Odiapua.com

ଲୁଣିଆ ଗୁଳିକାଣ୍ଡର ୮୧ତମ ସହିଦ ସ୍ମାରକୀ ଦିବସ ପାଳିତ

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍ ସହୀଦନଗର ଠାରେ ଲୁଣିଆ ଗୁଳିକାଣ୍ଡର ୮୧ତମ ସହିଦ ସ୍ମାରକୀ ଦିବସ ପାଳିତ ହୋଇଯାଇଛି । ଏଥି ଉପଲକ୍ଷେ ପ୍ରାତଃରେ ପ୍ରଭାତ ଫେରି, ତିଳତର୍ପଣ ଓ ଜାତୀୟ ପତାକା ଉତ୍ତୋଳନ କରାଯିବା ପରେ ଜିଲା ପ୍ରଶାସନ ପକ୍ଷରୁ ସହିଦ ସଲାମି ଦିଆଯାଇଥିଲା । ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶୋଭାଯାତ୍ରା ଅନୁଷ୍ଠିତ ହେବା ପରେ ସ୍ୱାଧୀନତା ସଂଗ୍ରାମୀ ରାମହରି ଗୌସ୍ୱାମୀ, ବ୍ରଜକିଶୋର ରାଉତ, ଧାମନଗର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଜିଲା ପରିଷଦ ସଭ୍ୟ ଶାରଦା ପ୍ରସନ୍ନ ସାହୁ, ପ୍ରଦୀପ କୁମାର ମଲ୍ଲିକ, ବିଜେଡି ବ୍ଲକ୍ ସଭାପତି ଉମେଶ ମହାନ୍ତି, ବିବିସିସିର ପୂର୍ବତନ ସଭାପତି ରଘୁନାଥ ଲେଙ୍କା, ଡାକ୍ତର ସଂଜୟ ଦାସ, ଖପରପଦା ପଂଚାୟତ ସରପଞ୍ଚ ଅନୁସୟା ସାହୁ, ଜିଲା କଂଗ୍ରେସ ସଭାପତି ଅଶୋକ ଦାସ, କଂଗ୍ରେସ ନେତା ମୁରଲୀଧର ଜେନା, ନାରାୟଣ ପାଢୀ, ଅଭିଷେକ ରାଉତ, ଡାକ୍ତର ବିଦ୍ୟାଧର ଜେନା, ପ୍ରସନ୍ନ ଧଳ, ପ୍ରଦୀପ୍ତ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସହିଦ ସ୍ମୃତି ମଣ୍ଡପରେ ପୁଷ୍ପମାଲ୍ୟ ଅର୍ପଣ କରି ୯ ସହିଦଙ୍କ ସ୍ମୃତିଚାରଣ କରିଥିଲେ । ସନ୍ଧ୍ୟାରେ ସହିଦ ସ୍ମୃତି ରକ୍ଷା କମିଟି ପକ୍ଷରୁ ୮୧ତମ ସ୍ମୃତି ସଭାରେ ୯ ଜଣ ସହିଦ ପରିବାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସ୍ମୃତି କମିଟିର ସଭାପତି ବିଧାୟକ ସୂର୍ଯ୍ୟବଂଶୀ ସୁରଜ ସଭାପତିତ୍ୱ କରିଥିବାବେଳେ କମିଟିର ଉପସଭାପତି ବୈକୁଣ୍ଠନାଥ ସାହୁ ସହ ସଂଚାଳନ କରିଥିଲେ । ମୁଖ୍ୟଅତିଥି ଭାବେ ପୂର୍ବତନ ସାଂସଦ ତଥା ସୁସାହିତ୍ୟିକ ଖାରବେଳ ସ୍ୱାଇଁ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଂପାଦକ କୃଷ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ଦାଶ ପ୍ରମୁଖ ଯୋଗଦେଇ ଯେଉଁ ମହାନ୍ ବ୍ୟକ୍ତିମାନେ ପ୍ରାଣବଳି ଦେଇ ଆମକୁ ସ୍ୱାଧୀନତାର ସ୍ୱାଦ ଚଖାଇଛନ୍ତି, ସେମାନଙ୍କ ପାଇଁ ଆଜି ଆମେ ଗର୍ବିତ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ବିଜେପି ଜିଲା ସଭାପତି ହେମନ୍ତ ପାଢୀ, ବିଜେପି ନେତା ଡାକ୍ତର ପ୍ରଦୀପ ନାୟକ, ପୂର୍ବତନ ଜିଲା ସଭାପତି ବଦ୍ରୀ ନାରାୟଣ ଧଳ, ଧାମନଗର ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ନାରାୟଣ ସାହୁ, ପୂର୍ବତନ ଜିଲା ପରିଷଦ ସଭ୍ୟ ଦେବେନ୍ଦ୍ର ପୁହାଣ, ସାଧାରଣ ସଂପାଦକ ଗୟାଧର ନାୟକ ପ୍ରମୁଖ ଯୋଗଦେଇ ସହିଦଙ୍କ ସ୍ମୃତିଚାରଣ କରିଥିଲେ । ସ୍ମୃତି କମିଟିର ସଂପାଦିକା ପ୍ରିୟତ୍ତମା ପାଣିଗ୍ରାହୀ ବିବରଣୀ ପାଠ କରିଥିବାବେଳେ ସାଧାରଣ ସଂପାଦକ ଗୟାଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।