Odiapua.com

ଲୁଣିଆ ଗୁଳିକାଣ୍ଡ ସ୍ମୃତିରେ ଶହୀଦ ଦିବସ ପାଳିତ, ଦେଶ ପାଇଁ ବଳିଦାନର ସ୍ମୃତିସ୍ତମ୍ଭରେ ଗଭୀର ଶ୍ରଦ୍ଧାଞ୍ଜଳୀ

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସର ଅନନ୍ୟ ଅଧ୍ୟାୟ ଭାରତଛାଡ଼ ଆନ୍ଦୋଳନର ଡ଼ାକରାରେ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅଞ୍ଚଳରେ ତତ୍‌କାଳୀନ ଲୁଣିଆ ସର୍ଦ୍ଧାର ମୂରଲୀଧର ପଣ୍ଡାଙ୍କ ନେତୃତ୍ୱରେ ପ୍ରଜାମେଳିରେ ଯାଇ ଲୁଣିଆ ଗୁଳିକାଣ୍ଡରେ ଇଂରେଜ ଗୁଳି ଆଗରେ ଦେଶପାଇଁ ଜୀବନ ଦେଇଥିବା ୯ଜଣ ଶହିଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶହିଦନଗର ନାମରେ ନାମିତ ସେହି ଅଞ୍ଚଳରେ ସ୍ଥାପିତ ସ୍ମୃତିସ୍ତମ୍ଭ ନିକଟରେ ପ୍ରତିବର୍ଷ ସେପ୍ଟେମ୍ବର ୨୨କୁ ଶହିଦ ଦିବସ ଭାବେ ପାଳନ କରାଯାଇ ଆସୁଅଛି। ୧୯୪୨ ସେପ୍ଟେମ୍ବର ୨୨ରେ ଏହି ଗୁଳିକାଣ୍ଡ ଘଟିଥିଲା। ଗତ ୧୯ ତାରିଖରେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ଯୋଗୁଁ ଏ ବର୍ଷ ଏହି ଦିବସକୁ ବିନା ସଭା ସମିତି, ବିନା ସାଂସ୍କୃତିକ କାର୍ଯ୍ୟକ୍ରମରେ ନିରାଡ଼ମ୍ବର ଭାବେ ପାଳନ କରାଗଲା। ପୋଲିସ ବିଭାଗ ତରଫରୁ ତୋପ ସଲାମି ଅର୍ପଣ କରାଯାଇଥିଲା। ଏସ୍‌.ପି. ଚରଣ ସିଂ ମୀନା ଏହି ତୋପ ସଲାମି କାର୍ଯ୍ୟରେ ଉପସ୍ଥିତ ରହି ସ୍ମୃତି ସ୍ତମ୍ଭ ଓ ମୂରଲୀଧର ପଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ପରେ ପରେ ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ, ଧାମନଗର ଏନ୍‌.ଏ.ସି. ଅଧ୍ୟକ୍ଷା ନିବେଦିତା ଜେନା, ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବୟୋଜ୍ୟେଷ୍ଠ ସ୍ୱାଧୀନତା ସଂଗ୍ରାମୀ ବ୍ରଜ କିଶୋର ରାଉତ, ପୂର୍ବତନ ସ୍ଥାନୀୟ ସରପଞ୍ଚ ରଘୁନାଥ ଲେଙ୍କା, ଗ୍ରାମବାସୀ, ଶହିଦ ପରିବାର ଆଦିଙ୍କ ଦ୍ୱାରା ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା ପ୍ରମୁଖ ମଧ୍ୟ ଏହି ଶହିଦ୍ ପୀଠରେ ପହଞ୍ôଚ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଶହିଦ ତୀର୍ଥଯାତ୍ରୀ ବାସୁଦେବପୁର ତରଫରୁ ବରିଷ୍ଠ ନାଗରିକ ବୈଲୋଚନ ଜେନା, ମଞ୍ଜୁବାଳା ରାଉତ, ସଂଗ୍ରାମ ବେହେରା, ଗାନ୍ଧୀ ଓଡ଼ିଶା ବାଳାଶ୍ରମ ପକ୍ଷରୁ ଅଶୋକ କୁମାର ଦାସ, ଅଜୟ କୁମାର ନାୟକ, କାଳନ୍ଦୀ ମଲ୍ଲିକ, ଗୌରାଙ୍ଗ ବାରିକ୍‌, ଲକ୍ଷ୍ମୀକାନ୍ତ ବାରିକ୍ ପ୍ରମୁଖଙ୍କ ଦ୍ୱାରା ମଧ୍ୟ ଏହି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।