁକ୍ତ କୋର୍ଟ ଚାଲାଣ

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ପୁଲିସ ଲୁହା ଚୋରି ଅଭିଯୋଗର ୪ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରିଛି । ଅଭିଯୋଗ ଅନୁଯାୟୀ ସ୍ଥାନୀୟ ତହସିଲ ସମ୍ମୁଖରେ ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଇଟାଗଢା ଫାର୍ମ ୨୦୧୯ ମସିହାରେ ବ୍ୟାପକ ଭାବେ ଲୁହା ସାମଗ୍ରୀ ଚୋରି ହୋଇଥିଲା । ଏ ସମ୍ପର୍କରେ ଥାନାରେ ମାମଲା ଋଜୁ ହୋଇଥିଲେ ବି ଅଭିଯୁକ୍ତ ଧରାପଡିନଥିଲେ । ପୁନଶ୍ଚ ଗତ ୨୫ ତାରିଖରେ ଲୁହା ସାମଗ୍ରୀ ଚୋରି ହୋଇଥିଲା । ଏହା ଫାର୍ମ ସିସିଟିଭିରେ କଏଦ ହୋଇଥିଲା । ଗତ ୨୭ ତାରିଖ ରାତ୍ର ୨ଟା ସମୟରେ ଚୋରମାନେ ଲୁହା ସାମଗ୍ରୀ ଚୋରି କରି ଓଡି ୨୨ ପି ୫୭୭ନଂ ଟେମ୍ପୋରେ ପରିବହନ କରିବାକୁ ଉଦ୍ୟମ କରୁଥିଲା ବେଳେ ଫାର୍ମ ପକ୍ଷରୁ ଥାନାକୁ ସୂଚନା ଦିଆଯାଇଥିଲା । ପୁଲିସ ସଂପୃକ୍ତ ଟେମ୍ପୋ, ଚାଳକ ଓ ଟେମ୍ପୋରେ ବସିଥିବା ୨ଜଣଙ୍କୁ ଧରି ଥାନାରେ ଅଟକ ରଖିଥିଲା । ଫାର୍ମ ମାଲିକ ଦକ୍ଷିଣବାଡର ଜଳଧର ସାହୁଙ୍କ ଅଭିଯୋଗ କ୍ରମେ ଥାନାରେ ୪୫୯/୨୩ନଂ ମାମଲା ଋଜୁ ହୋଇଥିଲା । ମାମଲାର ଅଭିଯୁକ୍ତ ଦକ୍ଷିଣବାଡ ଗ୍ରାମର ସତ୍ୟରଞ୍ଜନ ସାହୁ ଓରଫ ଆବୁଆ(୨୬), ମଠସାହିର ସତ୍ୟଜିତ ପଣ୍ଡା ଓରଫ କାଳିଆ(୨୭), ଚନ୍ଦ୍ରଭାନୁପୁର ଗ୍ରାମର ସୁଶାନ୍ତ ନାୟକ ଓରଫ ଚଗୁଲୁ(୨୮) ଓ କାର୍ତ୍ତିକ ଜେନା ଓରଫ ଶେଣ୍ଢ(୨୮)ଙ୍କୁ ଗିରଫ କରାଯାଇ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି । ସଂପୃକ୍ତ ଅଭିଯୁକ୍ତମାନେ ପୂର୍ବରୁ ଅଙ୍ଗନୱାଡି ଚାଉଳ ଚୋରି ଓ ଅନ୍ୟାନ୍ୟ ଚୋରିରେ ସଂପୃକ୍ତ ଥିଲେ ବୋଲି ପୁଲିସ ଦର୍ଶାଇଛି ।